
ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନାଭାଇରସ୍ ଟିକାର ଶୁଭାରମ୍ଭ ପ୍ରକ୍ରିୟା ତ୍ୱରାନ୍ଵିତ କରିବା ଉଦ୍ଦେଶ୍ୟରେ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ‘ଡ୍ରାଏ ରନ୍’ ବା ‘ଟିକାକରଣ ପ୍ରକ୍ରିୟାର ପ୍ରାକ୍-ଅଭ୍ୟାସ’ ଆରମ୍ଭ ହେଉଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିବା ଅନୁସାରେ, କୋଭିଡ୍-୧୯ ଟିକା ଶୁଭାରମ୍ଭ ନିମନ୍ତେ ‘ଡ୍ରାଏ ରନ୍’ କରାଯିବାର ଉଦ୍ଦେଶ୍ୟ ହେଉଛି ‘କୋଭିଡ୍ ଭ୍ୟାକ୍ସିନ୍ ଇଣ୍ଟେଲିଜେନ୍ସ୍ ନେଟ୍ଓ୍ଵାର୍କ’ର (ସିଓ-ଓ୍ଵିନ୍) ବ୍ୟବହାର ଓ କାର୍ଯ୍ୟକାରିତା ସଂକ୍ରାନ୍ତରେ ଅଭିଜ୍ଞତା ହାସଲ କରିବା। ଏହା ଫଳରେ ପ୍ରକୃତ ଟିକାକରଣ ଆରମ୍ଭ ପୂର୍ବରୁ ସମ୍ପୃକ୍ତ ଅଞ୍ଚଳର ପାରିପାର୍ଶ୍ୱିକ ସ୍ଥିତି, ଟିକାକରଣ ଯୋଜନା ଓ ପ୍ରୟୋଗ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା, ଉପୁଜୁଥିବା ଅସୁବିଧାକୁ ଚିହ୍ନଟ କରିବା ଏବଂ ଟିକାକରଣର ଅଗ୍ରଗତି ନିମନ୍ତେ ଉପାୟ ସମ୍ବନ୍ଧରେ ଅନେକ କିଛି ଜାଣିହେବ।
ଏହାଛଡ଼ା, ଏହି ‘ପ୍ରାକ୍-ଅଭ୍ୟାସ’ ମଧ୍ୟ ବିଭିନ୍ନ ସ୍ତରରେ ‘ପ୍ରୋଗ୍ରାମ୍ ମ୍ୟାନେଜର୍’ମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଶା କରୁଛି। ସମସ୍ତ ରାଜ୍ୟର ରାଜଧାନୀରେ ଅନ୍ୟୂନ ୩ଟି ସେସନ୍ ସ୍ଥଳରେ ଏହି ପ୍ରସ୍ତୁତି ଅଭିଯାନର ପ୍ରାକ୍-ଅଭ୍ୟାସ ଆୟୋଜନ କରାଯାଉଛି। କେତେକ ରାଜ୍ୟ ମଧ୍ୟ ସେମାନଙ୍କ ଅଞ୍ଚଳରେ ଥିବା ଅଗମ୍ୟ ଇଲାକା ବା ଉତ୍ତମ ପରିବହନ ବ୍ୟବସ୍ଥା ନ ଥିବା ଜିଲ୍ଲାମାନଙ୍କରେ ‘ଡ୍ରାଏ ରନ୍’ କରିବେ। ମହାରାଷ୍ଟ୍ର ଓ କେରଳରେ ରାଜଧାନୀ ବ୍ୟତୀତ ଅନ୍ୟାନ୍ୟ ପ୍ରମୁଖ ସହରରେ ‘ଡ୍ରାଏ ରନ୍’ କରିବାକୁ ସ୍ଥିର କରିଛନ୍ତି।
ଦିଲ୍ଲୀର ଦରିୟାଗଞ୍ଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ରାଷ୍ଟ୍ରାୟତ ଗୁରୁ ତେଗ୍ବାହାଦୁର ହସ୍ପିଟାଲ୍ ଏବଂ ଘରୋଇ ଭେଙ୍କଟେଶ୍ୱର ହସ୍ପିଟାଲ୍ ଭଳି ତିନିଟି ସ୍ଥାନରେ ଏହି ଅଭିଯାନ ଚାଲିବ।
ପ୍ରତ୍ୟେକ ସ୍ଥାନରେ ୨୫ଜଣ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ରହିବେ। କେମିତି ପଞ୍ଜିକରଣ କରାଯିବ, ଟିକା କିଭଳି ଦିଆଯିବ ଏବଂ ଯଦି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଉପୁଜେ, ସେଥିପ୍ରତି କିଭଳି ଦୃଷ୍ଟି ଦିଆଯିବ ଆଦି ପ୍ରସଙ୍ଗ ସେମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରାଯିବ।
ପ୍ରତ୍ୟେକ ସ୍ଥାନରେ ତିନୋଟି ଲେଖାଏଁ ପ୍ରକୋଷ୍ଠ ରହିବ। ଗୋଟିଏ ପ୍ରତୀକ୍ଷାଳୟ, ଗୋଟିଏ ଟିକାଦାନ କୋଠରି ଏବଂ ଅନ୍ୟଟି ପର୍ଯ୍ୟବେକ୍ଷଣ ପ୍ରକୋଷ୍ଠ। ସେଠାରେ ପ୍ରତି ଟିମ୍ରେ ରହିବେ ୪ଜଣ ବ୍ୟକ୍ତି। ଜଣେ କାଗଜପତ୍ର ଯାଞ୍ଚ କରିବେ, ଜଣେ ହିତାଧିକାରୀମାନଙ୍କ ପଞ୍ଜିକରଣ ଯାଞ୍ଚ କରିବେ, ଜଣେ ଟିକା ନେଇଥିବା ବ୍ୟକ୍ତିବିଶେଷଙ୍କ ପର୍ଯ୍ୟବେକ୍ଷଣ କରିବେ ଏବଂ ଅନ୍ୟଜଣକ ଜନଗହଳି ନିୟନ୍ତ୍ରଣ କରିବେ।
The post କୋଭିଡ୍-୧୯ ଟିକାକରଣ ଲାଗି ଆଜି ଦେଶବ୍ୟାପୀ ‘ଡ୍ରାଏ ରନ୍’ ଆରମ୍ଭ first appeared on Sambad.
from କରୋନା – Sambad https://ift.tt/3b6BdGV
0 Comments