
ଭୁବନେଶ୍ବର: ମାସ୍କ କିଣା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ମାମଲାର ପ୍ରାଥମିକ ତଦନ୍ତ ଲାଗି ରାଜ୍ୟ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଦକ୍ଷ ଓ ସଚ୍ଚୋଟ ଏସିପି କିମ୍ବା ଏଏସପିଙ୍କ ଦ୍ବାରା ଦୁର୍ନୀତି ଅଭିଯୋଗର ତଦନ୍ତ କରାଇବା ପାଇଁ ଲୋକାୟୁକ୍ତ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି ।
କୋଭିଡ୍ ମୁକାବିଲା ସମୟରେ ରାଜ୍ୟ ସରକାର ବଜାର ଦରଠାରୁ ବହୁ ଅଧିକ ଦରରେ ମାସ୍କ, ପିପିଇ କିଟ୍ ଆଦି ସାମଗ୍ରୀ କିଣିଥିଲେ ଓ ଏହି କାରବାରରେ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରି ଲୋକାୟୁକ୍ତଙ୍କ ନିକଟରେ କଂଗ୍ରେସ ପକ୍ଷରୁ ବିଧିବଦ୍ଧ ଅଭିଯୋଗ କରାଯାଇଥିଲା। ଏହି ମାମଲାରେ ସରକାରଙ୍କ ଦ୍ବାରା କୋଭିଡ୍-୧୯ ପରିଚାଳନା ଲାଗି ସାମଗ୍ରୀ ଯୋଗାଣ ପାଇଁ ଗଠିତ କ୍ରୟ କମିଟିର ପ୍ରାକ୍ତନ ମୁଖ୍ୟ ଆଇଏଏସ୍ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀଙ୍କୁ ଲୋକାୟୁକ୍ତ ସମନ କରି ଅଭିଯୋଗ ସଂପର୍କରେ ତଦନ୍ତ ଆରମ୍ଭ କରିଥିଲେ। ଆଜି ସକାଳେ ଏହି ଦୁଇ ଅଧିକାରୀ ଲୋକାୟୁକ୍ତଙ୍କ ଠାରେ ହାଜର ହୋଇଥିଲେ। ଏହାପରେ ଲୋକାୟୁକ୍ତ ଭିଜିଲାନ୍ସକୁ ଅଭିଯୋଗର ତଦନ୍ତ କରି ଦୁଇମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବ୍ରୁଆରି ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଆଜି ଲୋକାୟୁକ୍ତରେ କୋଭିଡ୍ ମୁକାବିଲା ପାଇଁ ମାସ୍କ, ପିପିଇ କିଟ୍ ଓ ସାନିଟାଇଜର କିଣାରେ ହୋଇଥିବା ବ୍ୟାପକ ଅନିୟମିତତା ନେଇ ଦାୟର ମାମଲାର ଚୂଡ଼ାନ୍ତ ଶୁଣାଣି ହେବାର ସମ୍ଭାବନା ରହିଥିଲା । ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ରାଜ୍ୟ କଂଗ୍ରେସ ମାମଲା ଦାୟର କରିଥିବା ବେଳେ ପରେ ଏ ନେଇ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମଧ୍ୟ ଏକ ମାମଲା ଦାୟର ହୋଇଥିଲା। ଦେଶର ଅନ୍ୟ ରାଜ୍ୟମାନେ ୱେବସାଇଟ୍ରେ ନିଜର ସାମଗ୍ରୀ କିଣା ନେଇ ସ୍ବଚ୍ଛତା ଅବଲମ୍ବନ କରୁଥିବା ବେଳେ ରାଜ୍ୟ ସରକାରଙ୍କ କ୍ଷେତ୍ରରେ ତାହା କରାଯାଇ ନ ଥିବା ସଂସ୍ଥା ପକ୍ଷରୁ ଲୋକାୟୁକ୍ତଙ୍କୁ ଦର୍ଶାଯାଇଥିଲା।
The post ମାସ୍କ ଦୁର୍ନୀତି : ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ, ଦୁଇ ମାସ ମଧ୍ୟରେ ରିପୋର୍ଟ ଦେବ ଭିଜିଲାନ୍ସ first appeared on Sambad.
from କରୋନା – Sambad https://ift.tt/3lSmIbn
0 Comments