
ନୂଆଦିଲ୍ଲୀ : ଦେଶରେ ସମ୍ପ୍ରତି ଚିକିତ୍ସାଧୀନ ଥିବା କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୧.୫୧ ଲକ୍ଷକୁ କମି ଆସିଥିବା ବେଳେ ଦେଶବ୍ୟାପୀ ଜାରି ରହିଥିବା କୋଭିଡ୍ ଟିକାକରଣ ପ୍ରକ୍ରିୟାରେ ୫୦ ଲକ୍ଷ ହିତାଧିକାରୀଙ୍କୁ ଟିକା ପ୍ରଦାନ କରାସରିଛି ବୋଲି ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାରୁ ଜଣାଯାଇଛି। ସେମାନଙ୍କ ଭିତରୁ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୬୧ ପ୍ରତିଶତ ହିତାଧିକାରୀ ରହିଛନ୍ତି। ସେହିପରି ଦେଶରେ ଦୈନିକ ଦେଖାଦେଉଥିବା ଆକ୍ରାନ୍ତଙ୍କ ସଂଖ୍ୟାରେ କ୍ରମାନ୍ବୟ ହ୍ରାସ ଘଟି ଚାଲିଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ମାତ୍ର ୧୨,୪୦୮ ଜଣ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।
ଅପରପକ୍ଷେ, ଏହି ଅବଧି ଭିତରେ ଦେଶରେ ୧୫,୮୫୩ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ୧,୦୪,୯୬,୩୦୮ ଜଣ ଆରୋଗ୍ୟ ଲାଭ କରି ସାରିଛନ୍ତି। ସେଥିରୁ ମାତ୍ର ୬ଟି ରାଜ୍ୟରେ ୮୫.୦୬ ପ୍ରତିଶତ ସୁସ୍ଥ ହୋଇଥିବା ବେଳେ କେରଳରେ ସର୍ବାଧିକ ୬,୩୪୧ ଜଣ ଓ ତାହା ପଛକୁ ମହାରାଷ୍ଟ୍ରରେ ୫,୩୩୯ ଜଣ ରହିଛନ୍ତି। ଲୋକସଂଖ୍ୟା ହିସାବରେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତି ଦଶଲକ୍ଷରେ ୭,୮୨୮ ରହିଛି ଯାହାକି ବିଶ୍ବର ଯେ କୌଣସି ରାଷ୍ଟ୍ର ଅପେକ୍ଷା ନ୍ୟୂନତର। ସେହିପରି ଭାରତରେ ମୋଟ ସଂକ୍ରମିତଙ୍କ ତୁଳନାରେ ଚିକିତ୍ସାଧୀନ ଥିବା ସଂଖ୍ୟା ମାତ୍ର ୧.୪ ପ୍ରତିଶତ ରହିଛି ଯାହା କି ମଧ୍ୟ ବିଶ୍ବରେ ସର୍ବନିମ୍ନ।
The post ଦେଶରେ ୫୦ ଲକ୍ଷ ହିତାଧିକାରୀ ଟିକା ନେଇ ସାରିଲେଣି first appeared on Sambad.
from କରୋନା – Sambad https://ift.tt/3aC1oDi
0 Comments