ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଭାରତ ସବୁସ୍ତରରେ ପ୍ରୟାସ ଜାରି ରଖିଛି ଏବଂ ଦେଶରେ ତିଆରି ଚାଲିଥିବା କୋଭିଡ୍‌ ଟିକାର ଅଗ୍ରଗତିକୁ ଦୃଷ୍ଟିରେ ରଖି ଗଣ ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଶ୍ବର ସବୁଠାରୁ ବଡ଼ ଟିକା ନିର୍ମାତା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଜାନୁଆରିୁ ଭାରତରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବା ଆଶା କରାଯାଉଛି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବେ ଅକ୍ସଫୋର୍ଡ-ଅଷ୍ଟ୍ରାଜେନେକା ଟିକା ତିଆରି ପ୍ରକ୍ରିୟା ଜାରି ରଖିଛି ଏବଂ ଚଳିତ ମାସ ଶେଷ ସୁଦ୍ଧା ଏହି ଟିକାର ଜରୁରୀ ବ୍ୟବହାର ପାଇଁ ସରକାର ମଂଜୁରି ଦେଇପାରନ୍ତି। ଜାନୁଆରିରୁ ଦେଶରେ ଟିକାକରଣ ଯଦି ଆରମ୍ଭ ହୁଏ ତା’ହେଲେ ଅକ୍ଟୋବର ୨୦୨୧ ସୁଦ୍ଧା ଏହି ପ୍ରକ୍ରିୟା ସରିବ ଏବଂ ଦେଶରେ ସ୍ବାଭାବିକ ପରିସ୍ଥିତି ଫେରିବ ବୋଲି ପୁନାୱାଲା କହିଛନ୍ତି। ସୂଚନାଯୋଗ୍ୟ, କୋଭିଡ୍‌ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବାକୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଭାରତ ବାୟୋଟେକ୍‌ ସରକାରଙ୍କ ଅନୁମୋଦନ ଲୋଡ଼ିଛନ୍ତି।

ପୁନାୱାଲା କହିଛନ୍ତି ଦେଶରେ ପ୍ରଥମେ ୨୦ ପ୍ରତିଶତ ଲୋକଙ୍କୁ କୋଭିଡ୍‌ ଟିକା ପ୍ରଦାନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଗଲେ ଏ କ୍ଷେତ୍ରରେ ବଡ଼ ଆଶ୍ବସ୍ତି ମିଳିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକ ତ୍ବରାନ୍ବିତ ହେବ। ସିରମ୍‌ର କୋଭିସିଲ୍‌ଡ ଟିକାର ପରିବହନ ଓ ସଂରକ୍ଷଣରେ ବିଶେଷ ଅସୁବିଧା ନଥିବା ବେଳେ ଭାରତ ବାୟୋଟେକ ଟିକା ମଧ୍ୟ ପ୍ରାୟ ସମାନ ସ୍ଥିତିରେ ରହିଛି। ଭାରତରେ ଟିକା ଦୌଡ଼ରେ ସିରମ୍‌ର କୋଭିସିଲ୍‌ଡ ଟିକା ଏବଂ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଟିକା ଅଗ୍ରଣୀ ରହିଛି।

The post ଭାରତରେ ଟିକାକରଣ ଜାନୁଆରିରୁ ଆରମ୍ଭ ହୋଇପାରେ first appeared on Sambad.



from କରୋନା – Sambad https://ift.tt/37fvYlR