ନୂଆଦିଲ୍ଲୀ: ଦେଶରେ ଆଜି ସୁଦ୍ଧା ୯୩ ଲକ୍ଷ ୯୨ ହଜାର ୯୧୯ ଜଣ କରୋନା ଭାଇରସ୍‌ ସଂକ୍ରମିତ ହୋଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୪୧ ହଜାର ୬୪୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୪୧ ହଜାର ୯୭୪ ଜଣ ଆରୋଗ୍ୟ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ମୁତାବକ ଦେଶରେ ଆଜି ଆରୋଗ୍ୟଙ୍କ ସଂଖ୍ୟା ୮୮ ଲକ୍ଷ ଅତିକ୍ରମ କରିଯାଇଛି। ମୃତକଙ୍କ ସଂଖ୍ୟା ୧ ଲକ୍ଷ ୩୬ ହଜାର ୬୯୬ରେ ପହଞ୍ଚିଛି। ଶନିବାର ସଂକ୍ରମଣ ମାମଲା ଆକଳନରୁ ଜଣାପଡ଼ିଛି ଯେ ୧୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ନୂଆ ସଂକ୍ରମଣ ମାମଲା ବଢ଼ୁଛି। ଏଥିରେ ମହାରାଷ୍ଟ୍ର, କେରଳ, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଆଦି ରାଜ୍ୟ ସାମିଲ ଅଛି। ମହାରାଷ୍ଟ୍ରରେ ଲଗାତାର ୮ମ ଦିନ ଏବଂ ରାଜ୍ୟସ୍ଥାନରେ ୨୨ ଦିନ ହେଲା ସକ୍ରିୟ ମାମଲା ବଢ଼ିବାରେ ଲାଗିଛି।

ଉତ୍ତରାଖଣ୍ଡରେ ମଧ୍ୟ ନୂଆ ସଂକ୍ରମଣ ବଢ଼ୁଥିବାରୁ ‌ସରକାର କେତେକ ନୂଆ କଟକଣା ଲାଗୁ କରିଛନ୍ତି। ଏବେ ରାଜ୍ୟକୁ ଆସୁଥିବା ଲୋକମାନଙ୍କୁ କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ ଦେଖାଇବାକୁ ପଡ଼ିବ। ଆଜି ସରକାର ଏ ବାବଦରେ ଆଦେଶ ଜାରି କରିଛନ୍ତି। ରାଜ୍ୟରେ ପ୍ରବେଶ କରୁଥିବା ଲୋକଙ୍କର ସୀମାରେ ହିଁ ରୢାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ୍‌ କରାଯାଉଛି। ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ୬୧୯୮ ନୂଆ ମାମଲା ସାମ୍ନାକୁ ଆସିଛି। ସରକାର କେତେକ ନୂଆ କଟକଣା ଜାରି କରିବା ସହ ବସ୍ତି ଅଂଚଳରେ ସତର୍କତା ପଦକ୍ଷେପ ବଢ଼ାଇଛନ୍ତି। ସଂକ୍ରମଣ ବଢ଼ୁଥିବା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିଛି।

The post ଆରୋଗ୍ୟଙ୍କ ସଂଖ୍ୟା ୮୮ ଲକ୍ଷ ଟପିଲା, ୨୪ ଘଣ୍ଟାରେ ୪୧ ହଜାର ନୂଆ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/2Jv4pM0