ଜୟପୁର: ଦୀର୍ଘ ଦିନ ପରେ ଜୟପୁର କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଶୂନ୍ ରେ ପହଚିଂଛି। ଜାନୁଆରି ୧ତାରିଖରୁ ଡାକ୍ତରଖାନାର ରୋଗୀଙ୍କ ସଂଖ୍ୟା ଶୂନ୍ ରହିଥିବା ବେଳେ ଗତ ୯ଦିନ ମଧ୍ୟରେ ବି କେହି ଏଠାରେ ଭର୍ତ୍ତି ହୋଇ ନାହାନ୍ତି। ଏହାରି ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡ.ମକରନ୍ଦ ବେଉରା ଜୟପୁର କୋଭିଡ୍ ହସ୍ପିଟାଲକୁ ସଂପୁର୍ଣ୍ଣ ରୁପେ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଇଛନ୍ତି। ଏହାକୁ ରାଜ୍ୟ ସରକାର ଅନୁମୋଦନ କଲେ ଏହା ବନ୍ଦ ହେବ ବୋଲି କହିଛନ୍ତି ସିଡିଏମଓ ଡ.ବେଉରା। ଅନ୍ୟ ପକ୍ଷରେ ରୋଗୀ ଗତ ମାସରେ କମିବା ପରେ କର୍ମଚାରୀ ବି କମାଇ ଦିଆଯାଇଥିଲା। ଏବେ କେହି ରୋଗୀ ଆଉ ନଥିବାରୁ ଏଠାରେ କାର୍ଯ୍ୟରତ ଥିବା ଚୁକ୍ତିଭିତ୍ତିକ ୫ଜଣ ଆୟୁଷ ଡାକ୍ତର ଓ ୬ଜଣ ଷ୍ଟାଫନର୍ସଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି ବୋଲି କହିଛନ୍ତି ସିଡିଏମଓ ଡ.ବେଉରା। ଗତ ଜାନୁଆରି ୧ତାରିଖରୁ ଜୟପୁର ସହରରେ ବି କେହି ସଂକ୍ରମିତ ଚିହ୍ନଟ ହୋଇ ନଥିବା କହିଛନ୍ତି ସିଡିଏମଓ। କୋରାପୁଟ ମେଡିକାଲ କଲେଜରେ ଥିବା କୋଭିଡ୍ ୱାର୍ଡ ହିଁ ଚାଳିବ, ରୋଗୀ ଚିହ୍ନଟ ହେଲେ ଗୃହ ସଂଗରୋଧରେ ନ ରହିଲେ, କିମ୍ବା ଗୁରୁତର ହେଲେ ଏଠାରେ ଚିକିତ୍ସା କରାଯିବ ବୋଲି ସୂଚନା ଦେଇଛନ୍ତି ସିଡିଏମଓ।

ପ୍ରକାଶଯୋଗ୍ୟ, ଜୟପୁର ପୁରୁଣା ଉପଖଣ୍ଡ ଡାକ୍ତରଖାନାକୁ କୋଭିଡ୍ ହସ୍ପିଟାଲ ଭାବେ ରୁପାନ୍ତରିତ କରାଯାଇଥିଲା। ଜିଲ୍ଲାର ଏକ ମାତ୍ର ଡାକ୍ତରଖାନା ଭାବେ ଏବଂ ସଂକ୍ରମିତଙ୍କ ସଂଖ୍ୟା ଜୋର ଧରିବା ସମୟରେ ଏଠାରେ ରୋଗୀଙ୍କୁ ଆଣି ଚିକିତ୍ସା ସେବା ଉପଲବ୍ଧ କରାଯାଉଥିଲା। ଧିରେ ଧିରେ ସଂକ୍ରମଣ କମିବା ଏବଂ ରୋଗୀଙ୍କ ସଂଖ୍ୟା ବି କମିଛି। ସେଭଳି ବହୁ ରୋଗୀ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେବାକୁ ଚାହୁଁଥିବାରୁ ପ୍ରଥମେ କୋଭିଡ୍ କେୟାର ସେଣ୍ଟର ବନ୍ଦ କରାଯାଇଥିଲା। ଏବେ କୋଭିଡ୍ ହସ୍ପିଟାଲ ବନ୍ଦ କରାଯିବାକୁ ପ୍ରସ୍ତାବ ଯାଇଛି। ତେବେ ସରକାରୀ ଭାବେ କିଛି ଘୋଷଣା ହୋଇନି କି କିଛି ନିର୍ଦେଶନାମା ଆସିନି, ତେଣୁ ଏବେ ତ୍ରିଶଙ୍କୁ ଅବସ୍ଥାରେ କିଛି ସ୍ଥାୟୀ ଡାକ୍ତର ଓ ଷ୍ଟାଫନର୍ସ ଓ କର୍ମଚାରୀ ଆଦି ସେଭଳି ପଡ଼ି ରହିଛନ୍ତି। ସରକାର କିଛି ସ୍ପଷ୍ଟ ନିର୍ଦେଶନାମା ଦେଇ ନଥିବାରୁ ରୋଗୀ ନଥିଲେ ହେଁ ପୂର୍ବଭଳି କୋଭିଡ୍ ହସ୍ପିଟାଲ ଯିବାକୁ ପଡ଼ୁଛି ବୋଲି କହିଛନ୍ତି ଏମଓ ଡ.ଆଶିଷ ପାଣିଗ୍ରାହୀ। ଯଦିଓ ସଂକ୍ରମିତଙ୍କ ସଂଖ୍ୟା କମିବା ସ୍ବାଗତ ଯୋଗ୍ୟ, ତଥାଫି ସଚେତନ ରହିବା ସହ ନିଜକୁ ସୁରକ୍ଷିତ ରଖିବା ଦରକାର ବୋଲି କହିଛନ୍ତି ସିଡିଏମଓ ଡ.ବେଉରା ଓ ଡ.ପାଣିଗ୍ରାହୀ।

 

The post କୋଭିଡ୍ ହସ୍ପିଟାଲରେ ରୋଗୀ ସଂଖ୍ୟା ଶୂନ୍, ବନ୍ଦ କରିବାକୁ ରାଜ୍ୟସରକାରଙ୍କ ନିକଟକୁ ଯାଇଛି ପ୍ରସ୍ତାବ first appeared on Sambad.



from କରୋନା – Sambad https://ift.tt/3nsBer1