
ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ ପ୍ରକୋପରୁ ମୁକୁଳିବା ଲାଗି ଅନେକ ରାଷ୍ଟ୍ରରେ ଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ କିଛି ରାଷ୍ଟ୍ର ମଧ୍ୟ ସେଥିପାଇଁ ଯୁଦ୍ଧକାଳୀନ ପ୍ରସ୍ତୁତି ଚଳାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଅନେକ ଦେଶ ଫାଇଜର ଟିକା, ମଡର୍ଣ୍ଣା ଟିକା କିମ୍ବା ଉଭୟକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇ ସାରିଛନ୍ତି। ସେହିପରି ଅନ୍ୟ କିଛି ଦେଶରେ ଅକ୍ସଫୋର୍ଡ ଟିକାକୁ ଅନୁମତି ଦେବା ଉପରେ ବିଚାର ବିମର୍ଶ ଜାରି ରହିଛି। ଏହି କ୍ରମରେ ଭାରତରେ ଟିକାକରଣ ପାଇଁ କେଉଁ ଟିକାକୁ ପ୍ରାଥମିକତା ଦିଆଯିବ ତାହା ଚଳିତ ସପ୍ତାହରେ ସ୍ଥିର ହେବ ବୋଲି ଜଣାଯାଇଛି। ତେବେ ଅକ୍ସଫୋର୍ଡ ଟିକାର ଭାରତୀୟ ସଂସ୍କରଣ ‘କୋଭିସିଲ୍ଡ’ର ପ୍ରସ୍ତୁତକର୍ତ୍ତା ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଜରୁରୀକାଳୀନ ବ୍ୟବହାର ପାଇଁ କରିଥିବା ଆବେଦନ ଉପରେ ବିଚାର କରିବା ଲାଗି କେନ୍ଦ୍ରୀୟ ଭେଷଜ ମାନକ ନିୟନ୍ତ୍ରଣ ସଂସ୍ଥାନ(ସିଡିଏସ୍ସିଓ)ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଚଳିତ ସପ୍ତାହରେ ବସିବାକୁ ଯାଉଛି।
ନୋଭାଭାକ୍ସ ଏବଂ ଜାଇଡସ କାଡିଲା ଟିକା ଉପରେ ମଧ୍ୟ ବିଚାର ଚାଲିଛି
ଦକ୍ଷିଣ କୋରିଆରେ ମଡର୍ଣ୍ଣା ଟିକାକୁ ଅନୁମତି
ତୁର୍କୀ କିଣିବ ୫ କୋଟି ଚୀନୀ ଟିକା ‘କରୋନାଭାକ୍’
ବର୍ତ୍ତମାନ ସୁଦ୍ଧା ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ କୌଣସି ଟିକାକୁ ଅନୁମତି ଦିଆଯାଇନଥିବା ବେଳେ ଚାରିଟି ରାଜ୍ୟରେ ଚାଲିଥିବା କୋଭିଡ୍ ଟିକାକରଣ ‘ଡ୍ରାଇ ରନ୍’ ଅଭ୍ୟାସର ଆଜି ଶେଷ ଦିବସ ରହିଥିଲା। କୋଭିସିଲ୍ଡ ପାଇଁ ସିଡିଏସ୍ସିଓ ସଂବୁଜ ସଂକେତ ଦେବାର ଅନେକ ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ଭାରତର ସ୍ବଦେଶୀ କୋଭିଡ୍ ଟିକା କୋଭାକ୍ସିନ (ଭାରତ ବାୟୋଟେକ୍ ଏବଂ ଆଇସିଏମ୍ଆର୍ ଦ୍ବାରା ପ୍ରସ୍ତୁତ) ଏବଂ ରୁଷ୍ ନିର୍ମିତ କରୋନା ଟିକା ସ୍ପୁଟ୍ନିକ୍-ଭି’କୁ ମଧ୍ୟ ପରବର୍ତ୍ତୀ ସମୟରେ ପ୍ରାଥମିକତା ମିଳିବ। ସମଗ୍ର ଦେଶର ଟିକାକରଣ ପ୍ରକ୍ରିୟାରେ ଏହି ୩ଟି ଟିକା ସମେତ ଆଉ ୨ଟି ଟିକାକୁ ମଧ୍ୟ ସରକାର ସାମିଲ କରିବା ପାଇଁ ଯୋଜନା ରଖିଛନ୍ତି। ତାହାହେଲା ଜାଇଡସ୍ କାଡିଲାର ଜାଇକୋଭ୍ ଡି ଏବଂ ନୋଭାଭାକ୍ସ ଟକା ଏନ୍ଭିଏକ୍ସ-କୋଭ୍୨୩୭୩। ସେହିପରି ଦକ୍ଷିଣ କୋରିଆରେ ୨୦ ଲକ୍ଷ ଲୋକଙ୍କ ଟିକାକରଣ ପାଇଁ ମଡର୍ଣ୍ଣା ଟିକାକୁ ଅନୁମତି ମିଳିଯିବ ବୋଲି ଜଣାଯାଇଛି। ଦକ୍ଷିଣ କୋରିଆ ସରକାର କରୋନାଭୂତାଣୁ ତୃତୀୟ ଲହରୀର ମୁକାବିଲା ପାଇଁ ୮୪୯ କୋଟି ଡଲାରର ବ୍ୟୟବରାଦ ଘୋଷଣା କଲା ପରେ ଉପରୋକ୍ତ ସୂଚନା ମିଳିଛି। ଅପରପକ୍ଷେ, ଆଜି ସେଠାରେ ସର୍ବାଧିକ ଦୈନିକ ୪୦ଟି କରୋନା ମୃତ୍ୟୁ ଦେଖାଦେବା ସହ ମୋଟ ମୃତକଙ୍କ ସଂଖ୍ୟା ୮୫୯ରେ ପହଞ୍ଚିଛି। ଅନ୍ୟ ଏକ ଘଟଣାକ୍ରମରେ ଆମେରିକାର ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ(ଏନ୍ଆଇଏଚ୍) ସୋମବାର ଆମେରିକୀୟ ଭେଷଜ କମ୍ପାନି ନୋଭାଭାକ୍ସ ଦ୍ବାରା ବିକଶିତ ଟିକାର ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଆମେରିକା ଓ ମେକ୍ସିକୋରେ କରିବା ପାଇଁ ଘୋଷଣା କରିଛି। ସେହିପରି ଚୀନ୍ର ସିନୋଭାକ୍ କମ୍ପାନି ଦ୍ବାରା ବିକଶିତ କରୋନାଭାକ୍ ଟିକାର ୫ କୋଟି ମାତ୍ରା ତୁର୍କୀ ଆହରଣ କରିବ ବୋଲି ରାଷ୍ଟ୍ରପତି ରିସେପ ତାୟିପ୍ ଏର୍ଡୋଗାନ୍ ସୋମବାର ଘୋଷଣା କରିଛନ୍ତି। ନୈଦାନିକ ପରୀକ୍ଷଣରେ ଉକ୍ତ ଟିକା ତୁର୍କୀରେ ୯୧.୨୫ ପ୍ରତିଶତ ଫଳପ୍ରଦ ହୋଇଥିବା ଗତ ସପ୍ତାହରେ ଜଣାଯଇଛି। ତୁର୍କୀରେ ମଧ୍ୟ ଆହୁରି ୮ଟି ଭିନ୍ନ ଭିନ୍ନ କୋଭିଡ୍ ଟିକା ଉପରେ ପରୀକ୍ଷା ନିରୀକ୍ଷା ଜାରି ରହିଥିବା ସୂଚନା ମିଳିଛି।
The post ଚଳିତ ସପ୍ତାହରେ ଭାରତର କୋଭିଡ୍ ଟିକା ଚୟନ, ପ୍ରଥମ ପର୍ଯ୍ୟାୟରେ ‘କୋଭିସିଲ୍ଡ’କୁ ପ୍ରାଧାନ୍ୟ ମିଳିପାରେ first appeared on Sambad.
from କରୋନା – Sambad https://ift.tt/3mUlwVv
0 Comments