ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ କରୋନା ବ୍ୟାପିବା ପରେ ବୁର୍ଲାରେ ଥିବା ଅନ୍ୟ ଶିକ୍ଷାନୁଷ୍ଠାନ ମାନେ ସତର୍କ ହୋଇଛନ୍ତି। କୋଭିଡ୍-୧୯ ଭୂତାଣୁ ସଂକ୍ରମଣ ରୋକିବାକୁ ସବୁ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ହଷ୍ଟେଲ୍ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିଶ୍ବବିଦ୍ୟାଳୟ ପିଜି ହଷ୍ଟେଲ୍ ସମୂହର ମୁଖ୍ୟ ୱାର୍ଡେନ୍‌ ପ୍ର. ବି ଶତପଥୀଙ୍କ ପକ୍ଷରୁ ଜାରି ନୋଟିସ୍‌ରେ କହାଯାଇଛି ବୁର୍ଲା ସହରରେ କୋଭିଡ୍ ଦ୍ରୁତ ଗତିରେ ମାଡ଼ି ଚାଲିଛି। କିଛି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ତେଣୁ ସମ୍ବଲପୁର ବିଶ୍ବବିଦ୍ୟାଳୟର ଜ୍ୟୋତି ବିହାର କ୍ୟାମ୍ପସ୍‌କୁ ଯେମିତି ଏଥିରୁ ସୁରକ୍ଷିତ ରଖାଯାଇ ପାରିବ ସେଥି ପାଇଁ ଅତିରିକ୍ତ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଛ‌ାତ୍ରମାନେ ସଂଧ୍ୟା ୭ଟା ୩୦ ପୂର୍ବରୁ ନିଜନିଜ ହଷ୍ଟେଲ୍‌କୁ ଫେରିବାକୁ କହାଯାଇଛି।

ସେହିପରି ଛ‌ାତ୍ରୀ ମାନଙ୍କ ହଷ୍ଟେଲ୍ ପ୍ରବେଶ ସମୟକୁ ଅପରିବର୍ତ୍ତିତ ରଖାଯାଇଛି। ଏହାଛଡ଼ା ଅନ୍ୟାନ୍ୟ କରୋନା ସତର୍କତା ସଂପର୍କରେ ନୋଟିସ୍‌ରେ ସଚେତନ କରାଯାଉଛି। ୱାର୍ଡେନ୍‌ଙ୍କ ପକ୍ଷରୁ ଜାରି ଆଉ ଏକ ନୋଟିସ୍‌ରେ ହଷ୍ଟେଲ୍‌ ଅଧୀକ୍ଷକ, ସହ ଅଧୀକ୍ଷକ ମାନଙ୍କୁ କ‌ହାଯାଇଛି ଯେ କୌଣସି ଛାତ୍ର ବା ଛାତ୍ରୀ ନିକଟରେ ଥଣ୍ଡା, କାଶ, ଛିଙ୍କ, ଜ୍ବର ଭଳି କରୋନାର ଲକ୍ଷଣ ଦେଖାଗଲେ ତୁରନ୍ତ ତାଙ୍କୁ ଭିମ୍‌ସାର୍‌ ଡାକ୍ତରଖାନାରେ ଭର୍ତ୍ତି କରନ୍ତୁ। ଏଥି ପାଇଁ ବିଶ୍ବବିଦ୍ୟାଳୟ ଆମ୍ବୁଲାନ୍‌ସ ଡ୍ରାଇଭର୍‌ଙ୍କ ନମ୍ବର ଜାରି କରାଯାଇଛି। ସେହିପରି ଜରୁରୀ ସେବା ପାଇଁ ବିଶ୍ବବିଦ୍ୟାଳୟ ସ୍ବାସ୍ଥ୍ୟ ଅଧିକାରୀ ଓ ଭିମସାର୍‌ ନିର୍ଦ୍ଦେଶକଙ୍କ ନମ୍ବର ମଧ୍ୟ ପ୍ରଦାନ କରାଯାଇଛି।

The post ଭିସୁଟ୍‌ରେ ସଂକ୍ରମଣ ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ସତର୍କ ଘଣ୍ଟି first appeared on Sambad.



from କରୋନା – Sambad https://ift.tt/37U68Un