ଭୁବନେଶ୍ବର: ମହାମାରୀ କରୋନା ସମୟରେ ଯେତେବେଳେ ସାଧାରଣ ଲୋକଟିଏ ଘରୁ ପଦାକୁ ବାହାରିବାକୁ ଡରୁଥିଲା, ସେହି ସମୟରେ ନିଜ ଜୀବନକୁ ବାଜି ଲଗାଇ ଲଢ଼େଇ ଜାରି ରଖିଥିଲେ କରୋନା ଯୋଦ୍ଧା । କରୋନାକୁ ମାତ ଦେବା ପାଇଁ ସେମାନେ ଦିନ ରାତିକୁ ଏକ କରି ଦେଇଥିଲେ । ଲକ୍ଷ୍ୟ ଥିଲା କରୋନାକୁ ରୋକିବା । ସେହି କରୋନା ଯୋଦ୍ଧାଙ୍କ ମଧ୍ୟରୁ କେତେ ଜଣ ଆଜି କନକ ନ୍ୟୁଜର ନ୍ୟୁଜମେକର-୨୦୨୦ କାର୍ଯ୍ୟକ୍ରମରେ ସାମିଲ ହୋଇ ସେହି ସମୟର ଅଭିଜ୍ଞତାକୁ ବଖାଣିଛନ୍ତି ।

ବର୍ଷ ୨୦୨୦ ବିତିଛି କରୋନା ମହାମାରୀ ଭିତରେ । କରୋନା ଲଢ଼େଇରେ ଯେଉଁ କେତେଜଣ ସମ୍ମୁଖ ଯୋଦ୍ଧା ଚର୍ଚ୍ଚିତ ହୋଇଛନ୍ତି, ସେମାନଙ୍କ ଭିତରୁ କିଛି ପ୍ରମୁଖ ବ୍ୟକ୍ତିତ୍ୱ ଏକାଠି ହୋଇଥିଲେ କନକ ନ୍ୟୁଜର ନ୍ୟୁଜ ମେକର-୨୦୨୦ ମଂଚରେ । ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏବଂ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ବଖାଣିଥିଲେ କରୋନା କାଳରେ ସେମାନଙ୍କ ଗୁରୁଦାୟିତ୍ୱର କଥା । ଅମାନିଆଙ୍କୁ ଫାଇନ କାଟୁଥିଲା ପୁଲିସ, ହେଲେ ଗରିବଙ୍କ ପାଇଁ ଏହାମାତ୍ର ୫୦ରୁ ୧୦୦ ଟଙ୍କାରେ ସୀମିତ ଥିଲା । ଆଉ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଲୋକଙ୍କ ମନରେ ଉଠୁଥିବା ସନ୍ଦେହକୁ ଦୂର କରିବାକୁ ଚେଷ୍ଟା କରିଥିଲେ ବିଏମସି କମିସନର।

କରୋନାକୁ ନେଇ ଅଧିକ ପ୍ରଭାବିତ ହୋଇଥିବା ଗଂଜାମ ଜିଲ୍ଲାର ପରିସ୍ଥିତି ସୁଧାରିବା ପାଇଁ ଅଣ୍ଟା ଭିଡିଥିଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, କରୋନା ବିରୋଧୀ ଲଢ଼େଇରେ କେମିତି ସଫଳ ହେଲା ଗଂଜାମ ମଡେଲ । କରୋନା ମୁକାବିଲା କ୍ଷେତ୍ରରେ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେଇ ଦିନରାତି ଏକ କରି ଦେଇଥିବା ଆରଏମଆରସିର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ବଖାଣିଛନ୍ତି କେମିତି କାମ ସାରି ଘରକୁ ଫେରିବା ବେଳକୁ ରାତି ୩ଟା ବାଜି ଯାଉଥିଲା ।

କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସମ୍ କୋଭିଡ ହସପିଟାଲ ଓ ଅଶ୍ୱିନୀ କୋଭିଡ୍ ହସପିଟାଲର ପଛରେ ଥିବା ଦୁଇ ପ୍ରମୁଖ ବ୍ୟକ୍ତିତ୍ୱ ଡା. ଅଶୋକ ମହାପାତ୍ର ଓ ଡା. ସୁବ୍ରତ କୁମାର ଜେନା ସାମିଲ ହୋଇ ବାଣ୍ଟିଥିଲେ ସେମାନଙ୍କ ଅନୁଭୂତି । ଏହାବାଦ୍ ମହାମାରୀ ପ୍ରଭାବରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପର୍ଯ୍ୟଟନ କ୍ଷେତ୍ର । ପରବର୍ତୀ ସମୟରେ କିପରି ଏହାର ପୁନରୁଦ୍ଧାର କରାଯାଇପାରିବ, କେତେ ରହିଛି ସମ୍ଭାବନା, ଏ ସଂପର୍କରେ ମତ ରଖିଥିଲେ ଓଡ଼ିଶାର ପର୍ଯ୍ୟଟନ ନିର୍ଦ୍ଦେଶକ ସଚିବ ରାମଚନ୍ଦ୍ର ଯାଦବ ।

ସେପଟେ ପ୍ରତିକୂଳ ସ୍ଥିତିରେ ନିଜ କର୍ତବ୍ୟ ସଂପାଦନ କରି ଚର୍ଚ୍ଚାକୁ ଆସିଥିବା ମାଲକାନଗିରିର ମଲାଲା କୁସୁମଣୀ ଖିଲ, ସ୍ୱାଭିମାନ ଅଂଚଳର ଅଙ୍ଗନବାଡି କର୍ମୀ ପ୍ରମିଳା ପେଲମେଲ ଓ ହେମଲତା ଶିଶା ଏବଂ କରୋନା ସମୟରେ ପରିତ୍ୟକ୍ତ ମରଶରୀରକୁ ଦାହ ସଂସ୍କାର କରି ମାନବିକତାର ପରିଚୟ ଦେଇଥିବା ଭଂଜନଗରର ୪ ସାମ୍ବାଦିକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

The post ରାଜ୍ୟରେ କେମିତି ଥିଲା ମହାମାରୀର ମୁକାବିଲା? ‘ନ୍ୟୁଜ୍ ମେକର ୨୦୨୦’ରେ କରୋନା କାଳର ଅଭିଜ୍ଞତା ବଖାଣିଲେ ଭିନ୍ନ ଭିନ୍ନ ଭୂମିକାରେ ଥିବା କରୋନା ଯୋଦ୍ଧା first appeared on Sambad.



from କରୋନା – Sambad https://ift.tt/3p5oWpO