ଭୁବନେଶ୍ବର: ରାଜ୍ୟ ସରକାର ଦିନକୁ ୧ ଲକ୍ଷ ବରିଷ୍ଠ ନାଗରିକଙ୍କ କରୋନା ଟିକାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏ ନେଇ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି। ପୂରା ରାଜ୍ୟରେ ଦୈନିକ ୧ ଲକ୍ଷ ଟିକାକରଣ ଲକ୍ଷ୍ୟ ହାସଲ ଲାଗି ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରଙ୍କୁ ଚିଠି ଲେଖିଛନ୍ତି ଶ୍ରୀ ମହାପାତ୍ର। ଏଥିସହିତ ଜିଲ୍ଲାୱାରି ଟିକାକରଣ ଲକ୍ଷ୍ୟ ମଧ୍ୟ ବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଇଛି। 

ରାଜ୍ୟ ସରକାର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ପ୍ରତିଦିନ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ କରୋନା ଟିକା ଦିଆଯିବ। ଏଥି ପାଇଁ ବିଭିନ୍ନ ଜିଲ୍ଲାକୁ ଟାର୍ଗେଟ ଦିଆଯାଇଛି। କେଉଁ ଜିଲ୍ଲାରେ ଦିନକୁ କେତେ ଜଣ ଲୋକ କରୋନା ଟିକା ନେବେ ସରକାର ଏହା ନିର୍ଦ୍ଧାରଣ କରିଛନ୍ତି। ବୟସ୍କମାନଙ୍କୁ କରାଯାଉଥିବା କରୋନା ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଏଯାଏଁ ୧୦ ଲକ୍ଷ ୧୩ ହଜାର ୭୭୭ ଜଣ ଲୋକ କରୋନା ଟିକା ନେଇସାରିଛନ୍ତି।

 

The post ଦୈନିକ ୧ ଲକ୍ଷ ବରିଷ୍ଠ ନାଗରିକ ନେବେ ‌କରୋନା ଟିକା, ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ first appeared on Sambad.



from କରୋନା – Sambad https://ift.tt/2On3WxX