ବାରିପଦା : କରୋନା ଲଢ଼େଇରେ ମୟୂରଭଞ୍ଜ ପାଇଁ ସାମାନ୍ୟ ଆଶ୍ବସ୍ତି ଆସିଛି। ଆଜି ସୁଦ୍ଧା ଜିଲ୍ଲାରେ ସୁସ୍ଥକଙ୍କ ସଂଖ୍ୟା ୧୨ହଜାର ଅତିକ୍ରମ କରିଛି। କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ୧୨ ହଜାର ୨୮ ଜଣ ଘରକୁ ଫେରିସାରିଲେଣି। ଯାହାକି ଜିଲ୍ଲା ପାଇଁ ଏକ ଖୁସି ଖବର ନିଶ୍ଚୟ। ତେବେ ଏଠାରେ କରୋନାଜନିତ ମୃତ୍ୟୁ କିନ୍ତୁ ଥମୁନଥିବା ପରିଲକ୍ଷିତ ହୋଇଛି। ଆଜି ପୁଣି ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ୩୭ ବର୍ଷ ବୟସ୍କ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଜିଲ୍ଲାରେ ୮୦ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସଂକ୍ରମଣ କିନ୍ତୁ ଜିଲ୍ଲାରେ ୫୦ ତଳେ ରହିଛି। ଆଜି ଜିଲ୍ଲାରୁ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ମୋଟ ୮୬୮ ଜଣଙ୍କ ମଧ୍ୟରୁ ପଞ୍ଚମ । ଏଥି ସହିତ ଜିଲ୍ଲାରେ କୋଭିଡ୍ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨, ୬୩୯ରେ ପହଞ୍ଚିଛି । କରୋନା ସଂକ୍ରମିତମାନଙ୍କ ମଧ୍ୟରୁ କ୍ରିଟିକାଲମାନଙ୍କୁ କୋଭିଡ଼ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱଳ୍ପ ଓ ଲକ୍ଷଣ ନ ଥିବା ବ୍ୟକ୍ତିମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି । ଜିଲ୍ଲାରେ ଏବେସୁଦ୍ଧା ୫୩୧ ଜଣ ସକ୍ରିୟ ଥାଇ ଚିକିତ୍ସିତ ହେଉଛନ୍ତି ।

The post ବାରିପଦା : ୧୨ହଜାର ଡେଇଁଲା ସୁସ୍ଥକଙ୍କ ସଂଖ୍ୟା, ୫୦ ତଳେ ସଂକ୍ରମଣ, ମୃତ୍ୟୁ ଜାରି, ୮୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା first appeared on Sambad.



from କରୋନା – Sambad https://ift.tt/32W6Bmh