ନୂଆଦିଲ୍ଲୀ: କୋଭିଡ୍‌-୧୯ ଟିକା ପଠାଇଥିବାରୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଶନିବାର ଦିନ ବ୍ରାଜିଲ୍‌ର ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋ ଧନ୍ୟବାଦ ଜଣାଇଛନ୍ତି। ଏଥସହ ହିନ୍ଦୁ ଦେବତା ହନୁମାନ ଭାରତରୁ ଟିକା ନେଇ ବ୍ରାଜିଲ୍‌କୁ ଯାଉଥିବା ଏକ ଚିତ୍ର ମଧ୍ୟ ବୋଲ୍‌ସୋନାରୋ ଟୁଇଟ୍‌ରେ ପୋଷ୍ଟ୍‍ କରିଛନ୍ତି।

ମହାକାବ୍ୟ ରାମାୟଣରୁ ବ୍ରାଜିଲ୍‌ ରାଷ୍ଟ୍ରପତି ଏହି ଚିନ୍ତାଧାରା ଗୃହୀତ କରିଛନ୍ତି। ରାମାନୁଜ ଲକ୍ଷ୍ମଣଙ୍କ ଜୀବନ ରକ୍ଷା ନିମନ୍ତେ ‘ଜୀବନ ରକ୍ଷାକାରୀ’ ‘ସଞ୍ଜିବନୀ ଗୁଳ୍ମ’ ଥିବା ଗନ୍ଧମାର୍ଦ୍ଦନ ପବର୍ତ ଉତ୍ପାଟନ କରି ଆଣିଥିବା କଥା ରାମାୟଣରେ ବର୍ଣ୍ଣିତ ହୋଇଛି। ସେ ଲେଖିଛନ୍ତି, ‘ନମସ୍କାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ! ମିଳିତ ଉଦ୍ୟମ ବଳରେ ଏକ ବୈଶ୍ୱିକ ବାଧା ଅତିକ୍ରମ କରିବା ନିମନ୍ତେ ମହାନ୍‌ ସହଯୋଗୀ ପାଇ ବ୍ରାଜିଲ୍‌ ଗୌରବାନ୍ଵିତ ମନେକରୁଛି। ଭାରତରୁ ବ୍ରାଜିଲ୍‌କୁ ଟିକା ରପ୍ତାନି କରି ଆମକୁ ସାହାଯ୍ୟ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ଧନ୍ୟବାଦ!

ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି କହିଛନ୍ତି, ମିଳିତ ଭାବେ ମହାମାରୀ ବିପକ୍ଷରେ ସଂଗ୍ରାମ ପାଇଁ ବ୍ରାଜିଲ୍‌ ଭଳି ବିଶ୍ୱସ୍ତ ସହଯୋଗୀ ପାଇ ଭାରତ ଧନ୍ୟ ହୋଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆମେ ଆମର ସହଯୋଗ ସୁଦୃଢ଼ କରି ଚାଲିବା।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଭାରତ ବ୍ରାଜିଲ୍‌କୁ ଦୁଇ ନିୟୁତ ଡୋଜ୍‌ ‘କୋଭିସିଲ୍‌ଡ୍‌’ ଟିକା ପଠାଇଛି। ଅକ୍‌ସ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକାଦ୍ୱାରା ବିକଶିତ ‘କୋଭିସିଲ୍‌ଡ୍‌’ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ଦ୍ୱାରା ନିର୍ମିତ। ଜାନୁଆରି ୮ ତାରିଖ ଦିନ ରାଷ୍ଟ୍ରପତି ବୋଲ୍‌ସୋନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିବା ପରେ ବ୍ରାଜିଲ୍‌ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ନୂଆଦିଲ୍ଲୀସ୍ଥିତ ଦୂତାବାସ ମାଧ୍ୟମରେ ଟିକା ପରିବହନ ନିମନ୍ତେ ଭାରତ ସରକାର ଓ ’ଏସ୍‌ଆଇଆଇ’ ମିଶି ଆବଶ୍ୟକ ବ୍ୟବସ୍ଥା କରିଥିଲା।

The post ହନୁମାନଙ୍କ ଫଟୋ ସେୟାର୍‌ କରି କୋଭିଡ୍‌ ଟିକା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କଲେ ବ୍ରାଜିଲ୍‌ ରାଷ୍ଟ୍ରପତି ଜାଇର୍‌ ବୋଲସୋନାରୋ first appeared on Sambad.



from କରୋନା – Sambad https://ift.tt/362JU1C