ନୂଆଦିଲ୍ଲୀ: କୋଭିଡ୍‌-୧୯ କଟକଣାଗୁଡ଼ିକୁ ଧ୍ୟାନରେ ରଖି ଏବର୍ଷ ସଂକ୍ଷିପ୍ତ ଆକାରରେ ଆୟୋଜନ ହେବାକୁ ଥିବା ସାଧାରଣତନ୍ତ୍ର ଦିବସରେ କୌଣସି ଉଚ୍ଚପଦଧାରୀ ବିଦେଶୀଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯିବ ନାହିଁ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ଏ ବର୍ଷର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବାଲାଗି ପୂର୍ବରୁ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ସ୍‌ଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ, ଗୁଣସୂତ୍ର ପରିବର୍ତ୍ତିତ କରୋନାଭାଇରସ୍‌ ବିସ୍ତାର ଯୋଗୁଁ ସମ୍ପ୍ରତି ଇଂଲଣ୍ଡ୍‌ରେ ତୃତୀୟ ଥର ଲାଗି ଲକ୍‌ଡାଉନ୍‌ ଘୋଷଣା ହେଉଥିବାରୁ ସେ ଭାରତଗସ୍ତ ବାତିଲ କରିଛନ୍ତି।

ଯୋଜନା ଅନୁସାରେ ଏ ମାସର ଶେଷ ଭାଗରେ ଭାରତ ଗସ୍ତ କରି ପାରୁ ନାହାନ୍ତି ବୋଲି ଜନ୍‌ସନ୍‌ ଫୋନ୍‌ ଯୋଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିବା ସହ ଦୁଃଖ ପ୍ରକାଶ କରିଛନ୍ତି।

Image Courtesy of Mint

୧୦ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ରୁ ଜାରି ଏକ ବିବୃତିରେ କୁହାଯାଇଛି, ଗତରାତିରେ ଘୋଷିତ ଜାତୀୟ ଲକ୍‌ଡାଉନ୍‌ ଏବଂ ନୂତନ ପ୍ରଜାତିର କରୋନାଭାଇରସ୍‌ ଯେଉଁ ବେଗରେ ବିସ୍ତାରିତ ହେଉଛି, ସେଥିପ୍ରତି ଦୃଷ୍ଟି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଇଂଲଣ୍ଡ୍‌ରେ ରହିବା ତାଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ। ଫଳରେ ଭୂତାଣୁ ଦମନ ନିମନ୍ତେ ଆବଶ୍ୟକ ମୁକାବିଲା ପ୍ରତି ସେ ଧ୍ୟାନ ଦେଇପାରିବେ।

ଇଂଲଣ୍ଡ୍‌ରେ ଉପୁଜିଥିବା ଅସ୍ୱାଭାବିକ ପରିସ୍ଥିତିକୁ ହୃଦୟଙ୍ଗମ କରିବା ସହ ଯଥାଶୀଘ୍ର ମହାମାରୀ ବିସ୍ତାର ନିୟନ୍ତ୍ରଣ କାମନା କରି ପ୍ରଧାନମନ୍ତ୍ରୀ ମୋଦୀ ଜନ୍‌ସନ୍‌ଙ୍କୁ ବାର୍ତ୍ତା ପ୍ରେରଣ କରିଛନ୍ତି ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ଏକ ପ୍ରେସ୍‌ ବିବୃତିରୁ ଜଣାପଡ଼ିଛି।

The post ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମକୁ କୌଣସି ଉଚ୍ଚପଦଧାରୀ ବିଦେଶୀଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯିବ ନାହିଁ first appeared on Sambad.



from କରୋନା – Sambad https://ift.tt/3rY0c56