ଗାଇସିଲାଟ୍‌/ବରଗଡ଼ : କରୋନାର ଏକ କରୁଣ ଦୃଶ୍ୟ ବୁର୍ଲା ବଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ପ୍ରଥମେ ମେଡିକାଲ୍‌ କର୍ତୃପକ୍ଷ ମୃତକଙ୍କ କରୋନା ପଜିଟିଭ୍‌ ଥିବା କହି ଶବକୁ ପରିବାର ଲୋକଙ୍କୁ ଦେଇନଥିବା ଏବଂ ପରିବାର ଲୋକେ ଘରକୁ ଫେରି ଯିବା ପରେ ରିପୋର୍ଟ ନେଗେଟିଭ୍‌ ଆସିଛି ଏବଂ ବୁର୍ଲା ଆସି ଶବ ନେଇଯିବାକୁ କହିଥିବାର ଅଭିଯୋଗ ଉଠିଛି। ଏନେଇ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବୁର୍ଲା ଡାକ୍ତରଖାନା କର୍ତ୍ତୃପକ୍ଷ ଅଭିଯୋଗକୁ ଅସ୍ବୀକାର କରିଛନ୍ତି।

ଗାଇସିଲାଟ୍‌ ବ୍ଲକ୍‌ ବୁରୋମୁଣ୍ଡା ଗାଁର ଭଲ ଅମରୀ (୪୦)ଙ୍କ ସ୍ତ୍ରୀ କାନ୍ତି ଅମରୀ ଥାନାରେ ଦେଇଥିବା ଅଭିଯୋଗ ମୁତାବକ, ତାଙ୍କ ସ୍ବାମୀ ଭଲ ଅମରୀଙ୍କୁ କିଛି ଦିନ ହେଲା ଥଣ୍ଡାଜ୍ବର ହେଉଥିଲା। ଶୁକ୍ରବାର ତାଙ୍କୁ ଗୁଦେରପାଲି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ବରଗଡ଼ ଏବଂ ପରେ ବୁର୍ଲା ମେଡିକାଲ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଭୋର୍‌ ୫ଟା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଶବ ନେବାକୁ ପ୍ରସ୍ତୁତ ହେଉଥିଲେ। ହେଲେ ଡାକ୍ତର କୋଭିଡ୍‌ ଯୋଗୁଁ ଭଲଙ୍କ ମୃତ୍ୟୁ ଘଟିଥିବା ଦର୍ଶାଇଥିଲେ ଏବଂ ଶବକୁ ନିୟମାନୁସାରେ ପୋଡ଼ାଯିବ ବୋଲି କହିଥିଲେ। ଫଳରେ ପରିବାର ଲୋକେ ଗାଁକୁ ଫେରି ଆସିଥିଲେ। ବିନା ଶବରେ ଯାହା କ୍ରିୟାକର୍ମ ଥିଲା ତାହା ପାଳନ କରିଥିଲେ। କିନ୍ତୁ କେଇ ଘଣ୍ଟା ପରେ ବୁର୍ଲା ମେଡିକାଲ୍‌ରୁ ବୁରୋମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରକୁ ଫୋନ୍‌ ଆସିଥିଲା। ସ୍ବାସ୍ଥ୍ୟକେନ୍ଦ୍ରରୁ ଖବର ନେଇ ଆଶା କର୍ମୀ ମୃତ ଭଲଙ୍କ ଘରେ ପହଂଚିଥିଲେ। କହିଥିଲେ ଯେ, ପରୀକ୍ଷାରୁ ଭଲଙ୍କ କୋଭିଡ୍‌ ନେଗେଟିଭ୍‌ ଆସିଛି। ବୁର୍ଲା ଯାଇ ଶବ ଆଣିବାକୁ ମଧ୍ୟ କହିଥିଲେ। ହେଲେ ଏହି ଗରିବ ପରିବାର ପାଖରେ ବୁର୍ଲା ଯିବାକୁ ସମ୍ବଳ ନାହିଁ ଓ ବିନା ଶବରେ ସବୁ କର୍ମ ସରିଯାଇଥିବାରୁ ସେମାନେ ଆସିନଥିଲେ। ଏଥିସହ ଯଦି କରୋନାରେ ତାଙ୍କ ସ୍ବାମୀ ମରିନାହାନ୍ତି ତ‌େବେ କାହିଁକି ତାଙ୍କୁ ସେତେବେଳେ ଶବ ଦିଆଗଲାନି ବୋଲି ପ୍ରଶ୍ନ କରି କାନ୍ତି ଅମରୀ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦେଇଛନ୍ତି।

ଅନ୍ୟପକ୍ଷରେ ସଂପୃକ୍ତ ବ୍ୟକ୍ତି ଆଇସୋଲେସନ୍‌ରେ ଥିବା ବେଳେ ହିଁ ତାଙ୍କ ମୃତ୍ୟୁ ଘଟିଛି ଓ ତାଙ୍କର ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଅଛି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଶବ ନେବାକୁ ନୁହେଁ, ଶବ ଦେଖିଯିବାକୁ ପରିବାରକୁ ଖବର ଦିଆଯାଇଥିଲା ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଭଲ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ସ୍ତ୍ରୀ କାନ୍ତି, ବଡ଼ ଝିଅ ଯମୁନା, ଦୁଇପୁଅ ଡୋଳାମଣି (୧୩) ଏବଂ ଥବିର(୧୦) ଅସହାୟ ହୋଇ ପଡ଼ିଛନ୍ତି।

The post କରୋନା କହି ଶବ ଦେଲେନି, ଶେଷକୃତ୍ୟ ପରେ କହିଲେ ନେଗେଟିଭ୍‌! first appeared on Sambad.



from କରୋନା – Sambad https://ift.tt/395PIJU