ଚାନ୍ଦୋଳ: ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଖମୋଳ ଗ୍ରାମର ନବଘନ ସାହୁ। ବର୍ତମାନ ବୟସ ୫୨। ୧୯୮୪ ମସିହାରେ ମାଟ୍ରିକ୍‌ ପରୀକ୍ଷାରେ ଫେଲ୍‌ ହୋଇଯିବାରୁ ଘରୁ ଲୁଚି ପଳାଇ ଯାଇଥିଲେ ଶ୍ରୀକ୍ଷେତ୍ର ପୁରୀ। ସେଠାରେ ସମୁଦ୍ରରୁ ଶିପ ଶାମୁକା, ଶଙ୍ଖ ଆଦି ସ˚ଗ୍ରହ କରି ସେଥିରେ ଫୁଲଦାନି, ନର୍ତକୀ, ବିଭିନ୍ନ ମୂର୍ତି ନିର୍ମାଣ କରି ପୁରୀକୁ ଆସୁଥିବା ଭକ୍ତ ଓ ବିଦେଶୀ ପର୍ଯ୍ୟଟକମାନଙ୍କୁ ବିକ୍ରି କରୁଥିଲେ। ତା’ ସହିତ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶର ଫଟୋ, ମାଳି ଓ ଅନ୍ୟାନ୍ୟ ଫଟୋ ବିକ୍ରି କରି ଲବ୍‌ଧ ଧନରେ ନିଜର ସ୍ତ୍ରୀ, ପୁଅ ଓ ଝିଅଙ୍କ ସହ ବେଶ୍‌ ଆରାମରେ ଚଳି ଆସୁଥିଲେ। ଝିଅକୁ ବିଜ୍ଞାନରେ ସ୍ନାତକ ସାରିବା ପରେ ବିଏଡ଼୍‌ ପଢ଼ାଇବା ଓ ବିଟେକ୍‌ ପଢ଼ୁଥିବା ପୁଅକୁ ପାଠ ପଢ଼ାଇ ରୋଜଗାରକ୍ଷମ କରିବାର ସ୍ବପ୍ନ ରହିଥିଲା। ହେଲେ କୋଭିଡ୍‌-୧୯ ସବୁ ବଦଳାଇ ଦେଲା। ଶ୍ରୀଜଗନ୍ନାଥ ମନ୍ଦିର ବନ୍ଦ ହୋଇଗଲା। ଶ୍ରୀକ୍ଷେତ୍ରରେ ଉତ୍ସବ ସବୁ ବନ୍ଦ ହୋଇଗଲା ନତୁବା ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ବିନା କରାଗଲା।

ଫଳରେ ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନେ ଆସିବା ବନ୍ଦ କରିଦେଲେ। ଏଭଳି ପରିସ୍ଥିତି ହେଲା ଯେ, ନବଘନଙ୍କୁ ନିଜ ଖର୍ଚ୍ଚ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଲା। ବାଧ୍ୟହୋଇ ଘରକୁ ପଳାଇ ଆସିଲେ ସେ। ଗାଁରେ କିଛି ଧନ୍ଦା କରିବାକୁ ନ ଥିଲା। ସେତେବେଳେ ମାସ୍କ୍‌ ବ୍ୟବହାର ବାଧ୍ୟତାମୂଳକ ହୋଇଥିବାରୁ ସେ ଏହି ଧନ୍ଦାରେ ନିଜକୁ ସାମିଲ କରିବାକୁ ମନ ବଳାଇଲେ। ଘରେ ତାଙ୍କ ସ୍ତ୍ରୀ ତିଆରି କରିଥିବା ମାସ୍କ୍‌କୁ ଗାଁ ଦେଇ ଯାଇଥିବା କଟକ-ଚାନ୍ଦବାଲି ରାଜରାସ୍ତାର ଖମୋଳ ଛକରେ ବିକ୍ରୟ ଆରମ୍ଭ କରିଥିଲେ। ମାସ୍କ୍‌ର ଚାହିଦା ବଢ଼ିବା ଓ ଏହାକୁ ଏକ ଅଳଙ୍କାର ଭଳି ଲୋକମାନେ ବ୍ୟବହାର କରୁଥିବାରୁ ବିଭିନ୍ନ କିସମ ଓ ଦାମୀ କପଡ଼ାରେ ନିର୍ମିତ ମାସ୍କ୍‌ କରି ବିକ୍ରି କରିବା ସହ ଘରେ ସ୍ତ୍ରୀ ପ୍ରସ୍ତୁତ କରୁଥିବା ମାସ୍କ୍‌ ବିକ୍ରି କରି ସେହି ଅର୍ଥରେ ପରିବାର ଚଳାଉଛନ୍ତି ନବଘନ। ପୁରୀର ବ୍ୟବସାୟଠାରୁ ବର୍ତ୍ତମାନର ମାସ୍କ୍‌ ବିକ୍ରିରୁ ମିଳୁଥିବା ଅର୍ଥ ତୁଳନାତ୍ମକ ଭାବେ ନଗଣ୍ୟ ବୋଲି କହିବା ସହ ସୁଖେଦୁଃଖେ ଜୀବନ ବିତାଉଥିବା କହିଛନ୍ତି ନବଘନ।

The post କରୋନା କାହାଣୀ: ବଦଳିଗଲା ବୃତ୍ତି, ଅଧୁରା ରହିଲା ସ୍ବପ୍ନ first appeared on Sambad.



from କରୋନା – Sambad https://ift.tt/2VV4D1M