କଟକ : ଏସ୍‌ସିବିରେ ଖୋଲି ଦିଆଗଲା କରୋନା ଟିକା(କୋଭିସିଲଡ୍‌)ର ପ୍ୟାକେଟ୍‌। ଟିକାକରଣ କାର୍ଯ୍ୟକ୍ରମ ପୂର୍ବରୁ ଓପିଡିରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ପ୍ୟାକେଟ୍‌ ଖୋଲି ଟିକା ଧରି ଏହାର ଫଟୋ ଉଠାଇଥିବା କୁହାଯାଉଛି। ଉଠାଇଥିବା ଫଟୋକୁ ସେ ଗ୍ରୁପ୍‌ରେ ବି ସେୟାର କରିଥିଲେ। ତାଙ୍କ ସହିତ ମେଡିକାଲ ୩ ଜଣ କର୍ମଚାରୀ ମଧ୍ୟ ଫଟୋ ଉଠାଇଛନ୍ତି। ଟିକାକରଣ କାର୍ଯ୍ୟକ୍ରମ ପୂର୍ବରୁ କିପରି ଏଭଳି ଟିକା ସହ ଫଟୋ ଉଠାଇଲେ ଓ ଏହାକୁ ସେୟାର କରିଲେ, ତାହାକୁ ନେଇ ଆରମ୍ଭ ହୋଇଛି ତନାଘନା।

ସୂଚନାଯୋଗ୍ୟ, ଶନିବାର ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବା ପରେ ସାରାଭାରତରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ବି ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ସହ କଥା ହୋଇ ଭଲମନ୍ଦ ବୁଝିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହା ପୂର୍ବରୁ ଏସ୍‌ସିବି ଭଳି ରାଜ୍ୟର ପ୍ରମୁଖ ମେଡିକାଲ କଲେଜ ଓ ହସ୍ପିଟାଲରେ ଟିକା ପ୍ୟାକେଟ୍‌ ଖୋଲାଯାଇ ଫଟୋ ଉଠାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କେବଳ ସେତିକି ନୁହେଁ, ଉକ୍ତ ଫଟୋ ଭାଇରାଲ ହୋଇ ଭୁବନେଶ୍ବର ପର୍ଯ୍ୟନ୍ତ କଥା ବି ଯାଇଛି। ଆଜି ଦିନ ୧୦ଟାରେ ଏସ୍‌ସିବି ଓପିଡିରେ ଟିକା ପହଞ୍ଚିବା ପରେ ଏହି ଘଟଣା ଘଟିଥିବା କୁହାଯାଉଛି। ତେବେ, ପ୍ୟାକେଟ୍ ଖୋଲି ଟିକା ସହ ଫଟୋ ଉଠଇବା ଘଟଣାକୁ ନେଇ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଏ ସଂପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସଙ୍କୁ ଯୋଗାଯୋଗ କରିବାରୁ ସେ ଏହି ଘଟଣା ସଂପର୍କରେ କିଛି ଜାଣି ନଥିବା କହିଛନ୍ତି।

The post କରୋନା ଟିକା ସହ ଫଟୋ ଉଠାଇଲେ ଡାକ୍ତର, ଭ‌ାଇରାଲ ହେଲା ଫଟୋ, ସ୍ବାସ୍ଥ୍ୟ ବିଭାଗର ତନାଘନା first appeared on Sambad.



from କରୋନା – Sambad https://ift.tt/39CPxEp