
ଭୁବନେଶ୍ବର: କରୋନା ଟିକାକରଣ ପାଇଁ ସରକାର ଆଜି ବ୍ଲକ୍ ଟାସ୍କଫୋର୍ସ କମିଟି ଗଠନ କରିଛନ୍ତି। ସ୍ଥାନୀୟ ବିଡିଓଙ୍କୁ ଏହାର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଏଥିରେ ଅନ୍ୟମାନଙ୍କୁ ସଦସ୍ୟ ଭାବେ ସାମିଲ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ରାଜ୍ୟସ୍ତରୀୟ ଟାସ୍କଫୋର୍ସ କମିଟି ସହିତ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ କରାଯାଇଛି। ଏ ଦୃଷ୍ଟିରୁ ବ୍ଲକ୍ ଟାସ୍କଫୋର୍ସ ଗଠନ ଜରୁରୀ ହୋଇପଡ଼ିଥିଲା। ବିଡିଓ ଏହାର ଅଧ୍ୟକ୍ଷ ଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଧିକାରୀ ଏହାର ଆବାହକ ରହିବେ। ଏହାସହ ସିଡିପିଓ, ବ୍ଲକ୍ ଶିକ୍ଷା ଅଧିକାରୀ, ପଞ୍ଚାୟତ ଲୋକପ୍ରତିନିଧି, ଏନ୍ସିସି, ନେହରୁ ଯୁବ କେନ୍ଦ୍ର, ଏନ୍ଏସ୍ଏସ୍, ପୂର୍ତ୍ତ ବିଭାଗ, ପ୍ରାଣୀ ସଂପଦ, ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏନ୍ଜିଇଓ, ଡବ୍ଲୁଏଚ୍ଓ, ୟୁନିସେଫ୍, ସ୍ଥାନୀୟ ଏନ୍ଜିଓ, ରୋଟାରି, ଲାୟନ୍ସ କ୍ଲବ୍ର ସଦସ୍ୟ ଓ ସ୍ଥାନୀୟ ଧାର୍ମିକ ନେତୃମଣ୍ଡଳୀ ଏହାର ସଦସ୍ୟ ରହିବା ଲାଗି ନିଷ୍ପତ୍ତି ହୋଇଛି। ସପ୍ତାହରେ ଅତିକମ୍ରେ ଥରେ ଏହି କମିଟିର ବୈଠକ ଅନୁଷ୍ଠିତ ହେବ।
ବ୍ଲକ୍ସ୍ତରରେ ଟିକାକରଣକୁ ତ୍ବରାନ୍ବିତ କରିବା, କରୋନା ଟିକାକରଣ ସମୟରେ ଯେପରି ଅନ୍ୟ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ନ ହୁଏ, ତାହାର ନିରୀକ୍ଷଣ କରିବା ଲାଗି କୁହାଯାଇଛି। ଟିକାକୁ ନେଇ କୌଣସି ପ୍ରକାର ଗୁଜବକୁ ରୋକିବା ଦିଗରେ ମଧ୍ୟ କମିଟି ଗୁରୁତ୍ବ ଦେବ। ବିଭିନ୍ନ ସ୍ଥାନରେ ଟିକାକୁ ନେଇ ଯଥେଷ୍ଟ ସଂଖ୍ୟକ ସୂଚନାଧର୍ମୀ ଡିସପ୍ଲେ ଜାରି କରିବା, ଆଶା, ଏଭିଡିଙ୍କୁ ଠିକ୍ ସମୟରେ ପ୍ରୋତ୍ସାହନ ରାଶି ପ୍ରଦାନ ଓ ଟିକାକୁ ନେଇ ତୃଣମୂଳସ୍ତରରେ ଆସୁଥିବା ଗୁଣାତ୍ମକ ସୂଚନା ପ୍ରଦାନ କରିବା ଲାଗି କୁହାଯାଇଛି।
The post କରୋନା ଟିକା ପାଇଁ ଗଠନ ହେଲା ବ୍ଲକ୍ ଟାସ୍କଫୋର୍ସ, କମିଟିର ଅଧ୍ୟକ୍ଷ ରହିବେ ବିଡିଓ first appeared on Sambad.
from କରୋନା – Sambad https://ift.tt/33BIjyx
0 Comments