
ସିଲ୍ଚର୍: ଆସାମର କାଛାର ଜିଲ୍ଲାସ୍ଥିତ ସିଲ୍ଚର୍ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ରେ (ଏସ୍ଏମ୍ସିଏଚ୍) ପ୍ରାୟ ୧୦୦୦ ଡୋଜ୍ ‘କୋଭିସିଲ୍ଡ୍’ ଟିକା ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ‘ଏସ୍ଏମ୍ସିଏଚ୍’ର ଭ୍ୟାକ୍ସିନ୍ ଷ୍ଟୋର୍ ୟୁନିଟ୍ରେ ଏହି ଟିକା ସବୁ ଜମାଟ ବାନ୍ଧି ଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ୧୦୦୦ ଡୋଜ୍ ଥିବା ପ୍ରାୟ ୧୦୦ ଶିଶି ‘କୋଭିସିଲ୍ଡ୍’ ବିଯୁକ୍ତ ଶୂନ୍ୟ ତାପମାତ୍ରାରେ ଗଚ୍ଛିତ ରଖାଯାଇଥିଲା। ‘କୋଭିସିଲ୍ଡ୍’ ଟିକାକୁ ୨ ରୁ ୮ ଡିଗ୍ରି ସେଲିସିୟସ୍ ତାପମାତ୍ରାରେ ରଖାଯିବା ଆବଶ୍ୟକ କିନ୍ତୁ, ସିଲ୍ଚର୍ ‘ଏସ୍ଏମ୍ସିଏଚ୍’ର ‘ଆଇସ୍-ଲାଇନ୍ଡ୍ ରେଫ୍ରିଜେରେଟର୍’ (ଆଇଏଲ୍ଆର୍) ତାପମାତ୍ରା ଶୂନ୍ୟ ତଳକୁ ଖସି ଯାଇଥିଲା।
କାଛାର ଜିଲ୍ଲାର ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଟିକାସବୁ ଆଂଶିକ ଜମାଟ ବାନ୍ଧିଛି। ‘ଆଇଏଲ୍ଆର୍’ରେ ସମ୍ଭବତଃ କିଛି ବୈଷୟିକ ତ୍ରୁଟି ଉପୁଜି ଥାଇପାରେ। ଆମେ ସାଧାରଣତଃ ‘ଆଇଏଲ୍ଆର୍’ ତାପମାତ୍ରା ୨ ରୁ ୮ ଡିଗ୍ରି ସେଲିସିୟସ୍ ମଧ୍ୟରେ ରଖିଥାଉ। ତାପମାତ୍ରା ହ୍ରାସ ପାଇଲେ ‘ଆଇଏଲ୍ଆର୍’ ମେସିନ୍ ସତର୍କ ବାର୍ତ୍ତା ପଠାଏ। କିନ୍ତୁ, ଆମ ଭ୍ୟାକ୍ସିନେଟର୍ କୌଣସି ବାର୍ତ୍ତା ପାଇ ନ ଥିଲେ। ସମ୍ଭବତଃ ଏହା କୌଣସି ବୈଷୟିକ ତ୍ରୁଟି। ସାରା ରାତି ‘ଆଇଏଲ୍ଆର୍’ରେ ଟିକା ଗଚ୍ଛିତ ଥିଲା। କୌଣସି କାରଣରୁ ‘ଆଇଏଲ୍ଆର୍’ରେ ତାପମାତ୍ରା ହ୍ରାସ ପାଇ ଏ ଭଳି ଘଟିଛି।
ସିଲ୍ଚର୍ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍କୁ ୧୦୦୦ ଡୋଜ୍ ଥିବା ଆଉ ୧୦୦ ଶିଶି ‘କୋଭିସିଲ୍ଡ୍’ ପଠାଇବା ଲାଗି ଆସାମ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି।
ଏହାଛଡ଼ା, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟିକା ଜମାଟ ବାନ୍ଧିବା ଘଟଣା ସଂକ୍ରାନ୍ତରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଛି।
The post ଆସାମ କୋଲ୍ଡ୍ ଷ୍ଟୋରେଜ୍ରେ ଜମାଟ ବାନ୍ଧି ୧୦୦୦ ଡୋଜ୍ ‘କୋଭିସିଲ୍ଡ୍’ ଟିକା ନଷ୍ଟ first appeared on Sambad.
from କରୋନା – Sambad https://ift.tt/3o0ZW26
0 Comments