
ହାଇଦ୍ରାବାଦ: ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ହେଉଥିବା କୋଭାକ୍ସିନ ଟିକା ଅତିକମ୍ରେ ୬୦ ପ୍ରତିଶତ ଫଳପ୍ରଦ ରହିବ। ଏହି ଟିକାକୁ ଭାରତୀୟ କମ୍ପାନି ୨୦୨୧ ମସିହାର ଦ୍ବିତୀୟ ତ୍ରୟମାସରେ ଅର୍ଥାତ୍ ଜୁନ୍ ସୁଦ୍ଧା ଉପଲବ୍ଧ କରାଇବା ନେଇ ଲକ୍ଷ୍ୟ ରଖିଛି। ଇତିମଧ୍ୟରେ ବିଶ୍ବର ପ୍ରମୁଖ କୋଭିଡ୍ ଟିକା ନିର୍ମାତାମାନେ ଟିକାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ଏହିକ୍ରମରେ ନୋଭାଭାକ୍ସ ଟିକାର ମୂଲ୍ୟ ସବୁଠାରୁ କମ୍ ୪୮୦ ଟଙ୍କା ରହିବ ବୋଲି ଜଣାପଡ଼ିଛି।
ଆଇସିଏମଆର ସହଯୋଗରେ ଭାରତ ବାୟୋଟେକ କୋଭାକ୍ସିନ ଟିକାର ପରୀକ୍ଷଣ ଚଳାଇଛନ୍ତି। ହାଇଦ୍ରାବାଦଭିତ୍ତିକ ଏହି କମ୍ପାନି ପ୍ରସ୍ତୁତ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଏବେ ଚାଲିଛି। ଦେଶର ୨୫ଟିରୁ ଅଧିକ ସ୍ଥାନରେ ସ୍ବେଚ୍ଛାସେବୀଙ୍କଠାରେ ଟିକା ପରୀକ୍ଷା ହେଉଛି। ସ୍ବେଚ୍ଛାସେବୀମାନଙ୍କୁ କୋଭାକ୍ସିନର ୬ ମାଇକ୍ରୋଗ୍ରାମର ଦୁଇଟି ଇଞ୍ଜେକସନ କିମ୍ବା ପ୍ଲାସେବୋର ଦୁଇଟି ସଟ୍ ଦିଆଯିବ। ପ୍ରସାଦ ଏହି ଅବସରରେ କହିଛନ୍ତି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) ଏବଂ ଏପରିକି ଭାରତର ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ(ସିଡିଏସସିଓ) ୫୦ ପ୍ରତିଶତ ଫଳପ୍ରଦ ହେଉଥିବା ଶ୍ବାସ ପ୍ରଶ୍ବାସ ସମ୍ବନ୍ଧୀୟ ଟିକାକୁ ବ୍ୟବହାର ପାଇଁ ମଞ୍ଜୁରି ଦେଇଥାନ୍ତି। କୋଭାକ୍ସିନ ୬୦ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଫଳପ୍ରଦ ରହିବା ଆଶା ରହିଛି ବୋଲି ସେ କହିଛନ୍ତି। ଏହା ସହିତ କମ୍ପାନି ନିୟାମକ ସଂସ୍ଥାଗୁଡ଼ିକ ନିକଟରେ ବ୍ୟବହାର ପାଇଁ ଆବେଦନ କରିବ ବୋଲି ଜଣାପଡ଼ିଛି।
ଫ୍ରାଙ୍କଫର୍ଟ: ଆମେରିକୀୟ ଭେଷଜ କମ୍ପାନି ମଡର୍ଣ୍ଣା ପକ୍ଷରୁ ପ୍ରସ୍ତୁତ କରୋନା ଟିକାର ଦାମ ୨୫ ଡଲାରରୁ ୩୭ ଡଲାର ମଧ୍ୟରେ ରହିବ। କମ୍ପାନି ମୁଖ୍ୟ କାର୍ଯ୍ୟନିର୍ବାହୀ ଷ୍ଟିଫେନ୍ ବନସେଲ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ତାଙ୍କ କମ୍ପାନି ବିଭିନ୍ନ ଦେଶର ସରକାରଙ୍କୁ କରୋନା ଟିକା ଉପରୋକ୍ତ ମୂଲ୍ୟରେ ଯୋଗାଇ ଦେବ। ଭାରତୀୟ ମୁଦ୍ରାରେ ଦେଖିଲେ ଏହି ଟିକାର ମୂଲ୍ୟ ପ୍ରାୟ ୧୮୫୦ ଟଙ୍କାରୁ ୨୭୪୦ ଟଙ୍କା ମଧ୍ୟରେ ରହିବ।
ସୋମବାର ୟୁରୋପୀୟ ସଂଘର ଜଣେ ଅଧିକାରୀ କହିଛନ୍ତି ୟୁରୋପୀୟ ଆୟୋଗ ମଡର୍ଣ୍ଣା ସହିତ ଟିକା ଯୋଗାଣ ନେଇ ଏକ ରାଜିନାମାରେ ପହଞ୍ଚିବାକୁ ଆଗ୍ରହୀ ରହିଛି। ୟୁରୋପୀୟ ସଂଘ ମଡର୍ଣ୍ଣାଠାରୁ ୨୫ ଡଲାରରୁ କମ୍ ମୂଲ୍ୟରେ ଟିକା କିଣିବାକୁ ଯୋଜନା ରଖିଛି। ଉଲ୍ଲେଖଯୋଗ୍ୟ, କରୋନାକୁ ରୋକିବା କ୍ଷେତ୍ରରେ ମଡର୍ଣ୍ଣାର ଟିକା ୯୪.୫ ପ୍ରତିଶତ ଫଳପ୍ରଦ ବୋଲି ପୂର୍ବରୁ ଦାବି କରାଯାଇଛି।
The post ଟିକା ଆସିବା ପୂର୍ବରୁ ମୂଲ୍ୟ ନିର୍ଦ୍ଧାରଣ, ୨୭୪୦ ଟଙ୍କା ପଡ଼ିବ ମଡର୍ଣ୍ଣା ଟିକା first appeared on Sambad.
from କରୋନା – Sambad https://ift.tt/2J3Z7Xf
0 Comments