ଅଧିକ ତର୍ଜମା ଆବଶ୍ୟକ, ହେଲେ ବର୍ତ୍ତମାନ ପାଇଁ ସୁରକ୍ଷିତ
ବସନ୍ତ ଓ ପୋଲିଓ ଟିକା ଭଳି ଶକ୍ତିଶାଳୀ ନୁହେଁ

କଟକ : ‘କୋଭାକ୍ସିନ୍‌’ କେତେ ସୁରକ୍ଷିତ? ତାକୁ ନେଇ ଆରମ୍ଭ ହେଲାଣି ତର୍ଜମା। ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ବିଜ୍‌ ‘କୋଭାକ୍ସିନ୍‌’ ଟିକାର ପ୍ରଥମ ଡୋଜ୍‌ ନେବା ପରେ କରୋନା ସଂକ୍ରମିତ ହୋଇଥିବାରୁ ଏହା କେ‌ତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ, ବର୍ତ୍ତମାନ ସମୟରେ ଏହା ସୁରକ୍ଷିତ କୁହାଯାଇପାରେ ବୋଲି ଯୁକ୍ତି ଦର୍ଶାଇଛନ୍ତି ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନିରଞ୍ଜନ ତ୍ରିପାଠୀ। ଅନ୍ୟପଟେ କୋଭିଡ୍‌ ଭାଇରସ୍‌ର ଆଣ୍ଟିବଡି ବସନ୍ତ ରୋଗ ଟିକା ବା ପୋଲିଓ ଟିକା ଭଳି ଶକ୍ତିଶାଳୀ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଡାକ୍ତର ତ୍ରିପାଠୀଙ୍କ ମତରେ ‘କୋଭାକ୍ସିନ୍‌’ରେ ବ୍ୟବହୃତ ହେଉଥିବା ଭୂତାଣୁ ବା ଭାଇରସ୍‌ ସକ୍ଷମ ବା ସଚଳ ନୁହେଁ। ତେଣୁ ସେଥିରୁ ରୋଗ ହେବା ସମ୍ଭବନା ପ୍ରାୟତଃ ନାହିଁ। ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଏହି ଟିକା ନେବା ପରେ କରୋନା ଆକ୍ରାନ୍ତ ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚର୍ଚ୍ଚା ହେଉଛି ଯେ, ସେ ହୁଏତ ପୂର୍ବରୁ କରୋନା ସଂକ୍ରମିତ ହୋଇଥାଇପାରନ୍ତି। କିନ୍ତୁ ଏହାର ପରୀକ୍ଷା କରାଯାଇ ନଥିବାରୁ ଏହା ସ୍ପଷ୍ଟ ହୋଇପାରୁନି। ଯଦି ସେ ର୍ବରୁ ସଂକ୍ରମିତ ହୋଇଥିବେ ତାହେଲେ ତାଙ୍କର ଦୁର୍ବଳ ଆଣ୍ଟିବଡି ତିଆରି ହୋଇଥିବ। ଯାହାଫଳରେ ତାଙ୍କଠାରେ ପୁନଃ ସଂକ୍ରମଣ ହୋଇଥାଇପାରେ। କିନ୍ତୁ ଏହା ଉପରେ ଏବେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଅନ୍ୟପଟେ ଏହି ଟିକା ଏକମାସ ବ୍ୟବଧାନରେ ଦୁଇଥର ନେବାକୁ ପଡ଼ିଥାଏ। ପ୍ରଥମ ଟିକା(ଡୋଜ୍‌) ନେବାର ୨୮ଦିନ ପରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ। କୋଭିଡ୍‌ ଭାଇରସ୍‌ ଏକ ବିଚିତ୍ର ଭାଇରସ୍‌। ଯେଉଁମାନେ କରୋନା ସଂକ୍ରମିତ ହେଉଛନ୍ତି, ଅନେକ କ୍ଷେତ୍ରରେ ଦେଖାଯାଉଛି ସେମାନଙ୍କଠାରେ ଆଣ୍ଟିବଡି ଭଲଭାବରେ ତିଆରି ହୋଇ ପାରୁ ନାହିଁ। ଯା’ଫଳରେ ସୁସ୍ଥ ହେବାର ୨/୩ମାସ ପରେ ବି ଆଣ୍ଟିବଡି ଠିକ୍‌ ରହୁ ନାହିଁ। ସେଭଳି କ୍ଷେତ୍ରରେ ୨ୟ ଥର ମଧ୍ୟ କରୋନା ସଂକ୍ରମଣ ହେଉଥିବା ଦେଖାଯାଉଛି। ଏହାର ଆଶଙ୍କା ମଧ୍ୟ ଅଧିକ ରହୁଛି। ଏଥିରୁ ସ୍ପଷ୍ଟ ଯେ, କୋଭିଡ୍‌ ଭାଇରସ୍‌ର ଆଣ୍ଟିବଡି ବସନ୍ତରୋଗ ଟିକା ବା ପୋଲିଓ ଟିକା ଭଳି ଶକ୍ତିଶାଳୀ ନୁହେଁ। ଯଦିଓ ରୋଗ ହେବା ପରେ ଆଣ୍ଟିବଡି ଦୁର୍ବଳ ରହୁଛି, ତେବେ ଟିକା ନେବା ପରେ ବି ଆଣ୍ଟିବଡି ସେଭଳି ନଚେତ୍‌ ତାଠାରୁ ଦୁର୍ବଳ ଆଣ୍ଟିବଡି ତିଆରି ହେବାର ଆଶଙ୍କା ରହୁଛି। ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ନଭେମ୍ବର ୨୦ରେ ପ୍ରଥମ ଟିକା ନେଇଥିଲେ। ତେଣୁ ସେ ୨ୟ ଟିକା ନେଇନାହାନ୍ତି। ଏବଂ ତାଙ୍କ ଦେହରେ ଅତିଦୁର୍ବଳ ଆଣ୍ଟିବଡି ସୃଷ୍ଟି ହେବାର ସମ୍ଭବନା ରହିଛି।

ଏଠାରେ ସୂଚନାଯୋଗ୍ୟ, ଭାରତ ବାୟୋଟେକ୍‌ ଓ ଆଇସିଏମ୍‌ଆର ଦ୍ବାରା ପ୍ରସ୍ତୁତ ପ୍ରଥମ ସ୍ବେଦେଶୀ ଟିକା ‘କୋଭାକ୍ସିନ୍‌’ ପ୍ରସ୍ତୁତ ହେଉଛି। ଏହା କେତେ ସୁରକ୍ଷିତ ତାହା ଉପରେ ଅଧିକ ତର୍ଜମା ଦରକାର ବୋଲି ଡାକ୍ତର ତ୍ରିପାଠୀ ମତ ଦେଇଛନ୍ତି।

The post କୋଭିଡ୍‌ ଟିକାକୁ ନେଇ ବିଶେଷଜ୍ଞ ଉଠାଇଲେ ପ୍ରଶ୍ନ first appeared on Sambad.



from କରୋନା – Sambad https://ift.tt/33PgMcY