
ଯାତ୍ରା ମଞ୍ଚ ପାଇଁ ବି ୨୦୦ ଲୋକଙ୍କୁ ଅନୁମତି
ଗୁଡ୍ ଫ୍ରାଇଡେ, ଇଷ୍ଟର୍, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା, ଦଣ୍ଡ ଯାତ୍ରା ଓ ଶ୍ରୀରାମ ନବମୀ ପାଇଁ କଟକଣା
ଭୁବନେଶ୍ବର : ରାଜ୍ୟରେ କରୋନାର ଦ୍ବିତୀୟ ଲହର ଆଶଙ୍କାରେ ସରକାର ଗତ ସପ୍ତାହରେ ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଥିଲେ। ଗତ କିଛି ମାସ ହେଲା ବିବାହ ଭୋଜିରେ ୫୦୦ ଲୋକଙ୍କୁ ଅନୁମତି ଦିଆଯାଇଥିଲା। ଗତ ୨୬ ତାରିଖରୁ ଏହି ସଂଖ୍ୟାକୁ ପୁଣି ୨୦୦କୁ ଖସାଇ ଦିଆଯାଇଛି। ଏହା ସହ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ମିଳୁଛି। ଏପ୍ରିଲ୍ ମାସ ପାଇଁ ଏହି ସଂଖ୍ୟା ବଳବତ୍ତର ରଖାଯାଇଛି। ସାମାଜିକ/ରାଜନୈତିକ/କ୍ରୀଡ଼ା/ମନୋରଞ୍ଜନ/ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି ମିଳିବ। ଏପ୍ରିଲ୍ ମାସରେ କୌଣସି ବଡ଼ ଧରଣର ସମାବେଶ ହୋଇପାରିବ ନାହିଁ।
ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କ ପକ୍ଷରୁ ଏପ୍ରିଲ ମାସ ପାଇଁ ଆଜି କୋଭିଡ୍ ଗାଇଡ୍ଲାଇନ୍ ଜାରି କରାଯାଇଛି। ମାର୍ଚ୍ଚ ମାସରେ ଯାତ୍ରା ମଞ୍ଚ ଖୋଲିବାକୁ ଅନୁମତି ଦିଆଯାଇଥିଲା ଓ ସର୍ବାଧିକ ଦୁଇ ହଜାର ଲୋକଙ୍କୁ ଯାତ୍ରା ଦେଖିବା ପାଇଁ ଅନୁମତି ଦିଆଯାଇଥିଲା। ତେବେ ଏପ୍ରିଲ୍ ମାସରେ ଯାତ୍ରାକୁ ଅନୁମତି ମିଳିଥିଲେ ମଧ୍ୟ ଦର୍ଶକ ସଂଖ୍ୟା ୨୦୦ ଭିତରେ ସୀମିତ କରିବାକୁ କୁହାଯାଇଛି।
ଗତ ୨୬ ତାରିଖରେ ଏପ୍ରିଲ୍ ମାସରେ ସମସ୍ତ ପର୍ବପର୍ବାଣି ପାଳନ ଉପରେ ସରକାର ଜାରି କରିଥିବା କଟକଣାକୁ ନୂଆ ଗାଇଡ୍ଲାଇନ୍ରେ ଦୋହରାଯାଇଛି। ଗୁଡ୍ ଫ୍ରାଇଡେ, ଇଷ୍ଟର୍, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା, ଦଣ୍ଡ ଯାତ୍ରା ଓ ଶ୍ରୀରାମ ନବମୀରେ କୌଣସି ବଡ଼ ଧରଣର ସମାବେଶ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ମନ୍ଦିର ଓ ଚର୍ଚ୍ଚରେ କେବଳ ରୀତିନୀତି ପାଳନ କରାଯାଇପାରିବ। ସ୍ଥାନୀୟ ପରିସ୍ଥିତିକୁ ଦେଖି ଜିଲ୍ଲାପାଳ ଓ ମହାନଗର ନିଗମ କମିସନର ଆବଶ୍ୟକ କଟକଣା ଲଗାଇବେ। ସେହିପରି ଉତ୍କଳ ଦିବସରେ କୌଣସି ସ୍ଥାନରେ ବଡ଼ ଧରଣର ସମାବେଶ ହେବ ନାହିଁ। ପ୍ରଶାସନ ପକ୍ଷରୁ ହେବାକୁ ଥିବା ଉତ୍କଳ ଦିବସ ସଭାରେ ଲୋକ ସଂଖ୍ୟା ୨୦୦ ଭିତରେ ସୀମିତ ରହିବ।
ଜିଲ୍ଲାପାଳ/ମହାନଗର ନିଗମ କମିସନର୍ ପରିସ୍ଥିତିକୁ ଦେଖି ଛୋଟ ଛୋଟ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ କରିବାକୁ ନିଷ୍ପତ୍ତି ନେବେ। କଣ୍ଟେନ୍ମେଣ୍ଟ୍ ଜୋନ୍ ବିଜ୍ଞପ୍ତି ଜିଲ୍ଲା ଓ ରାଜ୍ୟ ୱେବ୍ସାଇଟ୍ରେ ଅପ୍ଲୋଡ୍ କରିବେ। ସେହି ଅଞ୍ଚଳରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ। ତେବେ କଣ୍ଟେନ୍ମେଣ୍ଟ୍ ଜୋନ୍ ବାହାରେ ସରକାରଙ୍କ ପରାମର୍ଶ ନ ନେଇ କେହି ଲକ୍ଡାଉନ୍ କରିପାରିବେ ନାହିଁ। ଅଧିକ ଆର୍ଟି-ପିସିଆର୍ ଟେଷ୍ଟ୍ କରାଯିବାକୁ ଗାଇଡ୍ଲାଇନ୍ରେ କୁହାଯାଇଛି।
ପିପିଲି ଉପନିର୍ବାଚନରେ ମଧ୍ୟ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ବୈଠକ କରିବାକୁ ଅନୁମତି ଦିଆଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରାଜନୈତିକ ସଭା ପାଇଁ ଆବଶ୍ୟକ କଟକଣା ଜାରି କରିପାରିବେ ବୋଲି ଏସ୍ଅାର୍ସି ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି।
The post ପୁଣି କରୋନା ଚିନ୍ତା, କଣ୍ଟେନ୍ମେଣ୍ଟ ଜୋନ୍ ହେବ first appeared on Sambad.from କରୋନା | Sambad https://ift.tt/3sF8UVX
0 Comments