ଭୁବନେଶ୍ବର : ବ୍ରିଟେନ୍‌ରେ କରୋନା ଭୂତାଣରୁ ନୂଆ ଷ୍ଟ୍ରେନ୍‌(ବି.୧.୧.୭) ଚିହ୍ନଟ ହେବା ପରେ ସେଠାରୁ ଓଡ଼ିଶା ଫେରିଥିବା ୧୮୧ ଜଣଙ୍କ ମଧ୍ୟରୁ ୯୨ ଜଣଙ୍କୁ ଚିହ୍ନଟ କରିବା ଲାଗି ରାଜ୍ୟରେ ତନାଘନା ଆରମ୍ଭ ହୋଇଛି। ବ୍ରିଟେନ୍‌ରୁ ଫେରିଥିବା ୬୨ଜଣଙ୍କ ପତ୍ତା ମିଳୁନଥିବା ନେଇ ଆଜି ଦିନ ସାରା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ପରେ ଏହି ସଂଖ୍ୟା ୯୨ ‌ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। କିଛି ଫେରନ୍ତା ନିଜର ଭୁଲ୍ ଫୋନ୍ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରୁ ନାହିଁ। ଏଭଳି ପରିସ୍ଥିତିରେ ସେମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କର ନମୁନା ସଂଗ୍ରହ କରିବାକୁ ନେଇ ରାଜ୍ୟ ସରକାର ଅକଳରେ ପଡ଼ିଛନ୍ତି।

ବ୍ରିଟେନ୍‌ରେ କରୋନା ଭୂତାଣରୁ ନୂଆ ଷ୍ଟ୍ରେନ୍‌କୁ ନେଇ ବିଶ୍ବବ୍ୟାପୀ ଆତଙ୍କ ଖେଳି ଯାଇଛି। କରୋନା ଭୂତାଣୁ ତୁଳନାରେ ଏହା ୫୦-୭୦ ପ୍ରତିଶତ ଦ୍ରୁତ ଗତିରେ ବ୍ୟାପୁଥିବାରୁ ବିଶ୍ବବାସୀ ଭୟଭୀତ ହୋଇ ରହିଛନ୍ତି। ଏଭଳି ପରିସ୍ଥିତିରେ ଗତ ୧ମାସ ଭିତରେ ୧୮୧ଜଣ ବ୍ରିଟେନ୍‌ରୁ ଓଡ଼ିଶାକୁ ଫେରିଛନ୍ତି। ଏଥିରେ ଭୁବନେଶ୍ବରରେ ସର୍ବାଧିକ ୭୪ଜଣ ରହିଛନ୍ତି। ଆଇସିଏମ୍‌ଆର ପକ୍ଷରୁ ଏସବୁ ଫେରନ୍ତାଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ଆର୍‌ଟି-ପିସିଆର ପରୀକ୍ଷା କରିବା ଲାଗି ନିର୍ଦେଶ ଦିଆଯିବା ପରେ ରାଜ୍ୟରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଥିଲା। ଏ ପର୍ଯ୍ୟନ୍ତ ୮୯ ଫେରନ୍ତାଙ୍କ ସମେତ ତାଙ୍କ ପରିବାର ଓ ସଂସ୍ପର୍ଶରେ ଆସିଥିବା ୪୪ଜଣଙ୍କୁ ମିଶାଇ ସମୁଦାୟ ୧୩୩ କୋଭିଡ୍‌ ନମୁନା ସଂଗ୍ରହ କରାଯାଇଛି। ଏଥିରେ ୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବର ଓ ଜଗତସିଂହପୁରର ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଆରମ୍ଭରୁ ଭୁବନେଶ୍ବରରୁ ଚିହ୍ନଟ ୩୪ବର୍ଷର ଯୁବକ ଓ ଜଣେ ୪ବର୍ଷର ଝିଅର ନମୁନା ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜିକୁ ଜିନ୍ ଅନୁଶୀଳନ କରିବା ଲାଗି ପଠାଯାଇଛି। ମାତ୍ର ଦୁହିଁଙ୍କ ରିପୋର୍ଟ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ମାତ୍ର ପରବର୍ତୀ ସମୟରେ ଚିହ୍ନଟ ହୋଇଥିବା ୪ଜଣଙ୍କ ନମୁନା ପୁନେ ଯିବ ନା କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସ୍‌ରେ ଜିନ୍ ଅନୁଶୀଳନ କରାଯିବ ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ନିର୍ଦ୍ଦିଷ୍ଟ ଭାବେ କିଛି ଉତ୍ତର ରଖିପାରୁ ନାହାନ୍ତି।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ ବ୍ରିଟେନ୍‌ ଫେରନ୍ତାଙ୍କୁ ଚିହ୍ନଟ କରି ସେମାନଙ୍କ ନମୁନା ସଂଗ୍ରହ କରିବା ଲାଗି ଉଦ୍ୟମ ଜାରି ରହିଛି। କିଛି ଫେରନ୍ତା ରାଜ୍ୟ ବାହାରକୁ ଚାଲି ଯାଇଥିବା ସନ୍ଦେହ କରାଯାଉଛି। ତେଣୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଯୋଗ କରାଯାଉଛି। ତେବେ ଜିନ୍ ଅନୁଶୀଳନ ଲାଗି ଆରମ୍ଭରୁ କିଛି ନମୁନା ପୁନେ ପଠାଯାଇଥିଲା। ହେଲେ ଆଗକୁ ଆଇଏଲଏସ୍‌ରେ ହିଁ, ଜିନ୍ ଅନୁଶୀଳନ କରାଯିବ ବୋଲି ନିଷ୍ପତ୍ତି କରାଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

The post ୯୨ ବ୍ରିଟେନ୍‌ ଫେରନ୍ତାଙ୍କ ପତ୍ତା ମିଳୁନି first appeared on Sambad.



from କରୋନା – Sambad https://ift.tt/3aWSVMC