
ଖୁବ୍ଶୀଘ୍ର ଆନୁଷ୍ଠାନିକ ରିପୋର୍ଟ ଆସିବ
କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକାର ପ୍ରସ୍ତାବ
ବେଜିଂ : ମହାମାରୀ କୋଭିଡ୍-୧୯ର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ପ୍ରମାଣ ଖୋଜିବାକୁ ଚୀନ୍ ଗସ୍ତରେ ଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ବିଶେଷଜ୍ଞ ଦଳଙ୍କୁ ଅନେକ ବଳିଷ୍ଠ ପ୍ରମାଣ ମିଳିଛି। ଉହାନରେ ହିଁ କରୋନା ଭାଇରସ୍ ସୃଷ୍ଟି ହୋଇଥିଲା ଏବଂ ସେଠାରୁ ସମଗ୍ର ବିଶ୍ବକୁ ଏହି ମହାମାରୀ ବ୍ୟାପିଥିଲା ବୋଲି ବରିଷ୍ଠ ବୈଜ୍ଞାନିକମାନେ ସ୍ପଷ୍ଟ କରିଥିବା ସିଏନ୍ଏନ୍ ଦାବି କରିଛି। ଖୁବ୍ଶୀଘ୍ର ଏ ବାବଦରେ ‘ହୁ’ ଆନୁଷ୍ଠାନିକ ରିପୋର୍ଟ ପ୍ରକାଶ କରିବ ଏବଂ ଏହା ଚୀନ୍ର ମୁଖା ଖୋଲିଦେବ ବୋଲି କୁହାଯାଇଛି। ‘ହୁ’ ଟିମ୍ର ମୁଖ୍ୟ ତଦନ୍ତକାରୀ ପିଟର୍ ବେନ୍ ଏମ୍ବାର୍କ ଏକ ସାକ୍ଷାତକାରରେ କହିଛନ୍ତି ଯେ ଉହାନରେ ହିଁ କରୋନା ଭାଇରସ୍ ବ୍ୟାପକ ଭାବେ ପ୍ରଥମେ ବ୍ୟାପିଥିଲା ଏବଂ କର୍ତ୍ତୃପକ୍ଷ ଏହାକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇନଥିଲେ। ୨୦୧୯ରେ ଏହି ଭାଇରସ୍ ବ୍ୟାପିବା ପରେ ଡାକ୍ତରମାନେ ଜାରି କରିଥିବା ଚେତାବନୀକୁ ମଧ୍ୟ କର୍ତ୍ତୃପକ୍ଷ ଅଣଦେଖା କରିବାରୁ ସମଗ୍ର ବିଶ୍ବ ସଙ୍କଟରେ ପଡ଼ିଲା ବୋଲି ସେ କହିଛନ୍ତି। ‘ହୁ’ ତଦନ୍ତକାରୀ ଦଳ ଉହାନରେ ପ୍ରଥମେ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ଭେଟିଛନ୍ତି ଏବଂ ତାଙ୍କଠାରୁ ହାସଲ କରିଥିବା ତଥ୍ୟ ଆଧାରରେ ଆଉ ୧ ହଜାର ଲୋକଙ୍କ ଟେଷ୍ଟ୍ ରିପୋର୍ଟ ଦେବାପାଇଁ ଚୀନ୍ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଚୀନ୍ ହୁ ଟିମ୍କୁ ତଦନ୍ତରେ ଅସହଯୋଗ କରିବା ସତ୍ତ୍ବେ ସତ୍ୟ ସାମ୍ନାକୁ ଆସିଛି ବୋଲି ଆମେରିକା କହିଛି। ‘ହୁ’ର ତଦନ୍ତ ଆଧାରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ପ୍ରସ୍ତାବ ଦେଇଛି। କରୋନା ଭାଇରସ୍ ନିୟନ୍ତ୍ରଣ କ୍ଷେତ୍ରରେ ଚୀନ୍ର କାର୍ଯ୍ୟ ଆରମ୍ଭରୁ ସନ୍ଦେହଜନକ ଥିଲା ବୋଲି ଆମେରିକା କହିଛି। ଉହାନରେ ସଂକ୍ରମଣ ଆରମ୍ଭ ହେବା ବାବଦରେ ପ୍ରାଥମିକ ତଥ୍ୟ ହସ୍ତାନ୍ତର କରିବାକୁ ଚୀନ୍ କର୍ତ୍ତୃପକ୍ଷ ମନା କରିବା ସତ୍ତ୍ବେ ‘ହୁ’ ଟିମ୍ ପ୍ରଥମ ପର୍ଯ୍ୟାୟ ସଂକ୍ରମଣର ବୈଜ୍ଞାନିକ ଅନୁଶୀଳନ କରି ବହୁତ ତଥ୍ୟ ହାସଲ କରିଛନ୍ତି। ‘ହୁ’ ଦଳର ଅନ୍ୟତମ ବିଶେଷଜ୍ଞ ତଥା ଅଷ୍ଟ୍ରେଲୀୟ ଗବେଷକ ଡମିନିକ୍ ଡାୟାର କହିଛନ୍ତି ଯେ ଡିସେମ୍ବର ୨୦୧୯ରୁ ଉହାନରେ କରୋନା ଭାଇରସ ଚିହ୍ନଟ ହୋଇଥିଲେ ମଧ୍ୟ ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ତତ୍ପରତା ଦେଖାଇ ନଥିଲା। ଚୀନ କର୍ତ୍ତୃପକ୍ଷ ପୀଡ଼ିତମାନଙ୍କ ସମ୍ପର୍କରେ ଉପରଠାଉରିଆ ତଥ୍ୟ ଦେବାରୁ ସମସ୍ୟା ବଢ଼ିଥିଲା। ଏବେ କରୋନା ମହାମାରୀ ବିଶ୍ବରେ ୨୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଲାଣି ଏବଂ ଅଧିକାଂଶ ରାଷ୍ଟ୍ର ଏହି ମହାମାରୀ ବ୍ୟାପିବା ପାଇଁ ଚୀନ୍କୁ ଦାୟୀ କରୁଛନ୍ତି।
The post ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ପ୍ରମାଣ ମିଳିଲା : ଉହାନରୁ ହିଁ ବ୍ୟାପିଥିଲା କରୋନାଭାଇରସ୍ first appeared on Sambad.
from କରୋନା – Sambad https://ift.tt/37hfXvl
0 Comments