ଭୁବନେଶ୍ବର: ବ୍ରିଟେନ୍‌ରେ କରୋନା ଭୂତାଣୁର ନୂତନ ଷ୍ଟ୍ରେନ୍(ବି.୧.୧..୭) ଆତଙ୍କ ସୃଷ୍ଟି କରିଥିବା ବେଳେ ଏହି ସମୟରେ ବ୍ରିଟେନ୍‌ରୁ ଓଡ଼ିଶାକୁ ୬୧ଜଣ ଯାତ୍ରୀ ଫେରିଛନ୍ତି। ଗତ ୧୪ଦିନ ଭିତରେ ଏସବୁ ଯାତ୍ରୀ ଓଡ଼ିଶାକୁ ଫେରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟର ସମୁଦାୟ ୧୧ଟି ଜିଲ୍ଲାକୁ ବ୍ରିଟେନ୍‌ ଫେରନ୍ତା ଆସିଥିବା ବେଳେ ଏଥିରେ ଭୁବନେଶ୍ବରର ସର୍ବାଧିକ ୨୧ଜଣ ରହିଛନ୍ତି। ତେଣୁ ବ୍ରିଟେନ୍‌ ଫେରନ୍ତାଙ୍କ ଉପରେ ନଜର ରଖିବା ଲାଗି ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର, ସିଡିଏମ୍‌ଓ ଏବଂ ଜାତୀୟ ସ୍ବାସ୍ଥ୍ୟ ମିସନ୍‌କୁ ନିର୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ଫେରନ୍ତାଙ୍କ ନିରୀକ୍ଷଣ, କଣ୍ଟାକ୍ଟ ଟ୍ରେସିଂ, ଆର୍‌ଟି-ପିସିଆର ପରୀକ୍ଷା ସହିତ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ପକ୍ଷରୁ ଗତ ୧୪ଦିନ(୭ ତାରିଖଠାରୁ) ଭିତରେ ବ୍ରିଟେନ୍‌ରୁ ଓଡ଼ିଶାକୁ ୬୧ଜଣ ଫେରିଥିବା ସଂପର୍କରେ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି।  ଅନ୍ୟ ୧୮ ଜଣଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଖୋର୍ଧା, କଟକ, ଯାଜପୁର, ଜଗତସିଂହପୁର, ସମ୍ବଲପୁର, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ, ନୟାଗଡ଼, ପୁରୀ ଓ ଗଞ୍ଜାମ ସମେତ ୧୫ଟି ଜିଲ୍ଲାକୁ ବ୍ରିଟେନରୁ ଲୋକ ଆସିଛନ୍ତି। ଏହି ସମୟ ଭିତରେ ଦେଶକୁ ୩୪୪୫ଜଣ ଯାତ୍ରୀ ଫେରିଥିବା ଜଣାପଡ଼ିଛି। ସବୁ ରାଜ୍ୟମାନଙ୍କୁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯିବା ସହିତ ସାର୍ସ-କୋଭ-୨ର ନୂତନ ଷ୍ଟ୍ରେନ୍‌କୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ତାହା ସଂପର୍କରେ ପଦକ୍ଷେପ ଗ୍ରହଣ କରିବା ଲାଗି କୁହାଯାଇଛି।

ଏଭଳି ଚିଠି ପାଇବା ପରେ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି। ସମସ୍ତ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନିର୍ଦେଶ ଦିଆଯାଇଛି। ତେବେ ଯେଉଁମାନଙ୍କର ଆର୍‌ଟି-ପିସିଆର ପରୀକ୍ଷାରେ ପଜିଟିଭ୍ ଥିବା ଜଣାପଡ଼ିବ ସେମାନଙ୍କୁ ସରକାରୀ କୋଭିଡ୍‌ ଚିକିତ୍ସା ବ୍ୟବସ୍ଥାକୁ ସ୍ଥାନାନ୍ତରିତ କରିବାର ନିୟମ ରହିଛି। ଏହାସହ ସଂକ୍ରମିତ ବ୍ୟକ୍ତିଙ୍କ ଜୀନ୍ ଅନୁଶୀଳନ କରାଯିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଗତକାଲି ରାଜଧାନୀର ବ୍ରିଟେନ୍ ଫେରନ୍ତା ଜଣେ ଯୁବକଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ରାଜଧାନୀର ୩୪ବର୍ଷର ଏହି ଯୁବକ ଗତ ୧୮ତାରିଖରେ ଦିଲ୍ଲୀ ହୋଇ ଘରକୁ ଫେରିଥିଲେ। ଘ‌ରେ ସଙ୍ଗରୋଧରେ ରହିଥିଲେ। ପରେ ଏକ ଘରୋଇ ପରୀକ୍ଷାଗାରରେ କୋଭିଡ୍‌ ପରୀକ୍ଷା କରିଥିଲେ। ଗତକାଲି ତାଙ୍କ ନମୁନା ପଜିଟିଭ୍ ଆସିଥିଲା। ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ଅନ୍ୟ କରୋନା ସଂକ୍ରମିତଙ୍କଠାରୁ ଅଲଗା ରଖାଯାଇଛି। ଆଜି ତାଙ୍କ ନମୁନା ‌ପୁନେସ୍ଥିତ ନାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜିକୁ ପଠାଯାଇଛି। ଜୀନ୍‌ ଅନୁଶୀଳନ ପରେ ତାଙ୍କଠାରେ କରୋନାର ନୂତନ ଷ୍ଟ୍ରେନ୍(ବି.୧.୧.୭) ଅଛି କି ନାହିଁ ସ୍ପଷ୍ଟ ହୋଇପାରିବ। ଅପରପକ୍ଷରେ ଉକ୍ତ ଯୁବକଙ୍କ ପରିବାରର ୩ଜଣ ସଦସ୍ୟ ବାପା, ମା’ ଓ ପତ୍ନୀଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା ଓ ସେମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଅପରପକ୍ଷରେ ଯୁବକଙ୍କ କୌଣସି ପ୍ରାଇମେରି କିମ୍ବା ସେକେଣ୍ଡାରି କଣ୍ଟାକ୍ଟରେ କେହି ଆସି ନ ଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି ଯେ ସମସ୍ତଙ୍କ ନମୁନାର ମଧ୍ୟ ଜୀନ ଅନୁଶୀଳନ କରିବାର ଆବଶ୍ୟକତା ନାହିଁ। ଯେଉଁମାନେ ଆର୍‌ଟି-ପିସିଆର ପରୀକ୍ଷାରେ ପଜିଟିଭ୍ ଚିହ୍ନଟ ହେବେ , ନମୁନାରେ ଏସ୍‌(ସ୍ପାଇକ୍ ଗ୍ଲାଇକୋପ୍ରୋଟିନ୍‌) ଜିନ୍‌ ଅନୁପସ୍ଥିତ ରହିଥିବ ସେହିମାନଙ୍କର ହିଁ କେବଳ ଜୀନ ଅନୁଶୀଳନ କରାଯିବ। ଏନ୍‌ଆଇଭି ପୁନେ ଦେଶର ରେଫରାଲ୍ ଲାବୋରେଟାରି। ସେଠାରେ ଉନ୍ନତ ପରୀକ୍ଷା ସୁବିଧା ରହିଛି। ଏପରିକି ଆଇଏଲଏସ୍‌ ଚାହିଁଲେ ମଧ୍ୟ ନମୁନା ଏନ୍‌ଆଇଭି ପୁନେକୁ ପଠାଇ ପାରିବ। ଯଦିଓ ଗତକାଲି ଆଇସିଏମ୍‌ଆର ପକ୍ଷରୁ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍‌)କୁ ଜୀନ୍‌ ଅନୁଶୀଳନ କରିବା ଲାଗି ଅନୁମୋଦନ ଦିଆଯାଇଛି, ମାତ୍ର ରାଜ୍ୟର ଏହା ପ୍ରଥମ ଘଟଣା ହୋଇଥିବାରୁ ଦେଶର ସବୁଠାରୁ ଉନ୍ନତ ପରୀକ୍ଷାଗାରକୁ ନମୁନା ପଠାଯାଇଛି। ଆଗକୁ ଆଇଏଲଏସ୍‌ରେ ଜୀନ ଅନୁଶୀଳନ କରାଯିବ ବୋଲି ଡା.ମହାନ୍ତି ସୂଚନା ଦେଇଛନ୍ତି।

The post ଓଡ଼ିଶାରେ କରୋନା ଭୟ, ବ୍ରିଟେନ୍‌ରୁ ଫେରିଲେଣି ୬୧ first appeared on Sambad.



from କରୋନା – Sambad https://ift.tt/3pqR331