
ଲଣ୍ଡନ: ସମ୍ପ୍ରତି ବ୍ରିଟେନ୍ରେ ବ୍ୟାପି ଚାଲିଥିବା ରୂପାନ୍ତରିତ ନୂତନ ପ୍ରଜାତି କରୋନାଭୂତାଣୁର ସଂକ୍ରମଣ ମୂଳ ଭୂତାଣୁ ଅପେକ୍ଷା ହାରାହାରି ୫୬ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ସୁତରାଂ ଏଥିଯୋଗୁଁ ଅଧିକ ପୀଡ଼ିତ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା ଥିବାରୁ ତୁରନ୍ତ ଏକ ଦ୍ରୁତ ଟିକାକରଣ ପ୍ରକ୍ରିୟା ହିଁ ସେଭଳି ପରିସ୍ଥିତିକୁ ଟାଳିଦେଇ ପାରିବ ବୋଲି ସେମାନେ ପରାମର୍ଶ କରିଛନ୍ତି। ଲଣ୍ଡନ ସ୍କୁଲ୍ ଅଫ୍ ହାଇଜିନ୍ ଆଣ୍ଡ୍ ଟ୍ରପିକାଲ ମେଡିସିନ୍ ପକ୍ଷରୁ ଏହି ବିଶେଷଜ୍ଞମାନଙ୍କ ଦ୍ବାରା ପ୍ରକାଶିତ ଆଲେଖ୍ୟ ‘ମାଥ୍ମେଟିକାଲ୍ ମଡେଲିଂ ଅଫ୍ ଇନ୍ଫେକ୍ଟିଅସ୍ ଡିଜିଜେସ୍’ରେ ଏ ସଂକ୍ରାନ୍ତ ସବିଶେଷ ବିବରଣୀ ସ୍ଥାନ ପାଇଛି।
ଗତ ନଭେମ୍ବର ମାସରେ ଦକ୍ଷିଣପୂର୍ବ ଇଂଲାଣ୍ଡରେ ଆବିର୍ଭୂତ ଏହି ନୂତନ ପ୍ରଜାତିର କରୋନାଭୂତାଣୁର ସଂକ୍ରମଣ ଖୁବ୍ କ୍ଷିପ୍ର ବେଗରେ ବ୍ୟାପିଚାଲିଛି। ଏହା ଦ୍ବାରା ଆସନ୍ତା ବର୍ଷକୁ ଅଧିକ କୋଭିଡ୍ ରୋଗୀ ସୃଷ୍ଟି ସହ ଅଧିକ ମୃତ୍ୟୁ ଘଟାଇବ ବୋଲି ସେମାନେ ଆଶଙ୍କା ପ୍ରକଟ କରିଛନ୍ତି। ଅପରପକ୍ଷେ, ସଂପୃକ୍ତ ରୂପାନ୍ତରିତ କରୋନାଭୂତାଣୁ ମୂଳ ଭୂତାଣୁ ଅପେକ୍ଷା ଅଧିକ ଘାତକ କି ନୁହେଁ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ବୋଲି ତାହା ଉପରେ ଗବେଷଣା ଜାରି ରଖିଥିବା ବିଶେଷଜ୍ଞମାନେ କହିଛନ୍ତି। ତେବେ ଇଂଲାଣ୍ଡରେ ସ୍କୁଲ କଲେଜ ସବୁ ବନ୍ଦ ନକଲା ଯାଏ ସଂକ୍ରମଣ ବ୍ୟାପକତା ଉପରେ ଗତ ନଭେମ୍ବରରୁ ଜାରି ରହିଥିବା ଲକ୍ଡାଉନ୍ର ପ୍ରଭାବ କ୍ବଚିତ୍ ପଡ଼ିବ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।
The post ନୂଆ କରୋନାଭୂତାଣୁ ବ୍ରିଟେନ୍ରେ ଅଧିକ ମୃତ୍ୟୁ ଆଣିବା ଆଶଙ୍କା first appeared on Sambad.
from କରୋନା – Sambad https://ift.tt/37Lbv8B
0 Comments