
ନୂଆଦିଲ୍ଳୀ : ନୂଆ ବର୍ଷରେ ମଧ୍ୟ ଜାରି ରହିବ କୋଭିଡ୍ କଟକଣା। କରୋନା ନୂଆ ରୂପରେ ଆସି ପରିସ୍ଥିିତିକୁ ଭୟଙ୍କର କରୁଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ସରକାରଙ୍କ ପକ୍ଷରୁ ଜାରି ଗାଇଡ୍ଲାଇନ୍ସରେ କୁହାଯାଇଛି ଯେ କଟକଣା ଅବଧିକୁ ଆସନ୍ତା ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ବିଶେଷ କରି ନୂଆ ବର୍ଷ ଉତ୍ସବ ପାଳନ ଏବଂ ଶୀତ ଋତୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ଯେପରି କରୋନା ପ୍ରକୋପ ବୃଦ୍ଧି ନପାଉ ତାହା ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଏଦିଗରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସହଯୋଗ କରିବା ଲାଗି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଟିକାକରଣ କାର୍ଯ୍ୟକ୍ରମେରେ ମଧ୍ୟ କେନ୍ଦ୍ରୀୟ ସଂସ୍ଥାକୁ ସହଯୋଗ କରିବା ଲାଗି କୁହାଯାଇଛି।
କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ଯେ ଗତ କିଛି ଦିନ ଧରି ଦେଶରେ କରୋନା ମାମଲାରେ ଯଥେଷ୍ଟ ହ୍ରାସ ପାଇଛି। କିନ୍ତୁ ବ୍ରିଟେନରେ ନୂଆ ରୂପରେ କରୋନା ବ୍ୟାପୁଥିବାରୁ ଏହା ଚିନ୍ତାର କାରଣ ହୋଇଛି। ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ।
ସୂଚନାଯୋଗ୍ୟ ଯେ ଗତ ମାସ କେନ୍ଦ୍ର ସରକାର ଯେଉଁ ଗାଇଡଲାଇନ୍ସ ଜାରି କରିଥିଲେ ସେଥିରେ ସାମାଜିକ, ଧାର୍ମିକ ସମାବେଶ ସହିତ ସିନେମା ହଲ, ସୁଇମିଂ ପୁଲ ଏବଂ ଏକ୍ଜିବିସନ ହଲକୁ ଅନୁମତି ମିଳିଥିଲା। କିନ୍ତୁ ଏଥିପାଇଁ ଅନେକ ସର୍ତ ରଖାଯାଇଥିଲା। ସେହିଭଳି ଶିକ୍ଷାନୁଷ୍ଠାନକୁ ଖୋଲିବା ଲାଗି ମଧ୍ୟ ସର୍ତ ରଖାଯାଇଥିଲା। ତେବେ ରାଜ୍ୟ ସରକାର ତଥା ସ୍ଥାନୀୟ ପ୍ରଶାସନ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନେଇପାରିବେ ବୋଲି କୁହାଯାଇଥିଲା।
The post ନୂଆ ବର୍ଷରେ ବି କୋଭିଡ୍ କଟକଣା first appeared on Sambad.
from କରୋନା – Sambad https://ift.tt/38WVxb5
0 Comments