
ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ରେ କରୋନା ମୁକାବିଲା ଓ ସ୍ବାବ୍ ସଂଗ୍ରହରେ ନିୟୋଜିତ ଯୁବ ଲ୍ୟାବ୍ ଟେକ୍ନିସିଆନ୍ କାହ୍ନୁଚରଣ ପ୍ରଧାନ (୨୫)ଙ୍କ କରୋନାରେ ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ୬ଟାରେ ବ୍ରହ୍ମପୁର ଏମକେସିଜି କୋଭିଡ୍ ହସ୍ପିଟାଲ୍ରେ କାହ୍ନୁଚରଣ ଶେଷ ନିଃଶ୍ବାସ ତ୍ୟାଗ କରିଛି। ଏହି ଖବର ପ୍ରଚାର ହେବା କ୍ଷଣି ଜଗନ୍ନାଥପ୍ରସାଦରେ ଶୋକର ଛାୟା ଖେଳିଯାଇଛି।
ଗୋଚ୍ଛାବାଡ଼ିରେ ଏଏନ୍ଏମ୍ ଭାବେ କାର୍ଯ୍ୟରତ ଭାଗ୍ୟଲତା ପ୍ରଧାନଙ୍କ ପୁଅ କାହ୍ନୁଚରଣ ଗତ ଏପ୍ରିଲ୍ ମାସରୁ ଜଗନ୍ନାଥପ୍ରସାଦ ବ୍ଲକ୍ରେ କୋଭିଡ୍ ନମୁନା ସଂଗ୍ରହ ପାଇଁ ଟେକ୍ନିସିଆନ୍ ଭାବେ ନିୟୋଜିତ ହୋଇଥିଲେ। ବିଭିନ୍ନ ପଞ୍ଚାୟତ ବୁଲି ସେ ସ୍ବାବ୍ ସଂଗ୍ରହ କରିବା ସହ ନିରନ୍ତର ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ। ଗତ ୧୮ ତାରିଖରେ ସେ ଏକ ଟିମ୍ ସହ ଗାୟାଗଣ୍ଡା ପଞ୍ଚାୟତର ଦୁର୍ଗମ ଇଲାକା ଜିରିପଡ଼ାକୁ ପାହାଡ଼ ଚଢ଼ି ଯାଇଥିବା ସମୟରେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ସେଠାରୁ ତାଙ୍କୁ ସଂଗେ ସଂଗେ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗାଡ଼ି ଯୋଗେ ଅଣାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ସେ ଘରେ ଥିଲେ। ଗତକାଲି ସ୍ବାସ୍ଥ୍ୟାବସ୍ଥା ବିଗିଡ଼ବାରୁ ତାଙ୍କୁ ଭଞ୍ଜନଗର ନିଆଯାଇ ସ୍ବାବ୍ ସଂଗ୍ରହ କରିବା ପରେ ସେ ପଜିଟିଭ୍ ବୋଲି ଜଣାପଡ଼ିଥିଲା। ପରେ ତାଙ୍କୁ ବ୍ରହ୍ମପୁର ଏମକେସିଜି କୋଭିଡ୍ ହସ୍ପିଟାଲକୁ ପଠାଯାଇଥିଲା। ଆଜି ସନ୍ଧ୍ୟା ୬ଟାରେ କାହ୍ନୁଙ୍କ ମୃତ୍ୟୁ ଘଟିଛି। ମୃତକ କାହ୍ନୁ ଜଗନ୍ନାଥପ୍ରସାଦ ବ୍ଲକ୍ ରାଉତି ପଞ୍ଚାୟତ ଚାରିକୋଣିଆ ଗ୍ରାମର ମୂଳବାସିନ୍ଦା। ସେ ଗୋଚ୍ଛାବାଡ଼ିରେ ରହୁଥିଲେ।
The post କରୋନାରେ ଜୀବନ ହାରିଲେ ଯୁବ କୋଭିଡ୍ ଏଲ୍ଟି first appeared on Sambad.
from କରୋନା – Sambad https://ift.tt/3kTp0GL
0 Comments