ନୂଆଦିଲ୍ଲୀ: ଭାରତୀୟ ଭେଷଜ ଗବେଷଣା ପରିଷଦ(ଆସିଏମ୍‌ଆର୍) ଓ ଭାରତ ବାୟୋଟେକ୍‌ ଦ୍ବାରା ଦେଶର ନିଜସ୍ବ ଜ୍ଞାନକୌଶଳରେ ବିକଶିତ କୋଭିଡ୍‌ ଟିକା କୋଭାକ୍ସିନ୍‌ ସମଗ୍ର ବିଶ୍ବ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି। ଚଳିତ ମାସରେ ୭୦ରୁ ଅଧିକ ରାଷ୍ଟ୍ରର ସରକାରଙ୍କ ପ୍ରତିନିଧିମାନେ ହାଇଦ୍ରାବାଦର ଜିନୋମ୍‌ ଭ୍ୟାଲି ସ୍ଥିତ ଭାରତ ବାୟୋଟେକ୍‌ ଟିକା ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ଅଧିକାଂଶ ରାଷ୍ଟ୍ର ଏହି ଟିକା ହାସଲ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏବେ ଭାରତରେ କୋଭାକ୍ସିନ ଟିକାର ନୈଦାନିକ ପରୀକ୍ଷଣର ଫଳାଫଳରୁ ଏହାର ଉଲ୍ଲେଖନୀୟ ନିରାପତ୍ତା ଓ ରୋଗପ୍ରତିରୋଧକତା ବଜାୟ ରଖିଥିବା ସ୍ପଷ୍ଟ ହେଲା ପରେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟଭିତ୍ତିକ ପତ୍ରିକା ଲାନ୍ସେଟ୍ ତାହା ପ୍ରକାଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ମଧ୍ୟ ଆଇସିଏମ୍‌ଆର୍ ପକ୍ଷରୁ କୁହାଯାଇଛି।

କୋଭାକ୍ସିନ୍‌ର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣରୁ ମିଳିଥିବା ଆଶାତୀତ ସଫଳତା ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ବାଟ ଫିଟେଇଦେଇଛି ଏବଂ ତାହା ଏବେ ଦେଶର ୨୨ଟି ଚିକିତ୍ସାକେନ୍ଦ୍ରରେ ଜାରି ରହିଥିବା ଜଣାଯାଇଛି। ଏହାର ପ୍ରଥମ ଦୁଇ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣରେ କୋଭାକ୍ସିନ୍‌ର ଆଶାନୁରୂପ ନିରାପତ୍ତା ଓ ଫଳପ୍ରଦତା ପ୍ରମାଣିତ ହୋଇଥିବାରୁ ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ପାଇଁ ସ୍ବେଚ୍ଛାସେବୀମାନେ ନିର୍ବିଘ୍ନରେ ଆଗେଇ ଆସିବାକୁ ଆହ୍ବାନ ଦିଆଯାଇଛି।

The post ଭାରତୀୟ ଟିକା ‘କୋଭାକ୍ସିନ୍‌’ ଉପରେ ବିଶ୍ବ ନଜର first appeared on Sambad.



from କରୋନା – Sambad https://ift.tt/2WNgVcR