
ନୂଆଦିଲ୍ଲୀ: ବ୍ରିଟେନ୍ରେ କରୋନା ଭୂତାଣୁର ଭୟଙ୍କର ପ୍ରଜାତି ଚିହ୍ନଟ ହେବା ପରେ ଭାରତ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବିଶେଷକରି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିମନ୍ତେ ଏକ ମାର୍ଗଦର୍ଶିକା ପଠାଯାଇଛି। ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂହ ଖରୋଲାଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି। ଯେ, କରୋନା ଭୂତାଣୁର ଏକ ଭିନ୍ନ ଫାଇଲୋଜେନେଟିକ୍ କ୍ଲଷ୍ଟର୍ ବ୍ରିଟେନରେ ବ୍ୟାପକ ମାତ୍ରାରେ ବ୍ୟାପୁଛି। ରୂପାନ୍ତରିତ ଏହି ନୂଆ କରୋନା ଭୂତାଣୁର ନାମ ବି.୧.୧.୭ ରଖାଯାଇଛି। ଏହି ପ୍ରଜାତିର ଭୂତାଣୁରେ ସାଧାରଣତଃ ବୃହତ ସଂଖ୍ୟାରେ ଜେନେଟିକ୍ ପରିବର୍ତ୍ତନ ହେଉଛି। ବିଶେଷକରି ସ୍ପାଇକ୍ ପ୍ରୋଟିନ୍ କ୍ଷେତ୍ରରେ ଏହା ହେଉଛି। ଏହି ଆହ୍ବାନକୁ ସାମ୍ନା କରିବା ପାଇଁ ଯଥେଷ୍ଟ ସତର୍କତା ଏବଂ ପଦକ୍ଷେପର ଆବଶ୍ୟକତା ରହିଛି।
ଭାରତରେ ନୂଆ କରୋନା ସଂକ୍ରମଣ ଗତ ଅଢ଼େଇ ମାସରୁ ଅଧିକ ସମୟ ହେଲା ହ୍ରାସ ପାଉଛି। ଏଥିସହିତ ମୃତ୍ୟୁ ମଧ୍ୟ କମିଛି। ଏହି ପରିପ୍ରେକ୍ଷୀରେ ବିମାନରେ ଯାତ୍ରା କରିଥିବା ବ୍ୟକ୍ତିଙ୍କ ଠାରୁ ଭାରତରେ କରୋନା ପରିଚାଳନା ପ୍ରତି ବିପଦ ରହିଛି। ତେଣୁ ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଯୁଗ୍ମ ଅନୁଧ୍ୟାନ କମିଟି ଏବଂ ନିତି ଆୟୋଗର ସ୍ବାସ୍ଥ୍ୟ ସଦସ୍ୟ ଏବଂ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟାଙ୍କ ନେତୃତ୍ବରେ ଗଠିତ ଟିକା ଟାସ୍କ ଫୋର୍ସ କେତେକ ପରାମର୍ଶ ଦେଇଛନ୍ତି। ସେଗୁଡ଼ିକ ହେଲା…
ବ୍ରିଟେନରୁ ଭାରତକୁ ଆସୁଥିବା ସମସ୍ତ ବିମାନକୁ ଅସ୍ଥାୟୀ ଭାବେ ଡିସେମ୍ବର ୨୨ ତାରିଖ ରାତି ୧୧ଟା ୫୯ ମିନିଟରୁ ୩୧ ତାରିଖ ରାତି ୧୧ଟା ୫୯ ମିନିଟ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ବନ୍ଦ ରଖାଯାଉ।
ପର୍ଯ୍ୟାପ୍ତ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବ୍ରିଟେନରୁ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ବିମାନ (ବର୍ତ୍ତମାନ ଆକାଶରେ ଉଡ଼ୁଥିବା ବିମାନ ସମେତ)ରେ ଭାରତର ବିମାନ ବନ୍ଦରରେ ପହଞ୍ଚୁଥିବା ଯାତ୍ରୀମାନଙ୍କର ଆରଟି-ପିସିଆର୍ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଉ।
ଯେଉଁ ଯାତ୍ରୀମାନଙ୍କର ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସୁଛି ସେମାନଙ୍କୁ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ଦ୍ବାରା ଖୋଲାଯାଇଥିବା ସଂଗରୋଧ/ଏକାନ୍ତବାସ କେନ୍ଦ୍ରକୁ ପଠାଯାଉ। ସଂପୃକ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ସହଯୋଗରେ ଏହି କାର୍ଯ୍ୟ କରାଯିବ।
ଆରଟିପିସିଆର ଟେଷ୍ଟରେ ଯେଉଁମାନେ ନେଗେଟିଭ ଚିହ୍ନଟ ହେବେ ସେମାନଙ୍କୁ ଘରେ ସାତ ଦିନ ପାଇଁ ଏକାନ୍ତବାସରେ ରହିବାକୁ ପରାମର୍ଶ ଦିଆଯାଉ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ସଂପୃକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବେ।
ଏ ସଂପର୍କରେ ପ୍ରାସଙ୍ଗିକ ମନେ ହେଉଥିବା ସୂଚନାକୁ ବିମାନ ବନ୍ଦରର ଆଗମନ ଅଞ୍ଚଳ, ପ୍ରତୀକ୍ଷାଳୟ ଅଞ୍ଚଳରେ ଭଲ ଭାବେ ପ୍ରଦର୍ଶିତ କରାଯାଇପାରେ।
ଏସବୁ କାର୍ଯ୍ୟ ସଂପାଦନ ପାଇଁ ବିମାନ ବନ୍ଦରଗୁଡ଼ିକରେ ସଂପୃକ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ସହଯୋଗରେ ହେଲ୍ପ ଡେସ୍କ ସ୍ଥାପନ କରାଯିବ।
ବିମାନ ବନ୍ଦରରେ ଆରଟିପିସିଆର ଟେଷ୍ଟ ରିପୋର୍ଟ ପାଇଁ ଅପେକ୍ଷା କରିଥିବା ଯାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇପାରେ।
The post ଭୂତାଣୁ ନ ବ୍ୟାପିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ମାର୍ଗଦର୍ଶିକା first appeared on Sambad.
from କରୋନା – Sambad https://ift.tt/34vnWDu
0 Comments