
ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସମୟରେ ରିଲିଫ୍ ଯୋଗାଇବାକୁ ଗଠିତ ‘ପିଏ୍ମ୍-କେୟାର୍ସ ଫଣ୍ଡ୍’ ପ୍ରଥମ ପର୍ଯ୍ୟାୟ କୋଭିଡ୍-୧୯ ଟିକାକରଣ ଅଭିଯାନ ନିମନ୍ତେ ୨,୨୦୦ କୋଟି ଟଙ୍କା ଅନୁଦାନ ଦେଇଥିବା କଥା ମଙ୍ଗଳବାର ଦିନ ‘ଏକ୍ସପେଣ୍ଡିଚର୍ ସେକ୍ରେଟେରି’ କହିଛନ୍ତି।
ବ୍ୟକ୍ତିବିଶେଷ ଏବଂ କର୍ପୋରେଟ୍ମାନଙ୍କ ସ୍ୱେଚ୍ଛାକୃତ ଦାନରୁ ମାର୍ଚ ୨୦୨୦ରେ ଗଠିତ ‘ପିଏମ୍-କେୟାର୍ସ ଫଣ୍ଡ୍’ ଠିକ୍ କେତେ ଟଙ୍କା ସଂଗ୍ରହ କରିଛି ତାହା ଜଣାପଡ଼ିନାହିଁ। କିନ୍ତୁ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟଦ୍ୱାରା ପରିଚାଳିତ ଏହି ‘କର୍ପସ୍’ ମହାମାରୀ ପ୍ରଭାବିତ କ୍ଷେତ୍ରକୁ ରିଲିଫ୍ ଯୋଗାଇ ଚାଲିଛି।
ଏକ ସମ୍ବାଦ ସରବରାହ ସଂସ୍ଥାନ ସହ ସାକ୍ଷାତ୍କାର ସମୟରେ ‘ଏକ୍ସପେଣ୍ଡିଚର୍ ସେକ୍ରେଟେରି’ ଟିଭି ସୋମନାଥନ୍ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ କୋଭିଡ୍ ବିରୋଧୀ ସଂଗ୍ରାମରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ କର୍ମଚାରୀ ଏବଂ ସ୍ୱାସ୍ଥ୍ୟସେବା କର୍ମୀମାନଙ୍କ ଟିକାକରଣ ନିମନ୍ତେ ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଛନ୍ତି। ସେଥିପାଇଁ ‘ପିଏମ୍-କେୟାର୍ସ ଫଣ୍ଡ୍’ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ଅର୍ଥ ଆସୁଛି।
ସେ ଆହୁରି ମଧ୍ୟ କହିଛନ୍ତି, ଜାନୁଆରିରୁ ମାର୍ଚ ପର୍ଯ୍ୟନ୍ତ ଟିକାକରଣ ବ୍ୟୟ ପ୍ରାୟ ୨,୭୦୦ କୋଟି ହେବ ବୋଲି ଅନୁମାନ କରାଯାଉଛି। ଏହାର କିଛି ଅଂଶ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଆଉ କିଛି ଅଂଶ ‘ପିଏମ୍ କେୟାର୍ସ ଫଣ୍ଡ୍’ରୁ ଆସୁଛି। ପ୍ରଥମ ପର୍ଯ୍ୟାୟର ପ୍ରାୟ ୩ କୋଟି କୋଭିଡ୍ ବିରୋଧୀ ସଂଗ୍ରାମରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ କର୍ମଚାରୀ ଓ ସ୍ୱାସ୍ଥ୍ୟ ସେବାକାରୀଙ୍କ ପାଇଁ ଏହା କରାଯାଉଛି। ଏହି ପର୍ଯ୍ୟାୟର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ।
ଟିକାକରଣ ବ୍ୟବସ୍ଥାକୁ ଚାହିଁ ଆମେ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଅତିରିକ୍ତ ପାଣ୍ଠି ଯୋଗାଇ ଦେଇଥିଲୁ। ୩ କୋଟି ଟିକାକରଣ ନିମନ୍ତେ ଆମେ ଅତିରିକ୍ତ ୪୮୦ କୋଟି ଟଙ୍କା ମଞ୍ଜୁର କରିଛୁ। ବାକି ୨,୨୨୦ କୋଟି ଟଙ୍କା ‘ପିଏମ୍-କେୟାର୍ସ ଫଣ୍ଡ୍’ରୁ ଆସିବ।
ସୂଚନାଯୋଗ୍ୟ, ୨୦୨୧ ଏପ୍ରିଲ୍ରୁ ଆରମ୍ଭ ହେଉଥିବା ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, କୋଭିଡ୍-୧୯ ଟିକାକରଣ ନିମନ୍ତେ ୩୫, ୦୦୦ କୋଟି ଟଙ୍କା ମଞ୍ଜୁର ହୋଇଛି।
The post ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣର ୮୦% ଖର୍ଚ୍ଚ ବହନ କରିବ ‘ପିଏମ୍-କେୟାର୍ସ ଫଣ୍ଡ୍’ first appeared on Sambad.
from କରୋନା – Sambad https://ift.tt/2MwsFz5
0 Comments