ଵାସିଂଟନ : ଅହେତୁକ ପ୍ରତୀକ୍ଷାର ଅନ୍ତ ଘଟାଇ ଆମେରିକାରେ ବହୁ ଚର୍ଚ୍ଚିତ ଫାଇଜର ଟିକାର ଜରୁରୀକାଳୀନ ଟିକାକରଣ ଆରମ୍ଭ ହୋଇଛି। ତେବେ ଟିକାକରଣର ପ୍ରଥମ ଦିନରୁ ହିଁ ଅନେକ ଅପ୍ରତ୍ୟାଶିତ ଅସୁବିଧା ସବୁ ଦେଖିବାକୁ ମିଳିଛି। ଏପରିକି କିଛି କ୍ଷେତ୍ରରେ ଟିକାକୁ ମାତ୍ରାଧିକ ନ୍ୟୂନତମ ଶୀତଳ ଅବସ୍ଥାରେ ସଂରକ୍ଷିତ କରାଯାଇଥିବା ଦେଖିବାକୁ ମିଳିଛି, ଯାହାର ପରିଣତି ସ୍ବରୂପ ଟିକାର ଫଳପ୍ରଦତା ଉପରେ ନିଜେ କମ୍ପାନି ପକ୍ଷରୁ ପ୍ରଶ୍ନ ଉଠାଯାଇଛି। କାଲିଫର୍ଣ୍ଣିଆରେ ଟିକାର ପ୍ରୟୋଗ ବେଳେ ଅତି କମ୍‌ରେ ଦୁଇଟି ଟ୍ରେ’ରେ ରହିଥିବା ଟିକାଗୁଡ଼ିକ ଆବଶ୍ୟକ ପଡୁଥିବା ବିଯୁକ୍ତ ୭୦ ଡିଗ୍ରି ସେଲସିଅସ୍‌ ତାପମାତ୍ରାର ଯଥେଷ୍ଟ ତଳେ(ବିଯୁକ୍ତ ୮୦ ଡିଗ୍ରିରୁ କମ୍‌) ସଂରକ୍ଷିତ ଥିବା ଜଣାପଡ଼ିଥିଲା।

ଏବେ ସଂପୃକ୍ତ ଅଧିକାରୀମାନେ ତାପମାତ୍ରାର ଏଭଳି ତାରତମ୍ୟ ଯୋଗୁଁ ଟିକାର ଗୁଣବତ୍ତାରେ କିଛି ଫରକ ପଡ଼ିବ ନା ନାହିଁ ତାହା ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି। ସେହିପରି ସାରା ଆମେରିକାବାସୀଙ୍କ ପାଇଁ ଆବଶ୍ୟକ ପଡୁଥିବା ଟିକା ଫାଇଜର କମ୍ପାନି ନିର୍ଦ୍ଦିଷ୍ଟ ସମୟରେ ଯୋଗାଇ ପାରିବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି। ତେବେ ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ଏଥି ପାଇଁ କମ୍ପାନିକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଯିବ ବୋଲି ଭରସା ଦିଆଯାଇଛି। ପୂର୍ବରୁ ଫାଇଜରର ଭାଗୀଦାର ବାୟୋଏନ୍‌ଟେକ୍‌ ପକ୍ଷରୁ କୁହାଯାଇଥିଲା ଯେ କଞ୍ଚାମାଲ୍‌ର ଅଭାବ ଯୋଗୁଁ ଚଳିତ ବର୍ଷ ପାଇଁ ଟିକା ପ୍ରସ୍ତୁତିର ଧାର୍ଯ୍ୟ ଲକ୍ଷ୍ୟ ରହିଥିବା ୧୦ କୋଟି ମାତ୍ରାର ଅଧା କମାଇ ଦିଆଯାଇଛି। ତେବେ ଫାଇଜର ଏ ସମ୍ପର୍କରେ ନିରବ ରହିଛି। ଅପରପକ୍ଷେ, ଆଗକୁ ଆମେରିକାର କିଛି ଅଞ୍ଚଳରେ ଭୀଷଣ ବରଫଝଡ଼ର ପୂର୍ବାନୁମାନ ରହିଥିବାରୁ ସେହି ସବୁ ଇଲାକାକୁ ଟିକା ପରିବହନରେ ବାଧା ଉପୁଜିବାର ଆଶଙ୍କା ଦେଖାଯାଇଛି।

The post ଆମେରିକାରେ ପ୍ରଥମରୁ ଝୁଣ୍ଟିଲାଣି ଫାଇଜର ଟିକା first appeared on Sambad.



from କରୋନା – Sambad https://ift.tt/3r7vc23