
ନୂଆଦିଲ୍ଲୀ: ଆଉ ୧୩ଜଣ ଇଂଲଣ୍ଡ୍ ଫେରନ୍ତା ପଜିଟିଭ୍ ଚିହ୍ନଟ ହେବା ପରେ ବ୍ରିଟେନ୍ ପରିବର୍ତ୍ତିତ କରୋନାଭାଇରସ୍ ପ୍ରଜାତିଦ୍ୱାରା ଆକ୍ରାନ୍ତ ସମୁଦାୟ ଭାରତୀୟଙ୍କ ସଂଖ୍ୟା ସମ୍ପ୍ରତି ୭୧ରେ ପହଞ୍ଚିଥିବା କଥା କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ଭୂତାଣୁରେ ହେଉଥିବା ଗୁଣସୂତ୍ରୀୟ ପରିବର୍ତ୍ତନର ଅନୁଶୀଳନ ନିମନ୍ତେ କେନ୍ଦ୍ର ସରକାର ସ୍ଥାପନ କରିଥିବା ‘ଇଣ୍ଡିଆନ୍ ସାର୍ସ-କୋଭ୍-୨ ଜେନୋମିକ୍ସ୍ କନ୍ଷ୍ଟୋରିୟମ୍’ (ଇନ୍ସାକୋଗ୍) ଲାବ୍ରୋଟରିରେ ପରୀକ୍ଷିତ ନମୁନା ଆଧାରରେ ଏହି ଫଳାଫଳ ପ୍ରକାଶିତ ହୋଇଛି।
ମଙ୍ଗଳବାର ଦିନ ଗଣମାଧ୍ୟମକୁ ‘ବାୟୋଟେକ୍ନୋଲୋଜି ବିଭାଗ’ର ସଚିବ ଡାକ୍ତର ରେଣୁ ସ୍ୱରୂପ କହିଛନ୍ତି, ଦେଶରେ ଥିବା ସ୍ୱୀକୃତିପ୍ରାପ୍ତ ପରୀକ୍ଷାଗାରମାନଙ୍କରୁ ଏଯାବତ୍ ସମୁଦାୟ ୭୧ଟି ‘ଇଂଲଣ୍ଡ୍ରେ ପରିବର୍ତ୍ତିତ ନୂଆ ଭୂତାଣୁ’ ଆକ୍ରାନ୍ତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
୭୦% ଅଧିକ ସଂକ୍ରମଣଶୀଳ ବୋଲି କୁହାଯାଉଥିବା ଏହି ଭୂତାଣୁ ସଂକ୍ରମଣ ଦମନ ନିମନ୍ତେ ଅବିଳମ୍ବେ ଏହି ପଜିଟିଭ୍ ମାମଲାଗୁଡ଼ିକର ‘କଣ୍ଟାକ୍ଟ୍ ଟ୍ରେସିଙ୍ଗ୍’, ସଙ୍ଗରୋଧ ଏବଂ ଲକ୍ଷଣଯୁକ୍ତ ବ୍ୟକ୍ତିବିଶେଷଙ୍କର ପରୀକ୍ଷା କରାଇ ନେବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କହିଛନ୍ତି।
ଦେଶରେ ଥିବା ୧୦ଟିରୁ ୬ଟି ସ୍ୱୀକୃତିପ୍ରାପ୍ତ ପରୀକ୍ଷାଗାରରୁ ଉପରୋକ୍ତ ୭୧ଜଣଙ୍କର ନମୁନା ପରୀକ୍ଷା ଫଳାଫଳ ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ସେହି ପରୀକ୍ଷାଗାରଗୁଡ଼ିକ ହେଉଛି ବେଙ୍ଗାଲୁରୁର ‘ଏନ୍ଆଇଏମ୍ଏଚ୍ଏନ୍ଏସ୍’, ହାଇଦ୍ରାବାଦର ‘ସିସିଏମ୍ବି’, ପୁଣେର ‘ଏନ୍ଆଇଭି’, ଦିଲ୍ଲୀର ‘ଆଇଜିଆଇବି’, ନୂଆଦିଲ୍ଲୀର ‘ଏନ୍ସିଡିସି’ ଏବଂ କୋଲ୍କାତାର ‘ଏନ୍ସିବିଜି’।
କିନ୍ତୁ, ବେଙ୍ଗାଲୁରୁର ‘ଏନ୍ସିବିଏସ୍, ଇନ୍ଷ୍ଟେମ୍’, ହାଇଦ୍ରାବାଦର ‘ସିଡିଏଫ୍ଡି’, ଭୁବନେଶ୍ୱରର ‘ଆଇଏଲ୍ଏସ୍’ ଏବଂ ପୁଣେସ୍ଥିତ ‘ଏନ୍ସିସିଏସ୍’ରୁ ଏପର୍ଯ୍ୟନ୍ତ ନୂଆ କରୋନାଭାଇରସ୍ ଷ୍ଟ୍ରେନ୍ ଚିହ୍ନଟ କରାଯାଇନାହିଁ।
The post ଆଉ ୧୩ଜଣ ପଜିଟିଭ୍ ହେବାରୁ ଦେଶରେ ଇଂଲଣ୍ଡ୍ର ନୂଆ କୋଭିଡ୍ ଷ୍ଟ୍ରେନ୍ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଲା first appeared on Sambad.
from କରୋନା – Sambad https://ift.tt/3rSmCop
0 Comments