ଆମେରିକାର କୋଭିଡ୍‌ ଦୁର୍ଦ୍ଦିନ ହଟିବା ଉପରେ! ଜାନୁଆରିରେ ୯୫ ହଜାର ମୃତ

ଓ୍ୱାସିଂଟନ : ଆମେରିକାରେ ଦୀର୍ଘ ଦିନ ଧରି ଛାଇ ରହିଥିବା ମହାମାରୀ କୋଭିଡ୍‌ଜନିତ ଦୁର୍ଦ୍ଦିନ ସ୍ଥିତିରେ ସାମାନ୍ୟ ସୁଧାର ପରିଲକ୍ଷିତ ହେବା ସହ ଦେଶବାସୀଙ୍କ ପାଇଁ ସୁଦିନ ଫେରିବାର ସଂକେତ ମିଳିଛି। ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମି ଆସିବା ସହ ଡାକ୍ତରଖାନାମାନଙ୍କରେ ସର୍ବସାଧାରଣଙ୍କ ପାଇଁ ଆଶୁ ଚିକିତ୍ସା ଉପଲବ୍ଧ ହେବା ଓ ଦେଶର କୋଣ ଅନୁକୋଣରେ ଟିକାକରଣ ଦ୍ରୁତ ବେଗରେ ଜାରି ରହିବା ଏହାର ଶୁଭ ସୂଚନା ବୋଲି କୁହାଯାଉଛି। ତେବେ ଦ୍ରୁତ ସଂକ୍ରମଣଶୀଳ ନୂତନ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁର ମୁକାବିଲା ଦେଶ କିପରି କରିପାରୁଛି, ତାହା ଉପରେ ହିଁ ସବୁ ନିର୍ଭର କରୁଛି।

ଆମେରିକାରେ କେବଳ ଜାନୁଆରି ମାସରେ ୯୫ ହଜାର କୋଭିଡ୍‌ ମୃତକଙ୍କୁ ମିଶାଇ ଦେଶ ଏହି ମହାମାରୀରେ ମୋଟ ୪ ଲକ୍ଷ ୪୦ ହଜାରରୁ ଅଧିକ ଜୀବନ ହରାଇ ସାରିଛି। ଅପରପକ୍ଷେ, ବ୍ରିଟେନ୍‌, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ୍‌ରେ ଆବିର୍ଭୂତ ନୂତନ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଏବେ ଆମେରିକୀୟମାନଙ୍କ ଠାରେ ମଧ୍ୟ ଦେଖିବାକୁ ମିଳିଛି। ତେବେ ଫେବ୍ରୁଆରି ପ୍ରଥମ ଦିବସରେ ହିଁ ପ୍ରଥମ ଥର ପାଇଁ ଦେଶରେ ମୋଟ ଏକ ଲକ୍ଷରୁ କମ୍‌ ସଂକ୍ରମିତ ଚିକିତ୍ସିତ ହେଉଥିବା ଖବର ଆଶ୍ବସ୍ତି ଆଣିଦେଇଛି। ଅବଶ୍ୟ ଏଥିପାଇଁ ଦ୍ରୁତ ଟିକାକରଣର ପ୍ରମୁଖ ଭୂମିକା ଥିଲେ ହେଁ ତାହା ଏକମାତ୍ର କାରଣ ନୁହେଁ ବୋଲି ଖ୍ୟାତନାମା ମହାମାରୀ ବିଶେଷଜ୍ଞ ଡା. ଫିଲିପ୍‌ ଲାଣ୍ଡ୍ରିଗାନ୍‌ କହିଛନ୍ତି।

The post ଆମେରିକାର କୋଭିଡ୍‌ ଦୁର୍ଦ୍ଦିନ ହଟିବା ଉପରେ! ଜାନୁଆରିରେ ୯୫ ହଜାର ମୃତ first appeared on Sambad.



from କରୋନା – Sambad https://ift.tt/3cBAEFO

Post a Comment

0 Comments