
ନୂଆଦିଲ୍ଲୀ: ଅତ୍ୟଧିକ ବ୍ୟୟବହୁଳ ହୋଇଥିବାରୁ ଭାରତରେ ଟିକାକରଣ ଅଭିଯାନ ଲାଗି କେନ୍ଦ୍ର ସରକାର କୋଭିଡ୍-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୫% ଫଳପ୍ରଦ ବୋଲି କୁହାଯାଉଥିବା ‘ଫାଇଜର୍-ବାୟୋଏନ୍ଟେକ୍’ ନିର୍ମିତ କରୋନାଭାଇରସ୍ ଟିକା କିଣି ନ ପାରନ୍ତି।
କୋଭିଡ୍-୧୯ ପ୍ରତିରୋଧ ସକାଶେ ଦେଶରେ ଅନ୍ୟାନ୍ୟ ବିକଳ୍ପ ଟିକା ଉପଲବ୍ଧ ହେବାକୁ ଯାଉଥିବାରୁ ସରକାର ‘ଫାଇଜର୍’ ନିର୍ମିତ ଟିକା ପ୍ରତି ଆଗ୍ରହ ପ୍ରକାଶ ନ କରି ପାରନ୍ତି ବୋଲି ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି।
ତେଣେ, ରବିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାରେ ‘ଫାଇଜର୍’ କରୋନାଭାଇରସ୍ ଟିକା ବଣ୍ଟନ ଆରମ୍ଭ ହୋଇଛି। ଆଜି ଠାରୁ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱାସ୍ଥ୍ୟ ସେବା କର୍ମୀ ଏବଂ ନର୍ସିଙ୍ଗ୍ ହୋମ୍ ବାସିନ୍ଦାଙ୍କୁ କରୋନାଭାଇରସ୍ ଟିକା ଦିଆଯିବ ବୋଲି ଆଶା କରାଯାଉଛି।
କିନ୍ତୁ, ଭାରତରେ ‘ଫାଇଜର୍’ ନିର୍ମିତ କରୋନାଭାଇରସ୍ ଟିକାକରଣ ନ ହୋଇପାରିବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଏହାର ମୂଲ୍ୟ। ୩୭ ଡଲାର୍ ଦାମ୍ ଥିବା ଗୋଟିଏ ‘ଫାଇଜର୍’ ଟିକାର ମୂଲ୍ୟ ଭାରତୀୟ ମୁଦ୍ରାରେ ହେଉଛି ୨, ୭୨୮ ଟଙ୍କା। ଏହି ଟିକା ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ନିର୍ମିତ ‘କୋଭାସିଲ୍ଡ୍’ ଏବଂ ରୁଷ୍ ନିର୍ମିତ କରୋନାଭାଇରସ୍ ଟିକା ଠାରୁ ଯଥେଷ୍ଟ ବ୍ୟୟବହୁଳ। ଏହି ଟିକା ସବୁ ପ୍ରାୟ ୧୦ ଡଲାର୍ ବା ଭାରତୀୟ ମୁଦ୍ରାରେ ୭୩୭ରେ ମିଳିପାରିବ।
ଏହାଛଡ଼ା, ବିଯୁକ୍ତ ୭୦ ଡିଗ୍ରି ସେଲିସିୟସ୍ ଶୀତଳିକରଣ ବ୍ୟବସ୍ଥାରେ ରହୁଥିବା‘ଫାଇଜର୍’ ଟିକାକୁ ସଂରକ୍ଷଣ କରି ରଖିବା ଭାରତ ପାଇଁ କଷ୍ଟକର ହୋଇପାରେ।
‘ଫାଇଜର୍’ ନିର୍ମିତ କରୋନାଭାଇରସ୍ ଟିକାର ଦାମ୍ ୩ ଡଲାର୍ (ଟ.୨୨୦.୯୫) ରହିଲେ ଭାରତ ଏଥିରୁ ୬୮୦ ନିୟୁତ କିଣିବ ଏବଂ ଏଥିପାଇଁ ୧.୯ ବିଲିୟନ୍ ଡଲାର୍ ବ୍ୟୟ ହେବ ବୋଲି ପୂର୍ବରୁ ‘ବର୍ଣ୍ଣଷ୍ଟିନ୍ ଆନାଲିଷ୍ଟ୍ସ୍’ ଆକଳନ କରିଥିଲା। କିନ୍ତୁ, ଯଦି ଏହି ଟିକାର ମୂଲ୍ୟ ୧୩ ଡଲାର୍ ରହେ ତେବେ ଭାରତ ପାଇଁ ଏହାର ମୂଲ୍ୟ ପ୍ରାୟ ୧୨ଗୁଣ ଅଧିକ ହୋଇଯିବ। ଏହାଛଡ଼ା, କେବଳ ସରକାରୀ ବରାଦ ଜରିଆରେ ଟିକା ବିକ୍ରୟ କରିବ ବୋଲି ‘ଫାଇଜର୍’ କହିଥିବା କଥା ‘ବିଜ୍ନେସ୍ ଷ୍ଟାଣ୍ଡାର୍ଡ’ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା।
The post ବ୍ୟୟବହୁଳ ହୋଇଥିବାରୁ ‘ଫାଇଜର୍’ କୋଭିଡ୍-୧୯ ଟିକା କିଣି ନ ପାରନ୍ତି ସରକାର first appeared on Sambad.
from କରୋନା – Sambad https://ift.tt/2W9Muxp
0 Comments