
ନୂଆଦିଲ୍ଲୀ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଫାଇଜର୍-ବାୟୋଏନ୍ଟେକ୍ କୋଭିଡ୍ ଟିକାର ଜରୁରୀ ବ୍ୟବହାରକୁ ସ୍ବୀକୃତି ଦେଇଛନ୍ତି। ୟୁରୋପ୍ ଏବଂ ଦକ୍ଷିଣ ଆମେରିକାରେ ଉପଲବ୍ଧ ହୋଇସାରିଥିବା ଏହି ଟିକା ଅନ୍ୟ ଗରିବ ରାଷ୍ଟ୍ରମାନେ ଖୁବ୍ ଶୀଘ୍ର ପାଇପାରିବେ ବୋଲି ଜଣାପଡ଼ିଛି। କୌଣସି କୋଭିଡ୍ ଟିକାର ଜରୁରୀ ବ୍ୟବହାରକୁ ସ୍ବୀକୃତି ଦେବାପାଇଁ ପ୍ରତି ଦେଶରେ ଏକ ଡ୍ରଗ୍ ନିୟନ୍ତ୍ରଣ ସଂସ୍ଥା ରହିଛି। କିନ୍ତୁ ଦୁର୍ବଳ ଭିତ୍ତିଭୂମି ଥିବା ରାଷ୍ଟ୍ରଗୁଡ଼ିକ ସାଧାରଣତଃ ଟିକା ପାଇବାପାଇଁ ‘ହୁ’ ଉପରେ ନିର୍ଭରଶୀଳ। ଗତକାଲି ବିଳମ୍ବିତ ରାତିରେ ହୁ ଫାଇଜର୍-ବାୟୋଏନ୍ଟେକ୍ ଟିକାର ଏମର୍ଜେନ୍ସି ବ୍ୟବହାରକୁ ମଂଜୁରି ଦେବାପରେ ଏବେ ଏହା ଗରିବ ରାଷ୍ଟ୍ରମାନଙ୍କୁ କିଭଳି ଉପଲବ୍ଧ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଆମେରିକା, ବ୍ରିଟେନ୍, ୟୁରୋପୀୟ ରାଷ୍ଟ୍ରସଂଘ ଏବଂ ଅନ୍ୟ କିଛି ରାଷ୍ଟ୍ରରେ ଏହି ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିସାରିଛି ଏବଂ ଏହି ଟିକା ମଧ୍ୟ ‘ହୁ’ର ମାପଦଣ୍ଡ ଅନୁଯାୟୀ ସୁରକ୍ଷିତ ଏବଂ ଫଳପ୍ରଦ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଫାଇଜର-ବାୟୋଏନ୍ଟେକ୍ ଟିକାକୁ ବିଯୁକ୍ତ ୭୦ ଡିଗ୍ରି ତାପମାତ୍ରାରେ ଗଚ୍ଛିତ କରି ରଖିବାକୁ ପଡ଼ିବ। ତେଣୁ ଏଥିପାଇଁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ବହୁତ ସଂଘର୍ଷର ସାମ୍ନା କରିବାକୁ ପଡ଼ିବ।
ଭାରତ ଏ ପର୍ଯ୍ୟନ୍ତ ଫାଇଜର ଟିକା ସହ କୌଣସି ଚୁକ୍ତି କରିନାହିଁ ଏବଂ ଆଜି ଅକ୍ସଫୋର୍ଡ ଟିକାକୁ ଜରୁରୀ ବ୍ୟବହାର ପାଇଁ ମଂଜୁରି ଦେଇଛି। କେବଳ ବିଯୁକ୍ତ ୭୦ ଡିଗ୍ରିରେ ସଂରକ୍ଷିତ ରହୁଥିବା ଫାଇଜର୍ ଟିକାର ପରିବହନ ଓ ସଂରକ୍ଷଣ ଭାରତ ଭଳି ବିଶାଳ ରାଷ୍ଟ୍ରରେ ସମ୍ଭବ ନଥିବାରୁ ଏହା ଅକ୍ସଫୋଡ ଟିକାକୁ ଚୟନ କରିଛି। ‘ହୁ’ ଫାଇଜର ଟିକାକୁ ଅନୁମୋଦନ କରିଥିବାରୁ ଏବେ ଗରିବ ଓ ବିକାଶଶୀଳ ରାଷ୍ଟ୍ରମାନେ ଏହି ଟିକା କିଭଳି ପାଇବେ ତାହା ମୁଖ୍ୟ ପ୍ରଶ୍ନ ହୋଇଛି।
The post ଫାଇଜର୍ ଟିକାକୁ ‘ହୁ’ର ସ୍ବୀକୃତି first appeared on Sambad.
from କରୋନା – Sambad https://ift.tt/3rKAZuF
0 Comments