
ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରିକି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୫୮୦ରୁ ଖସି ୫୭ରେ ପହଞ୍ଚିଲାଣି। ଗତ ୧୧ ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପୁନି। ଆକ୍ରାନ୍ତ କମୁଥିବାରୁ ଦୈନିକ ସୁସ୍ଥ ସଂଖ୍ୟା ବି କମୁଛି। ଗତ ଦୁଇ ଦିନ ହେଲା ଭୁବନେଶ୍ବରରେ ଶହେରୁ କମ୍ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ଏହି ପରିସଂଖ୍ୟାନ ଦେଖିଲେ ରାଜଧାନୀବାସୀ ଆଶ୍ବସ୍ତ ହୋଇପାରନ୍ତି। କିନ୍ତୁ କରୋନା ଜନିତ ମୃତ୍ୟୁ ହାର ଦେଖିଲେ, ଏବେ ବି ସ୍ଥିତି ଭୟଙ୍କର ଅଛି ବୋଲି ଜଣାପଡ଼ୁଛି। ଗତ ୮ ଦିନରେ ଭୁବନେଶ୍ବରରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ରେକର୍ଡ କହୁଛି। ବେସରକାରୀ ହିସାବରେ ଏହା ଆହୁରି ଅଧିକ। ନଭେମ୍ବର ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଅକ୍ଟୋବର ମାସ ଭଳି ଆକ୍ରାନ୍ତଙ୍କର ମୃତ୍ୟୁ ହେବା ଚିନ୍ତାଜନକ ହୋଇଛି।
ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୩୦ ସୁଦ୍ଧା ଭୁବନେଶ୍ବରରେ ୨୧୮୯୫ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଉ ୩୯ ଦିନରେ ୮୮ଜଣଙ୍କର ମୃତ୍ୟୁ ହେଲାଣି। ଅର୍ଥାତ୍ ଏଠାରେ ଦିନକୁ ଦୁଇ ଜଣରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ହେଉଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଅକ୍ଟୋବରରେ ପ୍ରଥମ ୮ ଦିନରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନଭେମ୍ବରରେ ବି ପ୍ରଥମ ୮ ଦିନରେ ୧୫ଜଣଙ୍କର ମୃତ୍ୟୁ ହୋଇଛି। ଅକ୍ଟୋବର ୧ରୁ ୮ ମଧ୍ୟରେ ୨୬୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନଭେମ୍ବର ୧ରୁ ୮ ମଧ୍ୟରେ ମାତ୍ର ୫୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୈନିକ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ମାସକ ମଧ୍ୟରେ ପ୍ରାୟ ୫ଗୁଣା କମିଥିଲେ ବି କରୋନା ଜନିତ ମୃତ୍ୟୁ ସଂଖ୍ୟା ସେହି ଅନୁଯାୟୀ କମିନି। ବରଂ ଯେତିକି ମୃତ୍ୟୁ ଗତ ମାସରେ ଏହି ସମୟରେ ହୋଇଥିଲା, ଏବେ ସେତିକି ମୃତ୍ୟୁ ହୋଇଛି।
ରାଜଧାନୀରେ କରୋନା ଜନିତ ମୃତ୍ୟୁ ହାର ବଢ଼ି ଚାଲିଥିବାରୁ ଏହା ସାରା ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ସବୁଠୁ ଅଧିକ ଆକ୍ରାନ୍ତ ଏବେ ବି ରାଜଧାନୀରେ ଚିହ୍ନଟ ହେଉଥିବା ବେଳେ ସବୁଠୁ ଅଧିକ ସକ୍ରିୟ ଆକ୍ରାନ୍ତ ଏଠାରେ ଅଛନ୍ତି। ବିଏମ୍ସି ହିସାବ ଅନୁଯାୟୀ, ଆଜି ସୁଦ୍ଧା ଭୁବନେଶ୍ବରରେ ୨୯୭୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୬୭୦ଜଣ ସୁସ୍ଥ ହୋଇସାରିଲେଣି। ୧୮୧ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ୮୩୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।
ଏନେଇ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏବେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେଥିରୁ ପ୍ରାୟ ୮୦% ଘରେ ରହି ଚିକିତ୍ସିତ ହେଉଛନ୍ତି। କିଛି ଲୋକ କରୋନା ସଂକ୍ରମିତ ହେଉଥିଲେ ହେଁ ପ୍ରାଥମିକ ପର୍ଯ୍ୟାୟରୁ ଏହା ଜାଣି ପାରୁ ନଥିବାରୁ ପରବର୍ତ୍ତୀ ସମୟରେ ସ୍ଥିତି ଜଟିଳ ହୋଇଯାଉଛି। ତେଣୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେଲା ବେଳକୁ ବିଳମ୍ବ ହୋଇଯାଉଛି। ସେହି କ୍ଷେତ୍ରରେ ମୃତକଙ୍କ ସଂଖ୍ୟା ବଢ଼ୁଛି। ଆଉ କିଛି ଡେଥ୍ ଅଡିଟ୍ ରିପୋର୍ଟ ଏବେ ଆସୁଥିବାରୁ ସେଗୁଡ଼ିକୁ ଆମେ ତାଲିକାରେ ଦେଖାଉଛୁ। ଏବେ କିନ୍ତୁ ପୂର୍ବାପେକ୍ଷା କରୋନା ଜନିତ ମୃତ୍ୟୁ କମିବାରେ ଲାଗିଛି। ଯେପରି ଗୁରୁତର ଆକ୍ରାନ୍ତଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଇପାରିବ, ସେଥିପାଇଁ କୌଣସି ହସ୍ପିଟାଲରେ ଆଇସିୟୁ ଶଯ୍ୟା କମାଯାଇନି। ଆବଶ୍ୟକ ଆଇସିୟୁ, ଭେଣ୍ଟିଲେଟର୍ ଅଛି। ସାଧାରଣ ଶଯ୍ୟାରେ ଆକ୍ରାନ୍ତ ଭର୍ତ୍ତି ହେଉନଥିବାରୁ ସେଗୁଡ଼ିକୁ କମାଯାଉଛି।
The post ରାଜଧାନୀରେ କରୋନା ଆକ୍ରାନ୍ତ କମୁଛନ୍ତି, ମୃତ୍ୟୁ ହାର କମୁନି; ୮ଦିନରେ ମଲେଣି ୧୫ first appeared on Sambad.
from କରୋନା – Sambad https://ift.tt/2IikP9T
0 Comments