
ଭୁବନେଶ୍ବର : ଓଡ଼ିଶାକୁ ଆସିଥିବା ବ୍ରିଟେନ୍ ଫେରନ୍ତାଙ୍କୁ ନେଇ ତନାଘନା ଚାଲିଥିବା ବେଳେ ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ରାଜଧାନୀର। ଏହାକୁ ମିଶାଇ ରାଜଧାନୀରେ ସମୁଦାୟ ୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଅପରପକ୍ଷରେ ପୂର୍ବରୁ ଚିହ୍ନଟ ହୋଇପାରୁ ନ ଥିବା ଫେରନ୍ତାଙ୍କୁ ଇତିମଧ୍ୟରେ ଚିହ୍ନଟ କରିବା କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଏ ପର୍ଯ୍ୟନ୍ତ ୧୬୦ଜଣ ବ୍ରିଟେନ୍ ଫେରାନ୍ତଙ୍କୁ ଚିହ୍ନଟ କରାଯାଇ ସାରିଲାଣି।
ଗତ ୧ମାସ ଭିତରେ ବ୍ରିଟେନ୍ରୁ ଓଡ଼ିଶାକୁ ୧୮୧ଜଣ ଫେରିଛନ୍ତି। ବ୍ରିଟେନ୍ରେ କରୋନା ଭୂତାଣରୁ ନୂଆ ଷ୍ଟ୍ରେନ୍(ବି.୧.୧.୭) ଦ୍ରୁତ ଗତିରେ ସଂକ୍ରମିତ କରୁଥିବା ସ୍ପଷ୍ଟ ହେବା ପରେ ସେମାନଙ୍କୁ ଚିହ୍ନଟ କରିବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। କିଛି ଫେରନ୍ତାଙ୍କ ଭୁଲ୍ ଫୋନ୍ ନମ୍ବର ଓ ଠିକଣା ପାଇଁ ସେମାନଙ୍କୁ ଆରମ୍ଭରୁ ଚିହ୍ନଟ କରିବାରେ ସମସ୍ୟା ଉପୁଜିଥିଲା। ବିଶେଷକରି ରାଜଧାନୀକୁ ଫେରିଥିବା ଅନେକ ଫେରନ୍ତାଙ୍କ ଏଭଳି ତ୍ରୁଟିପୂର୍ଣ୍ଣ ଠିକଣାକୁ ନେଇ ବିବାଦ ଉପୁଜିଥିଲା। ଏଥିପାଇଁ ବିଏମ୍ସି ପକ୍ଷରୁ ୬ଟି ଆରଆରଟି ଜରିଆରେ ଚିହ୍ନଟ କାର୍ଯ୍ୟ ଆରମ୍ଭ କରାଯାଇଛି। ବିଏମ୍ସି ପକ୍ଷରୁ ସମୁଦାୟ ୭୯ ଫେରନ୍ତାଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଥିରେ ଖୋର୍ଧା ଗ୍ରାମାଞ୍ଚଳର ୧୭ଜଣ ରହିଛନ୍ତି। ବିଏମ୍ସିର ୬୨ ଫେରନ୍ତାଙ୍କ ମଧ୍ୟରୁ ୫୦ଜଣଙ୍କୁ ଏ ପର୍ଯ୍ୟନ୍ତ ଯୋଗାଯୋଗ କରାଯାଇଛି। ୧୨ଜଣଙ୍କୁ ଯୋଗାଯୋଗ ହୋଇପାରି ନାହିଁ। ସେହିପରି ଯୋଗାଯୋଗ ହୋଇଥିବା ୫୦ ଫେରନ୍ତାଙ୍କ ମଧ୍ୟରୁ ୧୫ଜଣଙ୍କ ନମୁନା ସଂଗ୍ରହ କରାଯାଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ୧୬୦ ଫେରନ୍ତାଙ୍କ ସହିତ ସଂପର୍କରେ ଆସିଥିବା ୪୪ଜଣଙ୍କୁ ମିଶାଇ ସମୁଦାୟ ୨୦୪ ନମୁନା ସଂଗ୍ରହ କରାଯାଇଛି। ଖୁବଶୀଘ୍ର ଅନ୍ୟମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନମୁନା ସଂଗ୍ରହ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବରୁ ୩ଟି ନମୁନା ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିକୁ ଜିନ୍ ଅନୁଶୀଳନ କରିବା ଲାଗି ପଠାଯାଇଥିବା ବେଳେ ଅନ୍ୟ ନମୁନାକୁ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସ୍କୁ ପଠାଯାଇଥିବା ଜଣାପଡ଼ିଛି। ତେବେ ଓଡ଼ିଶାରେ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ରିଟେନ୍ ଫେରାନ୍ତଙ୍କ ଶରୀରରେ କରୋନା ଭୂତାଣୁର ନୂତନ ଷ୍ଟ୍ରେନ୍ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
The post ଆଉ ଜଣେ ବ୍ରିଟେନ୍ ଫେରନ୍ତା ପଜିଟିଭ୍ first appeared on Sambad.
from କରୋନା – Sambad https://ift.tt/34WwGms
0 Comments