ବେଜିଙ୍ଗ୍‌: ଜୁନ୍‌ ମାସରୁ ଉତ୍ତର ଚୀନ୍‌ର ଏକ ବନ୍ଦରରେ ନଙ୍ଗର ପକାଇଥିବା ଗୋଟାଏ ଜାହାଜରେ ଅଟକି ରହିଥିବା ୨୩ଜଣ ଭାରତୀୟ ନାବିକମାନଙ୍କ ପରିସ୍ଥିତି ସମ୍ବନ୍ଧରେ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରଖିଥିବା କଥା ବୁଧବାର ଦିନ ଚୀନ୍‌ କହିଛି। କିନ୍ତୁ, କେବେ ସେ ନାବିକମାନଙ୍କୁ ଜାହାଜ ଛାଡ଼ିବାକୁ ଅନୁମତି ମିଳିବ, ତାହା ଚୀନ୍‌ କହିନାହିଁ।

ଚୀନ୍‌ର ହେବେଇ ପ୍ରଦେଶ ଅନ୍ତର୍ଗତ ବୋହାଇ ସାଗରରେ ଥିବା ଜିଙ୍ଗ୍‌ତାଙ୍ଗ୍‌ ବନ୍ଦରରେ ‘ଏମ୍‌ଭି ଜଗ ଆନନ୍ଦ’ ନାମକ ଉକ୍ତ ପଣ୍ୟବାହୀ ଜାହାଜରେ ସମ୍ପୃକ୍ତ ନାବିକମାନେ ଅଟକି ରହିଛନ୍ତି।

ସେହିପରି ଅନ୍ୟ ଏକ ଘଟଣାରେ, ହେବେଇ ପ୍ରଦେଶସ୍ଥିତ କାଓଫିଡିଆନ୍‌ ବନ୍ଦରରେ ଥିବା ‘ଏମ୍‌ଭି ଅନସ୍ତସିଆ’ ଜାହାଜରୁ ଅନ୍ୟୂନ ୧୬ଜଣ ଭାରତୀୟ ନାବିକମାନଙ୍କୁ ମଧ୍ୟ ଛଡ଼ାଯାଉନାହିଁ। ଭାରତୀୟଙ୍କ ବ୍ୟତୀତ ଏଥିରେ ଜଣେ ରୁଷ୍‌ ଓ ଜଣେ ଫିଲିପ୍ପିନ୍ସ୍‌ ନାବିକ ମଧ୍ୟ ଅଛନ୍ତି।

ଚୀନ୍‌ରେ ବିଦେଶାଗତ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବେଜିଙ୍ଗ୍‌ ବାଣିଜ୍ୟପୋତରେ ଥିବା ଉକ୍ତ ୨୩ଜଣ ନାବିକଙ୍କୁ ଛାଡୁ ନ ଥିବା ଜଣାପଡ଼ିଛି। ଫଳରେ ସମ୍ପୃକ୍ତ ନାବିକମାନଙ୍କର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟାବସ୍ଥା ପ୍ରତି ବିପଦ ଦେଖାଦେବାର ସମ୍ଭାବନା ରହିଛି।
ଗତ ଛଅ ମାସ ହେବ ପଣ୍ୟବାହୀ ଜାହାଜ ‘ଜଗ ଆନନ୍ଦ’ରୁ କୌଣସି କୋଭିଡ୍‌-୧୯ ପଜିଟିଭ୍‌ ରିପୋର୍ଟ ମିଳିନାହିଁ। ତଥାପି ଚୀନ୍‌ ବନ୍ଦର କର୍ତ୍ତୃପକ୍ଷମାନେ ସେମାନଙ୍କ ପ୍ରତି ମହାମାରୀ ନିରୋଧୀ କଠୋର କଟକଣା ଲାଗୁ କରିଛନ୍ତି।

Image Courtesy of News Heads

ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଜାଓ ଲିଜିଆନ୍‌ କହିଛନ୍ତି, ଚୀନ୍‌ର ଆଞ୍ଚଳିକ କର୍ତ୍ତୃପକ୍ଷମାନେ ଭାରତୀୟ ପକ୍ଷ ସହ ଉତ୍ତମ ଯୋଗସୂତ୍ର ରଖିଛନ୍ତି ଏବଂ ସମୟ ଅନୁସାରେ ସେମାନଙ୍କ ଅନୁରୋଧ ରକ୍ଷା କରାଯାଉଛି। ଆମେ ମଧ୍ୟ ନାବିକମାନଙ୍କୁ ଅତ୍ୟାବଶ୍ୟକ ସୁବିଧା ଏବଂ ସହାୟତା ଯୋଗାଇ ଦେଉଛୁ।

ମେ ୨୬ ତାରିଖ ଦିନ ଉକ୍ତ ଜାହାଜଟି ଅଷ୍ଟ୍ରେଲିଆର ଗ୍ଲାଡ୍‌ଷ୍ଟୋନ୍‌ ବନ୍ଦରରୁ କୋଇଲା ନେଇ ଜୁନ୍‌ ୧୩ ତାରିଖ ଦିନ ଜିଙ୍ଗତାଙ୍ଗ୍‌ ବନ୍ଦରରେ ପହଞ୍ଚିଥିଲା। ସେବେଠାରୁ ଜାହାଜଟି ବନ୍ଦର ଠାରୁ ୨/୩ କିଲୋମିଟର ଦୂରରେ ନଙ୍ଗର ପକାଇ ରହିଛି।

The post ଜାହାଜରେ ଅଟକି ରହିଥିବା ଭାରତୀୟ ନାବିକମାନେ ଆବଶ୍ୟକ ସହାୟତା ପାଉଛନ୍ତି: ଚୀନ୍‌ first appeared on Sambad.



from କରୋନା – Sambad https://ift.tt/3nZcUhL