
କଟକ: ଗତକାଲି ରିମାଣ୍ଡର ତୃତୀୟ ତଥା ଶେଷ ଦିନ ଥିଲା। ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଜେରା କରି ଅଧିକରୁ ଅଧିକ ତଥ୍ୟ, ବଂଧୁକ, ଗୁଳି, ଟଙ୍କା ଜବତ କରିବାକୁ ଉଦ୍ୟମ କରିଥିଲା କମିସନରେଟ ପୁଲିସ। ନିଜ ମିସନରେ ଅନେକ ପରିମାଣରେ ସଫଳ ବି ହେଲା। କିନ୍ତୁ ଜେଲରେ ଥାଇ ବି ଧଳସାମନ୍ତ ଭାଇଙ୍କ ଏଭଳି ଯୋଜନାବଦ୍ଧ କାରବାର ଏବେ ପୁଲିସକୁ ବି ଚକିତ କରିଛି। କରୋନା ମହାମାରୀକୁ ନେଇ ଯେଉଁ ସମୟରେ ସମଗ୍ର ବିଶ୍ବ ଆତଙ୍କିତ ଥିଲା, ଲକଡାଉନ୍, ସଟଡାଉନରେ ଗାଁ ସହର ଶୂନଶାନ ହୋଇଯାଇଥିଲା, ସେ ସମୟରେ ବି ଦୁଇ ଭାଇ ଯୋଜନାବଦ୍ଧ ଭାବେ ନିରୀହ ଲୋକଙ୍କ ଲଗେଜରେ ମୁଙ୍ଗେରରୁ ବଂଧୁକ କଟକ ଆଣିଥିଲେ। କଟକରେ ଏ ସବୁ ପହଞ୍ଚିବା ପରେ ନିର୍ଦ୍ଦିଷ୍ଟ ସହଯୋଗୀଙ୍କ ଜରିଆରେ ସିଡିଏ ଘରେ ଲୁଚାଇ ରଖାଯାଇଥିଲା ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।
ଏହି ଘଟଣାରେ କଟକର ୧୦ ଜଣ ଧଳସମାନ୍ତଙ୍କୁ ସହଯୋଗ କରିଛନ୍ତି। ପୂର୍ବରୁ ଧଳସାମନ୍ତଙ୍କୁ କାରବାଇନ ଦେଇଥିବା ବ୍ୟକ୍ତିଙ୍କ ସଂପର୍କୀୟ ଏହି ବନ୍ଧୁକ ଯେଗାଇ ଦେଇଥିବା କୁହାଯାଉଛି। ଏଭଳି ତଥ୍ୟ ମିଳିବା ପରେ ପୁଲିସର ସ୍ବତନ୍ତ୍ର ଏକ ଦଳ ମୁଙ୍ଗେର ଯିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ଦୁଇ ଭାଇଙ୍କଠାରୁ ଯେଉଁ ତଥ୍ୟ ଆଦାୟ କରିଛି, ତାହାକୁ ନେଇ ଆଗକୁ କିଭଳି ତଦନ୍ତ ତ୍ବରାନ୍ବିତ କରିବ, ସେ ଯୋଜନା ପ୍ରସ୍ତୁତ କରିଛି। କିନ୍ତୁ ଯଦିଓ ନିଜ ବାପାଙ୍କ ନିକଟରେ ଦୁଇ ଧଳସାମନ୍ତ ଭାଇ ଅନୁତପ୍ତ ଥିବା ଦେଖାଇଛନ୍ତି, କିନ୍ତୁ ସେମାନଙ୍କ ଥାଟବାଟ ଆଉ ମନୋଭାବ ଏବେ ବି ବଦଳି ନଥିବା ସ୍ପଷ୍ଟ ହୋଇଛି। ଆସନ୍ତାକାଲି ଦୁଇ ଭାଇଙ୍କୁ କୋର୍ଟରେ ହାଜର କରାଯିବ। କିଛି ବାଟ ତଦନ୍ତ ଆଗେଇବା ପରେ ହୁଏତ ପୁଣି ସେମାନଙ୍କୁ ରିମାଣ୍ଡରେ ଆଣିବାକୁ ପଦକ୍ଷେପ ନିଆଯିବ। ଧଳସାମନ୍ତ ଭାଇଙ୍କ ଏହି କାରବାରର ପର୍ଦ୍ଦାଫାସରେ ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ବରେ ଏଡିସିପି ତ୍ରିନାଥ ମିଶ୍ର, ପ୍ରମୋଦ ରଥ, ଆଇଆଇସି ଅଜୟ ଦାସ ଓ ବିରଂଚି ପତି ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।
ମାଷ୍ଟର ବେଡ୍ରୁମ ସିଲିଂରୁ ମିଳିଲା ବନ୍ଧୁକ, ସିଜର ଲିଷ୍ଟରେ ଦସ୍ତଖତ କଲା ସୁଶୀଲ
ସୁଶୀଲ ଆଜି ତଦନ୍ତରେ ସହଯୋଗ କରିଥିବା ସୂଚନା ମିଳିଛି। ସିଡିଏସ୍ଥିତ ଏହି କୋଠାର ମାଷ୍ଟର ବେଡ୍ରୁମର ଛାତ ସିଲିଂରୁ ପୁଲିସ ବନ୍ଧୁକ ଜବତ କରିଥିଲା। ସେହିଭଳି ଭାବେ ଏକଦା ଘର ଭିତରେ ବାର୍ ଭାବେ ବ୍ୟବହାର କରାଯାଉଥିବା ସ୍ଥାନର ସିଲିଂରୁ ମଧ୍ୟ ଦୁଇଟି ବନ୍ଧୁକ ଓ ଗୁଳି ପୁଲିସ ଜବତ କରିଥିଲା। ଏହି ସ୍ଥାନରୁ ଅତୀତରେ ମଦ ଜବତ ନେଇ ମାମଲା ରୁଜୁ କରାଯାଇଥିଲା। ଘରର ବିଭିନ୍ନ ସ୍ଥାନରୁ ବିପୁଳ ଟଙ୍କା ମଧ୍ୟ ଜବତ କରାଯାଇଥିଲା। ଜବତ ବନ୍ଧୁକ, ଗୁଳି ଓ ଟଙ୍କାକୁ ସାମନାରେ ରଖି ସୁଶୀଲକୁ ପୁଲିସ ଘର ଭିତରେ ପ୍ରାୟ ଦେଢ ଘଣ୍ଟା ଜେରା କରିଥିଲା। ସୁଶୀଲ ତା ବାପା’ଙ୍କୁ ନ ଜଣାଇ ବିଶ୍ବସ୍ତ ଲୋକଙ୍କ ଜରିଆରେ ଏହି ଟଙ୍କା ଓ ବନ୍ଧୁକ ଘରେ ଲୁଚାଇ ରଖିଥିବା କହିଥିଲା। ବାପା ଶଯ୍ୟାଶାୟୀ ଥିବା ବେଳେ ତାଙ୍କୁ ଦେଖିବାକୁ କେତେକ ସହଯୋଗୀଙ୍କୁ ଘରକୁ ପଠାଇବା ବାହାନାରେ ଏହି ସବୁ ସାମଗ୍ରୀ ସବୁ ଲୁଚାଇ ରଖାଯାଉଥିଲା ବୋଲି ସୁଶୀଲ ନିକଟରୁ ପୁଲିସ ସୂଚନା ପାଇଛି। ଆଜି ବନ୍ଧୁକ, ଗୁଳି ଓ ଟଙ୍କା ଜବତ ସଂପର୍କିତ ଜବତ ତାଲିକା (ସିଜର ଲିଷ୍ଟ)ରେ ସୁଶୀଲ ଦସ୍ତଖତ କରିଛି।
ଘରକୁ ଆସିଲାନି ସୁଶାନ୍ତ
ପୁଲିସ ରିମାଣ୍ଡର ତୃତୀୟ ଦିନରେ ସକାଳ ୧୦ଟା ୧୦ରେ ପୁଲିସ ସୁଶୀଲ ଧଳସାମନ୍ତକୁ ଧରି ସିଡିଏରେ ପହଞ୍ଚିଥିଲା। ସୁଶାନ୍ତ କିନ୍ତୁ ଆଜି ଆସି ନଥିଲା। ଦେହ ଖରାପ ଥିବାରୁ ସୁଶାନ୍ତକୁ ଆଜି ଅଣା ଯାଇ ନଥିବା ସୂଚନା ମିଳିଛି। ଗତକାଲିର ଜେରା ପରେ ସୁଶାନ୍ତ ଆଜି ଅସୁସ୍ଥ ଅନୁଭବ କରୁଥିବା ଦର୍ଶାଇବାରୁ ତାକୁ ପୁଲିସ ସାଙ୍ଗରେ ଆଣି ନଥିବା ସୂଚନା ମିଳିଛି। ସୁଶୀଲକୁ ଆଣିବା ପୂର୍ବରୁ ଦୁଇ ଜଣ ବରିଷ୍ଠ ଇନ୍ସପେକ୍ଟର ଓ ଫୋର୍ସ ସିଡିଏସ୍ଥିତ ଧଳସାମନ୍ତଙ୍କ ଘରକୁ ଜଗି ରହିଥିଲେ। କର୍ଡନ କରି ସୁଶୀଲକୁ ପୁଲିସ ଭ୍ୟାନରୁ ଘର ଭିତରକୁ ନେଇଥିଲା।
ଟିଟୋ ଲିଙ୍କ୍ ନେଇ ଚର୍ଚ୍ଚା
ଆଜି ଧଳସାମନ୍ତ-ଟିଟୋ ଲିଙ୍କ୍ ପ୍ରସଂଗକୁ ନେଇ ପୁଲିସକୁ ସୂଚନା ମିଳିଛି। ଟିଟୋ ଜେଲରେ ଥିବା ବେଳେ ଟିଟୋର ଘନିଷ୍ଠ ୬ ଜଣ ସହଯୋଗୀ ଏବେ ଧଳସାମନ୍ତଙ୍କ ସହିତ କଂଟାକ୍ଟରେ ଅଛନ୍ତି ବୋଲି ପୁଲିସ ସୂଚନା ପାଇଛି। ଏଥି ମଧ୍ୟରେ କଟକର ୪ ଓ କେନ୍ଦ୍ରାପଡାର ୨ ଜଣ ଅଛନ୍ତି। ଏକଦା ଟିଟୋର ଘନିଷ୍ଠ ସହଯୋଗୀ ଥିବା ଏହି ବ୍ୟକ୍ତିମାନେ କିଛି ଦିନ ହେବ ଧଳସାମନ୍ତଙ୍କ ଚେନ୍ରେ ସାମିଲ ହୋଇଥିବା ସୂଚନା ମିଳିଛି।
ବାପାଙ୍କୁ କ୍ଷମା ମାଗିଲା ସୁଶୀଲ
ସୁଶୀଲ ଆଜି ତା ବାପାଙ୍କୁ କ୍ଷମା ମାଗିଥିଲା। ବାପାଙ୍କ ଅଜାଣତରେ ଏହି ବନ୍ଧୁକ ଓ ଅନ୍ୟ ସାମଗ୍ରୀ ଘରେ ରଖାଯାଇଥିବା କଥା ସେ କହିଥିଲା। ଆପଣଙ୍କ ମାନ ସମ୍ମାନ ତଳେ ପକାଇଲି ବୋଲି ବାପାଙ୍କୁ କହିଥିଲା। ଶଯ୍ୟାଶାୟୀ ଥିବା ବାପାଙ୍କୁ ସେ କ୍ଷମା କରିଦେବାକୁ ଅନୁରୋଧ କରିଥିଲା। ସେ ଅନୁତପ୍ତ ଥିବା ଭଳି ଭାବ ପ୍ରଦର୍ଶନ କରିଥିଲା।
ଚା ପିଇବାକୁ ମାଗିଲା; ଜିନ୍ସ, ଟିସାର୍ଟ, ଜୋତା ନେବ ବୋଲି କହିଲା…
ଘରେ ଚା’ ପିଇବାକୁ ସୁଶୀଲ ଇଚ୍ଛା କରିଥିଲା। ତାକୁ ଘରେ ଚା’ ପିଇବାକୁ ଭଲ ଲାଗେ ବୋଲି ସୁଶୀଲ କହିଥିଲା। କିନ୍ତୁ ପୁଲିସ ତାକୁ ବାହାର ଦୋକାନରୁ ଚା’ କିଣି ଆଣି ପିଇବାକୁ ଦେଇଥିଲା। ସୁଶୀଲ ଆଜି ଚା ବିସ୍କୁଟ ଖାଇଥିଲା। ସେହିଭଳି ଘରେ ଥିବା ତାର ଦାମୀ ଜିନ୍ସ, ସାର୍ଟ ଓ ଜୋତା ସାଙ୍ଗରେ ନେବାକୁ ସୁଶୀଲ କହିଥିଲା। ପୁଲିସର ଏଥି ପାଇଁ ସେ ଅନୁମତି ଲୋଡ଼ିଥିଲା। କିନ୍ତୁ ପୁଲିସ ଏହି ସବୁ ଜିନିଷ ସାଙ୍ଗରେ ନେବାକୁ ସୁଶୀଲକୁ ମନା କରିଥିଲା।
The post ଗ୍ୟାଙ୍ଗଷ୍ଟର୍ ଧଳସାମନ୍ତଙ୍କ କାରନାମା; ସଟଡାଉନ୍ରେ ବିହାରରୁ କଟକ ବଂଧୁକ ଚାଲାଣ first appeared on Sambad.
from କରୋନା – Sambad https://ift.tt/2WK9p2F
0 Comments