
ନୂଆଦିଲ୍ଲୀ: ସୋମବାର ସକାଳେ ନୂଆଦିଲ୍ଲୀର ‘ଏମ୍ସ୍’ରେ କରୋନାଭାଇରସ୍ ଟିକା ନେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ନର୍ସ ପି. ନିବେଦିତାଙ୍କୁ କହିଲେ, ଟିକା ଦେଲ ଅଥଚ ଜଣାପଡ଼ିଲାନି।
ଟିକା ନେବା ନିମନ୍ତେ ‘ଏମ୍ସ୍’କୁ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାନ୍ଧରେ ଥିଲା ଆସାମର ଗାମୁଛା। କେରଳ ଓ ପୁଡୁଚେରୀର ନର୍ସ ରୋସାମ୍ମା ଅନୀଲ ଏବଂ ପି. ନିବେଦିତା ତାଙ୍କୁ ଟିକା ଫୋଡ଼ିଥିଲେ। ଉଲ୍ଲେଖଯୋଗ୍ୟ, ବିଧାନସଭା ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରେ ଆସାମ, କେରଳ ଓ ପୁଡୁଚେରୀ ରହିଛି।
ଆଜି ସ୍ୱଦେଶୀ ଟିକା ‘କୋଭାକ୍ସିନ୍’ ନେବା ପରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଲେଖିଥିଲେ, ‘ଏମ୍ସ୍’ରେ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଲି। କୋଭିଡ୍-୧୯ ବିରୋଧରେ ବୈଶ୍ୱିକ ସଂଗ୍ରାମକୁ ସୁଦୃଢ଼ କରିବାରେ ଆମ ଡାକ୍ତର ଓ ବୈଜ୍ଞାନିକମାନେ ଯେଭଳି ଦ୍ରୁତ ବେଗରେ କାର୍ଯ୍ୟ କଲେ ତାହା ଉଲ୍ଲେଖନୀୟ। ଯୋଗ୍ୟ ବିବେଚିତମାନଙ୍କୁ ଟିକା ନେବା ଲାଗି ମୋର ନିବେଦନ। ଚାଲନ୍ତୁ, ସଭିଏଁ ମିଶି ଭାରତକୁ କୋଭିଡ୍-୧୯ ମୁକ୍ତ କରିବା!
‘ଏମ୍ସ୍’ରେ ତିନି ବର୍ଷ ହେବ କାର୍ଯ୍ୟରତ ନର୍ସ ପି. ନିବେଦିତା କହନ୍ତି, ପ୍ରଧାନମନ୍ତ୍ରୀ ଟିକା ନେବା ପାଇଁ ଆସୁଥିବା କଥା ଆଜି ସକାଳେ ଶୁଣିଲି। ମୁଁ ଟିକାଦାନ କେନ୍ଦ୍ରରେ ନିଯୁକ୍ତ ହୋଇଥିବାରୁ ମତେ ଡାକରା ଆସିଲା। ଆମେ ଜାଣିଲୁ ଯେ, ଆଜି ପ୍ରଧାନମନ୍ତ୍ରୀ ମହାଶୟ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ମହାଶୟଙ୍କୁ ଭେଟିବା କେଡ଼େ ବଡ଼ କଥା। ଆମେ କେଉଁ ଅଞ୍ଚଳର ବାସିନ୍ଦା ବୋଲି ପ୍ରଧାନମନ୍ତ୍ରୀ ପଚାରିବା ସହ ଆମ ସହ ଆଳାପ ଆଲୋଚନା କଲେ।
କେରଳୀ ନର୍ସ ରୋସାମ୍ମା ଅନୀଲ ହସି ହସି କହିଲେ, ଖୁବ୍ ଆଚମ୍ବିତ ଲାଗିଲା। କି ସୁନ୍ଦର କଥା। ସାର୍ (ପ୍ରଧାନମନ୍ତ୍ରୀ) ମଧ୍ୟ ଆତ୍ମୀୟଙ୍କ ଭଳି ଆଚରଣ କଲେ।
୨୮ ଦିନ ପରେ ପ୍ରଧାନମନ୍ତ୍ରୀ ‘କୋଭାକ୍ସିନ୍’ର ଦ୍ୱିତୀୟ ଡୋଜ୍ ନେବେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟିକା ଦିଆଯିବା ପରେ ଆଜି ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍-୧୯ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ। ଏହି ଅଭିଯାନରେ ୬୦ରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ବିଭିନ୍ନ ଶାରୀରିକ ସମସ୍ୟା ଥିବା ୪୫ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନେ ଟିକା ନେଉଛନ୍ତି।
The post ‘କୋଭାକ୍ସିନ୍’ ନେବା ପରେ ପ୍ରଧାନମନ୍ତ୍ରୀ ନର୍ସଙ୍କୁ କହିଲେ: ଟିକା ଦେଲ ଅଥଚ ଜଣାପଡ଼ିଲାନି first appeared on Sambad.
from କରୋନା – Sambad https://ift.tt/3dXin6u
0 Comments