
ନୂଆଦିଲ୍ଲୀ: ଆଜି ପର୍ଯ୍ୟନ୍ତ ସମୁଦାୟ ୧୮ କୋଟିରୁ ଅଧିକ କରୋନାଭାଇରସ୍ ନମୁନା ପରୀକ୍ଷା କରି ଭାରତ ଅଭୂତପୂର୍ବ ରେକର୍ଡ ସୃଷ୍ଟି କରିଛି ବୋଲି କେନ୍ଦ୍ର ସରକାର କହିଛନ୍ତି।
‘ଆଇସିଏମ୍ଆର୍’ ସୂଚନା ଅନୁସାରେ, ଶୁକ୍ରବାର ସୁଦ୍ଧା ସମଗ୍ର ଦେଶରେ ୧୮,୦୨,୫୩,୩୧୫ଟି ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ନମୁନା ସଂଖ୍ୟା ହେଉଛି ୯,୧୬,୯୫୧।
ସମଗ୍ର ଦେଶରେ ପରୀକ୍ଷା ନିମନ୍ତେ ଭିତ୍ତିଭୂମିର ପ୍ରସାର ଯୋଗୁଁ ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇଥିବା କଥା କେନ୍ଦ୍ର ସରକାର କହିଛନ୍ତି। ୧୨୦୧ ସରକାରୀ ଓ ୧୧୧୫ଟି ଘରୋଇ ଲାବ୍ରୋଟରି ସମେତ ସମଗ୍ର ଦେଶରେ ଏବେ କରୋନାଭାଇରସ୍ ନମୁନା ପରୀକ୍ଷା ନିମନ୍ତେ ୨୩୧୬ଟି ପରୀକ୍ଷାଗାର ରହିଛି। ସେହି କାରଣରୁ ଦେଶରେ ଦୈନିକ ନମୁନା ପରୀକ୍ଷା ସାମର୍ଥ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି।
ଦୈନିକ ପ୍ରାୟ ସମାନ ସଂଖ୍ୟକ ବ୍ୟାପକ ଉଚ୍ଚସ୍ତରୀୟ ପରୀକ୍ଷା ଯୋଗୁଁ ଦେଶରେ ପଜିଟିଭ୍ ହାର ମଧ୍ୟ ହ୍ରାସ ପାଇଛି। ଆଜି ଦେଶରେ ପଜିଟିଭ୍ ହାର ୫.୭୯% ଥିବା କଥା ଜଣାପଡ଼ିଛି। ପାଞ୍ଚ ମାସ ମଧ୍ୟରେ ପଜିଟିଭ୍ ହାର ୮.୯୩%ରୁ ୫.୭୯%କୁ ହ୍ରାସ ପାଇଛି।
ସେହିଭଳି, ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପଜିଟିଭ୍ ହାର ଜାତୀୟ ପଜିଟିଭ୍ ହାର ଠାରୁ କମ୍ ରହିଛି। ୧.୪୪% ଥାଇ ବିହାରରେ ପଜିଟିଭ୍ ହାର ସବୁଠୁ କମ୍ ରହିଛି।
ଏହାଛଡ଼ା, ଆଜି ଭାରତର ‘ଟେଷ୍ଟ୍ ପର୍ ମିଲିୟନ୍’ (ଟିପିଏମ୍) ୧୩୦୬୧୮.୩ ରହିଛି। ପରୀକ୍ଷା ଭିତ୍ତିଭୂମି ବୃଦ୍ଧି କରାଯାଇଥିବାରୁ ‘ଟିପିଏମ୍’ ମଧ୍ୟ ବୃଦ୍ଧି ପାଉଛି ବୋଲି ସରକାର କହିଛନ୍ତି। ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ‘ଟିପିଏମ୍’ ଜାତୀୟ ହାର ଠାରୁ ଭଲ ରହିଛି। ଜାତୀୟ ‘ଟିପିଏମ୍’ ହାର ତୁଳନାରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ‘ଟିପିଏମ୍’ ହାର କମ୍ ରହିଛି। ତେଣୁ, ଏହି ସବୁ ଅଞ୍ଚଳରେ ପରୀକ୍ଷା ବୃଦ୍ଧି କରାଯିବାର ସୂଚନା ମିଳୁଛି।
The post ୧୮ କୋଟିରୁ ଊର୍ଦ୍ଧ୍ୱ କରୋନାଭାଇରସ୍ ନମୁନା ପରୀକ୍ଷା କରି ଭାରତର ଅଭୂତପୂର୍ବ ରେକର୍ଡ first appeared on Sambad.
from କରୋନା – Sambad https://ift.tt/3nu8LkK
0 Comments