
ଦେଶରେ କରୋନା ମହାମାରୀ ମୁକାବିଲା ପାଇଁ ମାର୍ଚ୍ଚ ୨୫ରେ ଲକ୍ଡାଉନ୍ ଘୋଷଣା ହେବା ପୂର୍ବରୁ ଅର୍ଥନୀତିର ଅବସ୍ଥା ଭଲ ନଥିଲା। ଏକଦା ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତା ହାସଲ କରିଥିବା ଭାରତ ଆଗକୁ ବଢ଼ିବାକୁ ସଂଘର୍ଷ କରୁଥିଲା। କରୋନା ମହାମାରୀ ସ୍ଥିତିକୁ ଆହୁରି ଜଟିଳ କରିଦେଇଥିଲା। ଧନଜୀବନ ବଞ୍ଚାଇବା ଲକ୍ଷ୍ୟ ନେଇ ଘୋଷଣା କରାଯାଇଥିବା ଲକ୍ଡାଉନ୍ ଅର୍ଥନୈତିକ କାର୍ଯ୍ୟକଳାକ ଠପ୍ କରିଦେଇଥିଲା। ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇଥିଲେ। ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସାରା ଦୁନିଆ ଦେଖିଥିଲା।
ଏହି ସବୁ ସମସ୍ୟା ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ୍-ଜୁନ୍)ରେ ଅଭିବୃଦ୍ଧି ୨୩.୯% ହ୍ରାସ ପାଇଥିଲା ଯାହା ସାରା ବିଶ୍ବରେ ସବୁଠୁ ଖରାପ ଥିଲା। ଭାରତର ଅଭିବୃଦ୍ଧି ୨୦୨୦ରେ ବିଯୁକ୍ତ ୧୦% ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଠାରୁ ଆରମ୍ଭ କରି ଫିଚ୍, ମୁଡିସ୍, କେୟାର ରେଟିଂସ୍, ଗୋଲ୍ଡମ୍ୟାନ୍ ସଚସ୍ ଓ ନୁମୋରା ଭଳି ସଂସ୍ଥା ଆକଳନ କରିଥିଲେ। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ଦ୍ବିତୀୟ ତ୍ରୟମାସ (ଜୁଲାଇ-ସେପ୍ଟେମ୍ବର)ରେ ଦେଶର ଅର୍ଥନୀତି ଚମତ୍କାର ପ୍ରତ୍ୟାବର୍ତନ କରିଥିଲା। ପ୍ରଥମ ତ୍ରୟମାସରେ ୨୪% ଖସିଥିବା ଅର୍ଥନୀତି ଦ୍ବିତୀୟ ତ୍ରୟମାସରେ ମାତ୍ର ୭.୫% ହ୍ରାସ ପାଇଥିଲା। ଏହି ଖବରରେ ସମଗ୍ର ଦେଶ ଓ ଶିଳ୍ପ ଜଗତ ଉତ୍ସାହିତ ହୋଇପଡ଼ିଛି। ଅକ୍ଟୋବର ମାସ ଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଥିଲା। ଗାଡ଼ି, ପୋଷାକ ଓ ସୁନା ଗହଣା ଆଦି ବିକ୍ରି ଉତ୍ସାହଜନକ ସ୍ତରରେ ପହଞ୍ଚିଥିଲା। ତେଣୁ ଅକ୍ଟୋବର-ଡିସେମ୍ବରରେ ଅର୍ଥନୀତିରେ ଆହୁରି ସୁଧାର ହେବ ବୋଲି ଆଶା କରାଯାଉଛି।
୨୦୨୧ରେ ଏହା ଯୁକ୍ତାତ୍ମକ ଅଭିବୃଦ୍ଧି ହାସଲ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଛି ଯେ ଭାରତ ୨୦୨୧ର ଏକ ତ୍ରୟମାସରେ ୨୧% ଅଭିବୃଦ୍ଧି ହାସଲ କରିବ। ଅନ୍ୟ ରେଟିଂ ଏଜେନ୍ସିଗୁଡ଼ିକ ମଧ୍ୟ ଭାରତ ପାଇଁ କରିଥିବା ଖରାପ ପୂର୍ବାନୁମାନକୁ ସୁଧାରିବାରେ ଲାଗିପଡ଼ିଛନ୍ତି। କରୋନା ମହାମାରୀ ଦେଶର ଅର୍ଥନୀତିରେ ଗଭୀର କ୍ଷତି ସୃଷ୍ଟି କରିଥିବା ବେଳେ ଏଥିପାଇଁ ହେବାକୁ ଥିବା କ୍ଷତିକୁ ଅନେକାଂଶରେ ବଞ୍ଚାଇ ଦେଇଛି ଗ୍ରାମୀଣ ଭାରତ। ସହର ଜନଜୀବନ ଠପ୍ ହୋଇଯାଇଥିବା ବେଳେ କୃଷି କ୍ଷେତ୍ର କିନ୍ତୁ ଅଟକି ନଥିଲା। ଅର୍ଥନୀତିର ମେରୁଦଣ୍ଡ ବିଚାର କରାଯାଉଥିବା କୃଷି କ୍ଷେତ୍ର ପ୍ରବାସୀ ଶ୍ରମିକଙ୍କୁ ଦେଇଥିଲା ଜୀବିକା। ମନରେଗା ସ୍କିମ୍ ମଧ୍ୟ ବିଶେଷ ସହାୟକ ହୋଇଥିଲା। ମୌସୁମୀ ବର୍ଷା ଚଳିତ ବର୍ଷ ଆଶାନୁରୂପ ହୋଇଥିବାରୁ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ସ୍ତରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।
The post ଚମତ୍କାର ପ୍ରତ୍ୟାବର୍ତନ first appeared on Sambad.
from କରୋନା – Sambad https://ift.tt/3al8ZaS
0 Comments