ମୁମ୍ବାଇ : ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ିବାରୁ ସରକାର ସଦ୍ୟ କଟକଣା ଜାରି କରିଛନ୍ତି। ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୫,୬୮୧ ନୂଆ‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶର ୬୦ ପ୍ରତିଶତରୁ ଊର୍ଦ୍ଧ୍ବ ସକ୍ରିୟ ମାମଲା କେବଳ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି ଏବଂ ପଜିଟିଭ୍‌ ହାର ମଧ୍ୟ ବଢ଼ିଚାଲିଛି। ତେଣୁ କରୋନା ନିୟନ୍ତ୍ରଣ ପାଇଁ ମହାରାଷ୍ଟ୍ର ସରକାର କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସଦ୍ୟ କଟକଣା ଜାରି କରିଛନ୍ତି। ମହାରାଷ୍ଟ୍ରରେ ସମସ୍ତ ଥିଏଟର, ଅଡିଟୋରିୟମ୍‌ ଏବଂ ଅଫିସ୍ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ସରକାର ଏନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସ୍ବାସ୍ଥ୍ୟ ଏବଂ ଅନ୍ୟ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଅଫିସ୍‌ ବାଦ୍‌ ଅନ୍ୟ ସମସ୍ତ ଘରୋଇ ଅଫିସ୍‌ ୫୦ ପ୍ରତିଶତ କ୍ଷମତାରେ ଚାଲିବ ବୋଲି ସରକାର କହିଛନ୍ତି। ସେହିପରି ଅଡିଟୋରିୟମ୍‌ ଏବଂ ଥିଏଟର ମଧ୍ୟ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ନିର୍ମାଣ ସଂସ୍ଥାମାନଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି ରହିଛି। ନିର୍ମାଣ ସଂସ୍ଥା ପୂର୍ଣ୍ଣ କ୍ଷମତାରେ ଚାଲିପାରିବ। ଉତ୍ପାଦନ କେନ୍ଦ୍ରରେ ସାମାଜିକ ଦୂରତ୍ବ ଅବଲମ୍ବନ ନିମନ୍ତେ କର୍ମଚାରୀଙ୍କ ସଂଖ୍ୟା କମାଇବାକୁ ପଡ଼ିବ ।

ଅନ୍ୟପକ୍ଷେ ବିଏମ୍‌ସି ମୁମ୍ବାଇର ସମସ୍ତ ଜନଗହଳି ସ୍ଥାନମାନଙ୍କରେ କୋଭିଡ୍ ଏଣ୍ଟିଜେନ୍‌ ଟେଷ୍ଟ୍‌ କରିବାପାଇଁ ନିଷ୍ପତ୍ତି ନେଇଛି। ମଲ୍‌ରେ ପ୍ରବେଶ ପାଇଁ ମଧ୍ୟ କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ ଦେଖାଇବାକୁ ପଡ଼ିବ ବୋଲି ଆଜି ନିର୍ଦ୍ଦେଶନାମା ଜାରି ହୋଇଛି।

ଆଗକୁ ଲକ୍‌ଡାଉନ୍‌ ବିକଳ୍ପ ହୋଇପାରେ: ଉଦ୍ଧବ ଠାକ୍‌ରେ
ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ପୁଣିଥରେ ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌ ହୋଇପାରେ। ମହାରାଷ୍ଟ୍ରରେ ଲଗାତାର ସଂକ୍ରମଣ ବଢ଼ୁଛି ଏବଂ ଗତକାଲି ସର୍ବାଧିକ ୨୫,୮୩୩ ନୂଆ ମାମଲା ଥିଲା। ସଂକ୍ରମଣ ଚିନ୍ତା ବଢ଼ାଇଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟରେ ପୁଣିଥରେ ଲକ୍‌ଡାଉନ୍‌ ହେବାନେଇ ସଙ୍କେତ ଦେଇଛନ୍ତି। ଉଦ୍ଧବ କହିଛନ୍ତି, ସଂକ୍ରମଣ ବୃଦ୍ଧି ଯଦି ଜାରି ରହିବ ତା’ହେଲେ ଲକ୍‌ଡାଉନ୍‌ ହିଁ ବିକଳ୍ପ ହେବ । ଜନସାଧାରଣ କରୋନା ନିୟମାବଳୀ ମାନିବାକୁ ସେ ଅନୁରୋଧ କରିଛନ୍ତି ଏବଂ ବିନା ଭୟରେ ଲୋକମାନେ ଟିକା ନେବାପାଇଁ କହିଛନ୍ତି।

The post ମହାରାଷ୍ଟ୍ରରେ ବଢ଼ିଲା କଟକଣା, ଜନଗହଳି ସ୍ଥାନରେ ହେବ ଏଣ୍ଟିଜେନ୍‌ ଟେଷ୍ଟ୍ first appeared on Sambad.

from କରୋନା | Sambad https://ift.tt/3vGbKf3