
ନୂଆଦିଲ୍ଲୀ: ଦେଶରେ ମହାମାରୀ କୋଭିଡ୍-୧୯ ନିଜର କାୟା ବିସ୍ତାର କଲା ପରଠାରୁ ଲୋକଙ୍କ ମଧ୍ୟରେ ମାନସିକ ଚାପ ଓ ଦୁଶ୍ଚିନ୍ତା ଭୀଷଣ ଭାବରେ ବଢ଼ିଥିବା ଏକ ଅଧ୍ୟୟନରୁ ଜଣାଯାଇଛି। ନୂଆଦିଲ୍ଲୀ ସ୍ଥିତ ଉପଶମ କେନ୍ଦ୍ର (ଦି ସେଣ୍ଟର ଅଫ୍ ହିଲିଂ) ନାମକ ପ୍ରତିଷେଧମୂଳକ ସ୍ବାସ୍ଥ୍ୟସେବା ପକ୍ଷରୁ କରାଯାଇଥିବା ଏହି ସର୍ବେକ୍ଷଣରେ ୧୦,୦୦୦ରୁ ଅଧିକ ଦେଶବାସୀ କିପରି କୋଭିଡ୍ ପରିପ୍ରେକ୍ଷୀରେ ସ୍ବାଭାବିକତା ସହ ତାଳମେଳ ରଖି ପାରିଛନ୍ତି, ସେ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା। ସେଥିରୁ ୭୪ ପ୍ରତିଶତ ଲୋକ ମାନସିକ ଚାପର ଶିକାର ହୋଇଥିବା ବେଳେ ୮୮ ପ୍ରତିଶତ ଦୁଶ୍ଚିନ୍ତା ଭୋଗୁଥିବା ସ୍ପଷ୍ଟ ହୋଇଛି। ସେହିପରି ଚିକିତ୍ସକମାନଙ୍କ ପାଖକୁ ୬୮.୬ ପ୍ରତିଶତ ଅଧିକ ପୀଡ଼ିତ ଉପଶମ ପାଇଁ ଆସିଥିବା ଜଣାଯାଇଛି।
ଏପରି ମାନସିକ ଚାପ ଓ ଦୁଶ୍ଚିନ୍ତାର ଶିକାର ହୋଇ ପ୍ରଥମ କରି ୫୫ ପ୍ରତିଶତ ଅଧିକ ପୀଡ଼ିତ ଚିକିତ୍ସକଙ୍କ ଦ୍ବାରସ୍ଥ ହୋଇଛନ୍ତି ବୋଲି ସଂସ୍ଥାର ପ୍ରତିଷ୍ଠାତା ଗୁରପ୍ରୀତ ସିଂହ କହିଛନ୍ତି। ସେହିପରି ୫୭ ପ୍ରତିଶତ ଲୋକଙ୍କଠାରେ ସାମାନ୍ୟ ମାନସିକ ଚାପ ଦେଖା ଦେଇଥିବା ବେଳେ ୧୧ ପ୍ରତିଶତ ମଧ୍ୟମ ଧରଣର ଚାପରେ ସନ୍ତୁଳିତ ହୋଇଛନ୍ତି। ଅପରପକ୍ଷେ, ଏପରି ମାନସିକ ଚାପ ଓ ଦୁଶ୍ଚିନ୍ତାର ଶିକାର ହୋଇଥିବା ଲୋକଙ୍କ ଭିତରୁ ୪ ପ୍ରତିଶତଙ୍କର ଅତିଶୟ ମାନସିକ ଚାପ ଦେଖାଦେଇଥିବା ବେଳେ ଦୁଇ ପ୍ରତିଶତ ଭୀଷଣ ଦୁଶ୍ଚିନ୍ତାରେ ଛଟପଟ ହୋଇଥିବା କୁହାଯାଇଛି। ତେବେ ଦେଶରେ କୋଭିଡ୍ ଉପଦ୍ରବର ପ୍ରାରମ୍ଭିକ ସ୍ଥିତି ଅପେକ୍ଷା ପରବର୍ତ୍ତୀ ପର୍ଯ୍ୟାୟରେ ଲୋକଙ୍କର ଏପରି ଲକ୍ଷଣ ପ୍ରାଞ୍ଜଳ ଭାବେ ବାରି ହୋଇ ପଡ଼ିଥିଲା। ମୁଖ୍ୟତଃ କୋଭିଡ୍ର ମୁକାବିଲା ପାଇଁ ଦେଶରେ ଧାରାବାହିକ ଭାବେ ଲାଗୁ କରାଯାଇଥିବା ବିଭିନ୍ନ ପର୍ଯ୍ୟାୟ ଲକ୍ଡାଉନ୍ କଟକଣା, ଉତ୍କଣ୍ଠା, ରୋଜଗାର ହରାଇବା, ସ୍ବାସ୍ଥ୍ୟ ଚିନ୍ତା ଏବଂ ସର୍ବୋପରି ଏପରି ପରିବର୍ତ୍ତନଶୀଳ ପରିବେଶ ହିଁ ଏଭଳି ସ୍ଥିତି ଆଣିଥିଲା ବୋଲି ଜଣାଯାଇଛି।
The post ୭୪% ଭାରତୀୟ ମାନସିକ ଚାପର ଶିକାର, ୮୮% ଦେଶବାସୀଙ୍କୁ ଘାରିଛି କୋଭିଡ୍ ଦୁଶ୍ଚିନ୍ତା first appeared on Sambad.
from କରୋନା – Sambad https://ift.tt/3mm87oZ
0 Comments