ମୁମ୍ବାଇ: ଅନ୍ତଃନଳୀ ଅବରୋଧ କୋଭିଡ୍‌-୧୯ର ଏକ ଅସ୍ୱାଭାବିକ ଏବଂ ନୂଆ ଲକ୍ଷଣ ବୋଲି ମୁମ୍ବାଇର ଡାକ୍ତରମାନେ ଜାଣିପାରିଛନ୍ତି। ନିକଟ ଅତୀତରେ ସର୍ଜନ୍‌ ଡାକ୍ତର ମୁଫାଜଲ୍‌ ଲକଡ୍‌ଓ୍ଵାଲା ଅନ୍ତଃନଳୀ ଅବରୋଧ ଥିବା ୪ଜଣ କୋଭିଡ୍‌-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କର ଚିକିତ୍ସା କରିଛନ୍ତି। ଅନ୍ତଃନଳୀ ମଧ୍ୟରେ ଅବରୋଧ ହେବା ଯୋଗୁଁ କ୍ଷୁଦ୍ରାନ୍ତରୁ ବୃହଦାନ୍ତକୁ ଖାଦ୍ୟ ପାନୀୟ ଯିବାରେ ବାଧା ସୃଷ୍ଟି ହୋଇଥାଏ।

ଉକ୍ତ ରୋଗୀମାନେ କୋଭିଡ୍‌-୧୯ଦ୍ୱାରା ସଂକ୍ରମିତ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା।

ଡାକ୍ତର ଲକଡ୍‌ଓ୍ଵାଲା କହନ୍ତି, ଗୁଣସୂତ୍ର ପରିବର୍ତ୍ତିତ ନୂଆ କରୋନାଭାଇରସ୍‌ ପ୍ରଜାତି ହଇଜା, ଉଦର ବ୍ୟଥା ଏବଂ ଅନ୍ତଃନଳୀ ଅବରୋଧ ଭଳି ଅନ୍ତଃନଳୀୟ ସଂକ୍ରମଣ ଲକ୍ଷଣ ସୃଷ୍ଟି କରୁଛି। ଅସ୍ତ୍ରୋପଚାର ଆବଶ୍ୟକ ଥିବାରୁ ଏହି କେସ୍‌ଗୁଡ଼ିକୁ ତାଙ୍କୁ ନିକଟକୁ ରେଫର୍‌ କରାଯାଇଥିଲା।

Image Courtesy of WebMD

ସେମାନଙ୍କ ମଧ୍ୟରୁ ଜଣେ ୩୭ ବର୍ଷିୟ ବ୍ୟକ୍ତି ପେଟରେ ମୃଦୁ ଯନ୍ତ୍ରଣା ହେବା ସହ ମଳତ୍ୟାଗ କରି ହେଉ ନ ଥିବା କଥା ଅଭିଯୋଗ କରିଥିଲେ। କୋଭିଡ୍‌ ଟେଷ୍ଟ୍‍ କରାଇବାରୁ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହି ରୋଗୀଙ୍କର ଚିକିତ୍ସା କରିଥିବା ରିଲାଏନ୍ସ ହସ୍ପିଟାଲ୍‌ର ଡାକ୍ତର ପ୍ରଣବ ମେହ୍ରୋତ୍ରା କହନ୍ତି ଯେ, ତାଙ୍କୁ ଆଣ୍ଟିଭାଇରାଲ୍‌ ଦିଆଯାଇ ଚିକିତ୍ସା କରାଯାଇଥିଲା।

କୋକିଲାବେନ୍‌ ହସ୍ପିଟାଲ୍‌ର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ତନୁ ସିଙ୍ଘଲ୍‌ କହନ୍ତି, ୨୦୨୦ରେ କୋଭିଡ୍‌-୧୯ ସଂକ୍ରମଣର ବିଭିନ୍ନ ଅସ୍ୱାଭାବିକ ଲକ୍ଷଣ ପରିଲକ୍ଷିତ ହେଉଛି। ସାଙ୍ଘାତିକ ଆକ୍ରାନ୍ତ ରୋଗୀଙ୍କଠାରେ ଅଧିକ କିଡ୍‌ନି ସମସ୍ୟା ଦେଖାଯାଉଛି। କିନ୍ତୁ, ଅସୁସ୍ଥ ରୋଗୀମାନେ ତୁରନ୍ତ ଆରୋଗ୍ୟ ହେଉଥିବା କଥା ଆମେ ଦେଖୁଛୁ।

‘କିଙ୍ଗ୍‌ ଏଡ୍‌ମଣ୍ଡ୍‌ ମେମୋରିଆଲ୍‌ ହସ୍ପିଟାଲ୍‌’ର ଡିନ୍‌ ଡାକ୍ତର ଅବିନାଶ ସୁପେ କହିଛନ୍ତି ଯେ, ହଇଜା କୋଭିଡ୍‌-୧୯ର ଗୋଟାଏ ଲକ୍ଷଣ ବୋଲି ଏହାପୂର୍ବରୁ ଡାକ୍ତରମାନେ ଜାଣିଥିଲେ। କେତେକ ଡାକ୍ତରଙ୍କ ମତରେ, କୋଭିଡ୍‌-୧୯ର ପ୍ରମୁଖ ଲକ୍ଷଣଗୁଡ଼ିକରେ ସେଭଳି କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ଘଟିନାହିଁ।

The post କୋଭିଡ୍‌-୧୯ର ନୂଆ ଲକ୍ଷଣ- ଅନ୍ତଃନଳୀ ଅବରୋଧ first appeared on Sambad.



from କରୋନା – Sambad https://ift.tt/2OivWmB