ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ମାମଲା ଲଗାତାର ବଢ଼ି ଚାଲିଛି। ୩୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୨୪ଟିରେ ସାପ୍ତାହିକ ସଂକ୍ରମଣ ମାମଲା ବଢ଼ିଛି। ଏଥିମଧ୍ୟରୁ ୧୩ଟି ଜିଲ୍ଲାରେ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି। ଗତ ସପ୍ତାହରେ ଏହି ୧୩ ଜିଲ୍ଲାରେ ପୂର୍ବ ସପ୍ତାହର ସଂକ୍ରମଣ ତୁଳନାରେ ୨୫ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଛି। ମହାରାଷ୍ଟ୍ର ସଂକ୍ରମଣ ଦେଶରେ ଶୀର୍ଷରେ ରହିଛି। ମହାରାଷ୍ଟ୍ରରେ ମାର୍ଚ୍ଚ ୧ରୁ ୭ ମଧ୍ୟରେ ୬୪,୬୫୭ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି। ୨୦ ସପ୍ତାହ ମଧ୍ୟରେ ଏହା ସର୍ବାଧିକ ସାପ୍ତାହିକ ସଂକ୍ରମଣ ବୃଦ୍ଧି। ସେହିପରି ପଂଜାବରେ ମଧ୍ୟ ଗତ ସପ୍ତାହର ସଂକ୍ରମଣ ମାମଲା ୬,୨୧୫ ରହିଛି। ଏହା ୨୨ ସପ୍ତାହ ମଧ୍ୟରେ ସବୁଠୁ ଅଧିକ। ମହାରାଷ୍ଟ୍ର ପରେ କେରଳ ସଂକ୍ରମଣ ମଧ୍ୟ ବଢ଼ିଚାଲିଛି। ଗତ ସପ୍ତାହରେ କେରଳ ସଂକ୍ରମଣ ୧୭,୯୨୪ ଥିଲା। ହିମାଚଳପ୍ରଦେଶରେ ଗତ ସପ୍ତାହରେ ୮୨ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଥିବା‌ବେଳେ ପଂଜାବରେ ୬୭ ପ୍ରତିଶତ ଏବଂ ହରିୟାଣାରେ ଗତ ସପ୍ତାହରେ ୬୫ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଛି। ଗତକାଲି ଦେଶରେ ୧୫,୩୭୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଲଗାତାର ୨୨ ଦିନ ଧରି ଦେଶରେ ସଂକ୍ରମଣ ବୃଦ୍ଧି ହେଉଛି। ଦେଶରେ ସକ୍ରିୟ ମାମଲା ୧,୮୭,୪୬୨ ପହଞ୍ଚିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧.୬୭ ପ୍ରତିଶତ।
ସଂକ୍ରମଣ ବଢ଼ିବାରୁ ଦେଶରେ ବିଭିନ୍ନ ଜିଲ୍ଲାରେ ଆଂଶିକ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ମହାରାଷ୍ଟ୍ରର ଥାନେରେ ୧୬ ହଟ୍‌ସ୍ପଟ୍‌ ଅଞ୍ଚଳରେ ‘ଆଂଶିକ ଲକ୍‌ଡାଉନ୍‌’ ଘୋଷଣା‌ ହୋଇଛି।

ମହାରାଷ୍ଟ୍ରରେ କାହିଁକି ବଢ଼ୁଛି ସଂକ୍ରମଣ?
ମୁମ୍ବାଇ: ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ପ୍ରତଦିନ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା। ଏଥିରେ ଲକ୍‌ଡାଉନ୍‌ ତୁଳନାରେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଉପରେ ଗୁରୁତ୍ବାରୋପ କରାଯାଇଛି। ମହାରାଷ୍ଟ୍ର ଗସ୍ତରେ ଥିବା କେନ୍ଦ୍ରୀୟ ଟିମ୍‌ କହିଛନ୍ତି,କୌଣସି ନୂଆ ପ୍ରଜାତି ପାଇଁ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ହୋଇନାହିଁ ବରଂ କରୋନା ନିୟମାବଳୀର ଉଲ୍ଳଂଘନ ଯୋଗୁଁ ସଂକ୍ରମଣ ବୃଦ୍ଧି ହୋଇଛି। ପୂର୍ବରୁ ପ୍ରତି ନୂଆ ‌କୋଭିଡ୍‌ ‌ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୨୦ ଜଣଙ୍କର କରୋନା ଟେଷ୍ଟ୍‌ କରାଯାଉଥିଲା। ଏବେ ଏହା ୩୦କୁ ବୃଦ୍ଧି କରିବା ପାଇଁ କେନ୍ଦ୍ରୀୟ ଟିମ୍‌ କହିଛନ୍ତି। ଲକ୍‌ଡାଉନ୍‌ ବଦଳରେ ଅଧିକ ସଂଖ୍ୟାରେ ‘ସ୍ଥାନୀୟ ଅବରୋଧ ଅଂଚଳ’ ସୃଷ୍ଟି କରାଯିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଉଛି।

ଦିନକରେ ୨୦ ଲକ୍ଷ ଟିକା ନେଲେ
ନୂଆଦିଲ୍ଲୀ: ଦେଶରେ ଗତକାଲି ଗୋଟିଏ ଦିନରେ ୨୦ ଲକ୍ଷରୁ ଅଧିକଙ୍କୁ ଟିକାକରଣ କରାଯାଇଛି। ପ୍ରଥମ ଥର ପାଇଁ ଦେଶରେ ଏତେ ସଂଖ୍ୟକ ହିତାଧିକାରୀଙ୍କୁ କରୋନା ଟିକା ଦିଆଯାଇଛି। ଭାରତରେ ଏଯାବତ୍‌ ୨,୩୦,୦୮,୭୩୩ ଜଣଙ୍କୁ କରୋନା ଟିକା ଦିଆସରିଛି। ଏବେ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏବଂ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସହ ୪୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ଏହି ପର୍ଯ୍ୟାୟରେ ଟିକା ନେଉଛନ୍ତି। ଦେଶରେ ଏବେ କରୋନାର ସକ୍ରିୟ ମାମଲା ୧,୮୭,୪୬୨ ରହିଥିବା ଜଣାପଡ଼ିଛି।

The post ୨୪ ରାଜ୍ୟରେ ସାପ୍ତାହିକ ସଂକ୍ରମଣ ବୃଦ୍ଧି, କଡ଼ାକଡ଼ି ହେଲା କଟକଣା first appeared on Sambad.



from କରୋନା – Sambad https://ift.tt/38q7yWT