ମୁମ୍ବାଇ: ସର୍ବାଧିକ କରୋନା ଦ୍ୱାରା ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ଅନ୍ୟତମ | ଏହାର ମୁକାବିଲା ପାଇଁ ସରକାର ମଧ୍ୟ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ତେବେ କରୋନା ମହାମାରୀଙ୍କୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି | ଠାକରେ କହିଛନ୍ତି ଯେ ଆସନ୍ତା ୬ ମାସ ପାଇଁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ । କିଛି ବିଶେଷଜ୍ଞ ରାଜ୍ୟରେ ପୁଣିଥରେ ଲକଡାଉନ ଲାଗୁ କରିବାକୁ ଓ ରାତ୍ରିକାଳୀନ କର୍ଫ୍ୟୁ ପାଇଁ ପରାମର୍ଶ ଦେଇଥିବାବେଳେ ରାଜ୍ୟ ସରକାର ଏଭଳି କରିବାକୁ ଚାଁହୁନାହାନ୍ତି’ | ଆଜି ମୁଖ୍ୟମନ୍ତ୍ରୀ ନୂଆବର୍ଷ ପାଳନ ସମୟରେ କରୋନା ସହ ଜଡିତ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ |

ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ଏ ପର୍ଯ୍ୟନ୍ତ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇନଥିବାରୁ କରୋନା ନିୟମ ପାଳନ କରିବାକୁ ଉଦ୍ଧବ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି | ସେ ଆହୁରି କହିଛନ୍ତି ଯେ,’ଆଗାମୀ ୬ମାସ ପାଇଁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଏକ ଅଭ୍ୟାସ ହେବା ଉଚିତ୍’ | କୌଣସି ରୋଗର ଚିକିତ୍ସା ଅପେକ୍ଷା ଏହାକୁ ରୋକିବା ଉତ୍ତମ ବିକଳ୍ପ ବୋଲି ଉଦ୍ଧବ କହିଛନ୍ତି |

ଲୋକଙ୍କୁ କରୋନା ବିଷୟରେ ସଚେତନ କରୁଥିବାବେଳେ ଠାକରେ କହିଛନ୍ତି ଯେ ୟୁରୋପୀୟ ଦେଶମାନଙ୍କରେ ଯେପରି ପୁଣି କରୋନା ଲେଉଟିଛି, ଏଥିରୁ ସ୍ପଷ୍ଟ ହୋଇଛି ଯେ ସତର୍କତା ଅବଲମ୍ବନ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ସୂଚନା ଥାଉ କି ଶନିବାର ମହାରାଷ୍ଟ୍ରରେ ୩୯୪୦ ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଛି। ଯାହା ସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧୮,୯୨,୭୦୭ ରେ ପହଞ୍ଚିଛି। ଶନିବାର ଦିନ ୭୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୪୮,୬୪୮ ରେ ପହଞ୍ଚିଛି।

The post ମହାରାଷ୍ଟ୍ରରେ ଆସନ୍ତା ୬ ମାସ ଯାଏଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କଲେ ମୁଖ୍ୟମନ୍ତ୍ରୀ first appeared on Sambad.



from କରୋନା – Sambad https://ift.tt/37yhMV0