ଭୁବନେଶ୍ବର: ବ୍ରିଟେନର ନୂଆ ଷ୍ଟ୍ରେନକୁ ନେଇ ପ୍ରତିକ୍ରିୟା ରଖିଲେ ଡିଏମଇଟି ସିବିକେ ମହାନ୍ତି। ସେ କହିଛନ୍ତି ଯେ ୟୁକେ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ଷ୍ଟ୍ରେନ ସମ୍ପର୍କରେ ଅନୁଧ୍ୟାନ ଚାଲିଛି। ପୂର୍ବ କରୋନା ରୋଗୀଙ୍କ ଭଳି ଲକ୍ଷଣ ସମାନ ରହିଛି। ନୂଆ ଷ୍ଟ୍ରେନରେ ସଂକ୍ରମଣ ଅଧିକ ରହୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ ବ୍ରିଟେନର ପୂର୍ବ ତିନି ମାସର ସଂକ୍ରମଣ ହାର ଦେଖିଲେ ସେମିତି କିଛି ପ୍ରତିଫଳିତ ହେଉନି। କିନ୍ତୁ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ସରକାର ମଧ୍ୟ ଏସବୁ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ଓ ମୁଖ୍ୟମନ୍ତ୍ରୀ ପ୍ରତିଦିନ ସମୀକ୍ଷା କରୁଛନ୍ତି। ବ୍ରିଟେନ ଫେରନ୍ତା ନିଜ ସମ୍ପର୍କରେ ସୂଚନା ଦେବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କ ଜେନେଟିକ ଆନାଲିସିସ ହେବ। ଏହି ବ୍ୟକ୍ତିଙ୍କ ଠାରେ ନୂଆ ଷ୍ଟ୍ରେନ ଅଛି କି ନାହିଁ ନ ଜାଣିଲା ପର୍ଯ୍ୟନ୍ତ କିଛି ଭୟଭୀତ ହେବାର ଆବଶ୍ୟକତା ନାହିଁ। କିନ୍ତୁ ଏହାକୁ ଦ୍ଵିତୀୟ ୱେଭ କୁହାଯାଇପାରିବନି। ଏପରିକି ୟୁରୋପୀୟ ଦେଶଗୁଡିକୁ ଛାଡ଼ିଲେ ଅନ୍ୟ କୌଣସି ଦେଶରେ ଦ୍ଵିତୀୟ ୱେଭ କଥା ଦେଖାଯାଇନି। ଏହି ଷ୍ଟ୍ରେନ ଅଧିକ ସଂକ୍ରମିତ ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାହା ଲାବୋରେଟୋରିର ଅନାଲିସିସ୍ ଓ ଫିଲଡର ସ୍ଥିତି ମଧ୍ୟରେ ବହୁ ଫରକ ରହିଛି ବୋଲି ସେ କହିଛନ୍ତି।
ଏଣେ ଆଇଏଲଏସ୍ ବ୍ରିଟେନ ଫେରନ୍ତା ଭାଇରସର ଅନୁଧ୍ୟାନ ବା ଗବେଷଣା କରିବ ବୋଲି ଏହାର ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଇଏଲଏସକୁ ଚୟନ କରାଯାଇଛି। ବ୍ରିଟେନ ଫେରନ୍ତା ଯୁବକଙ୍କ ନମୁନା ପରୀକ୍ଷା ଲାଗି ପୁନେର ଏନଆଇଭି ଗଲା ବୋଲି ସେ କହିଛନ୍ତି। ସେଠି ଜିନମ ସିକ୍ୟୁଏନ୍ସ ପରେ ନୂଆ ଷ୍ଟ୍ରେନ କି ନୁହେଁ ଜଣାପଡ଼ିବ ବୋଲି ଅଜୟ ପରିଡ଼ା କହିଛନ୍ତି।
The post ୟୁକେ ଫେରନ୍ତାଙ୍କ ଉପରେ ନଜର, ପରୀକ୍ଷା ଲାଗି ଏନଆଇଭିକୁ ଗଲା ଯୁବକଙ୍କ ନମୁନା first appeared on Sambad.
from କରୋନା – Sambad https://ift.tt/3rt2bxV
0 Comments