ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶିଶୁଙ୍କ ପାଇଁ କୋଭିଡ୍‌ ଟିକା ଉପଲବ୍‌ଧ ହୋଇପାରିବ ବୋଲି କୋଭିସିଲ୍‌ଡ ଟିକା ପ୍ରସ୍ତୁତ କରୁଥିବା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଗ୍ରୁପ୍‌ ଏକ୍ସିମ୍‌ ନିର୍ଦ୍ଦେଶକ ପି ସି ନାମ୍ବିଆର କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଯଦି ଶିଶୁମାନେ କୋଭିଡ୍‌ ପଜିଟିଭ୍‌ ବୋଲି ଜଣାପଡ଼ନ୍ତି, ତେବେ ସଂପୃକ୍ତ ଟିକାରୁ ଏକ ବଟିକା ମଧ୍ୟ ବିକଶିତ କରାଯାଇପାରିବ। ସେହିପରି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଚଳିତ ବର୍ଷ ଶେଷ ସୁଦ୍ଧା ବ୍ୟବହାର ଉପଯୋଗୀ ଆଉ ଚାରି ପ୍ରକାର କୋଭିଡ୍‌ ଟିକା ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି। ନୋଭାଭାକ୍ସ ଟିକାର ନୈଦାନିକ ପରୀକ୍ଷଣ ଦ୍ରୁତ ବେଗରେ ଚାଲିଛି ଏବଂ ତାହା ଆଗାମୀ ଜୁନ୍‌ ସୁଦ୍ଧା ବ୍ୟବହାରଯୋଗ୍ୟ ହୋଇପାରିବ।

ସେହିପରି ଶିଶୁମାନଙ୍କ ପାଇଁ ଉପଯୁକ୍ତ ଟିକା ଅକ୍ଟୋବର ବେଳକୁ ମିଳିପାରିବ ଏବଂ କୋଡ଼ାଜେନିକ୍ସ କମ୍ପାନି ସହଭାଗିତାରେ ଚାଲିଥିବା କୋଭି-ଭାକ୍‌ ଟିକାର ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଶେଷ ହେବା ଉପରେ ବୋଲି ସେ କହିଛନ୍ତି। ଅପରପକ୍ଷେ, କୋଭିସିଲ୍‌ଡ ଟିକାର ସମ୍ପ୍ରତି ୧୦ କୋଟି ମାତ୍ରା ମାସକୁ ପ୍ରସ୍ତୁତ ହେଉଥିବା ବେଳେ ଭାରତ ସରକାରଙ୍କ ଆବଶ୍ୟକତା ଦୃଷ୍ଟିରୁ ଆସନ୍ତା ଏପ୍ରିଲରୁ ମାସକୁ ଉକ୍ତ ଟିକାର ୨୦ କୋଟି ମାତ୍ରା ପ୍ରସ୍ତୁତ ହେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଏହି ଟିକାର ଖୋଲାବଜାର ବିକ୍ରି ସରକାରଙ୍କ ଉପରେ ନିର୍ଭର କରେ ଏବଂ ତାଙ୍କ କମ୍ପାନି ଟିକାର କଳାବଜାର ରୋକିବା ପାଇଁ ପ୍ରୟାସ ଜାରି ରଖିବ ବୋଲି ନାମ୍ବିଆର କହିଛନ୍ତି।

The post ଅକ୍ଟୋବର ସୁଦ୍ଧା ଶିଶୁମାନଙ୍କ ପାଇଁ କୋଭିଡ୍‌ ଟିକା first appeared on Sambad.



from କରୋନା – Sambad https://ift.tt/39BUeQ0