
ଓ୍ଵାସିଂଟନ୍: ଫାଇଜର୍ ନିର୍ମିତ କରୋନାଭାଇରସ୍ ଟିକାର ବ୍ୟାପକ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କର ଏକ ପରାମର୍ଶଦାତା କମିଟି ମଞ୍ଜୁରି ଦେଇଛି। ଫଳରେ ପ୍ରାୟ ୩୦୦, ୦୦୦ ଆମେରିକୀୟଙ୍କ ପ୍ରାଣ ନେଇଥିବା କରୋନାଭାଇରସ୍ ମହାମାରୀ ବିରୋଧରେ ପୂର୍ଣ୍ଣମାତ୍ରାରେ ଅଭିଯାନ ଚଳାଇବାରେ ଦେଶ ଆଉ ଏକ ପାଦ ଅଗ୍ରସର ହୋଇଛି।
ଏବେ ‘ଫାଇଜର୍-ବାୟୋଏନ୍ଟେକ୍’ କୋଭିଡ୍-୧୯ ଟିକା ବ୍ୟବହାରର ଲାଗି ଅନୁମୋଦନ ଦେବାକୁ ଥିବା ‘ଏଫ୍ଡିଏ ଷ୍ଟାଫ୍ ସାଇନ୍ଟିଷ୍ଟ୍ଙ୍କୁ’ ସମସ୍ତେ ଅପେକ୍ଷା କରିଛନ୍ତି। ଫାଇଜର୍ ଏବଂ ତା’ର ଜର୍ମାନ ଅଂଶୀଦାର ବାୟୋଏନ୍ଟେକ୍ ପ୍ରସ୍ତୁତ କୋଭିଡ୍-୧୯ ଟିକା ନିରାପଦ ଓ ଫଳପ୍ରଦ ପ୍ରତିୟମାନ ହେବା ସହ ପ୍ରାପ୍ତବୟସ୍କ ଓ ୧୬ ବର୍ଷରୁ ଊର୍ଦ୍ଧ୍ୱ ତରୁଣଙ୍କ କ୍ଷେତ୍ରରେ ଜରୁରୀକାଳୀନ ବ୍ୟବହାର କରିହେବ ବୋଲି ଗୁରୁବାର ଦିନ ସରକାରୀ ପରାମର୍ଶଦାତା କମିଟି ତା’ର ଚୂଡ଼ାନ୍ତ ନିଷ୍ପତ୍ତି ଜଣାଇ ଦେଇଛି। ଟିକା ସପକ୍ଷରେ ୧୭ ଓ ବିପକ୍ଷରେ ୪ ଭୋଟ୍ ମିଳିଥିଲା ବେଳେ ଜଣେ ଭୋଟର୍ ଅନୁପସ୍ଥିତ ଥିଲେ।
ଏ ସପ୍ତାହର ପ୍ରାରମ୍ଭରେ ବ୍ରିଟେନ୍ରେ ଦୁଇ ଡୋଜ୍ ଫାଇଜର୍-ବାୟୋଏନ୍ଟେକ୍ କୋଭିଡ୍-୧୯ ଟିକା ନେବା ପରେ ଦୁଇଜଣ ବ୍ୟକ୍ତି ଅସୁସ୍ଥ ହୋଇ ପଡ଼ିଥିଲେ ବୋଲି ଅଭିଯୋଗ ହୋଇଥିଲା। ଟିକାର ଏ ଭଳି ପାର୍ଶ୍ୱ ପ୍ରତିକ୍ରିୟା ଉପରେ ସନ୍ଦେହ ଉପୁଜିଥିବା ବେଳେ ଆମେରିକୀୟ ସରକାରୀ କମିଟି ଏହି ଟିକାର ବହୁଳ ବ୍ୟବହାର ସପକ୍ଷରେ ମତଦାନ କରିଛି।
ଡିସେମ୍ବର ଶେଷ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବହାର ନିମନ୍ତେ ପ୍ରାୟ ଦୁଇ ଡୋଜ୍ର ୨୫ ନିୟୁତ ଟିକା ପ୍ରସ୍ତୁତ ହୋଇଯିବ ବୋଲି ଫାଇଜର୍ ଦାବି କରିଛି।
ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକା ଜନସଂଖ୍ୟାର ଅନ୍ୟୂନ ୭୦% ଜନତା ଟିକା ନେଲେ ଯାଇ ‘ହର୍ଡ ଇମ୍ୟୁନିଟି’ ହାସଲ କରିହେବ।
The post ଫାଇଜର୍ କୋଭିଡ୍-୧୯ ଟିକାର ବ୍ୟାପକ ବ୍ୟବହାର ସପକ୍ଷରେ ମତ ଦେଲା ଆମେରିକୀୟ କମିଟି first appeared on Sambad.
from କରୋନା – Sambad https://ift.tt/3oz2OUy
0 Comments